ଏମ୍‌ଏସପି ଆଇନ ଆଣିବା ଲାଗି ସରକାରଙ୍କୁ କୃଷକଙ୍କ ଧମକ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ କାଳରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) ନିଶ୍ଚିତ କରିବା ଲାଗି ଆବଶ୍ୟକ ଆଇନ ଆଣିବାକୁ କୃଷକ ସଂଗଠନଗୁଡିକ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ରବିବାର ଭାରତୀୟ କୃଷକ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି ଯେ ସରକାର ଯଦି ଏମଏସପି ନିଶ୍ଚିତ କରିବା ଲାଗି ଆଇନ ପ୍ରସ୍ତୁତ ନ କରନ୍ତି ତେବେ ଆନ୍ଦୋଳନ ଜୋରଦାର କରାଯିବ। ଏପରିକି ଗତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ କୃଷକମାନେ ଦିଲ୍ଲୀରେ ଯେପରି ଟ୍ରାକ୍ଟର ଶୋଭାଯାତ୍ରା କରିଥିଲେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଅନୁରୂପ ଶୋଭାଯାତ୍ରା କରାଯିବ। ଟିକାୟତ କହିଛନ୍ତି ଯେ ସାଧାରଣତନ୍ତ୍ର ଦିବସ ଆଉ ବେଶୀ ଦିନ ନାହିଁ। ଏହା ସହିତ କୃଷକମାନେ ଟ୍ରାକ୍ଟର ସହିତ ଦିଲ୍ଲୀ ସୀମାରେ ଉପସ୍ଥିତ ରହିଛନ୍ତି। ତେଣୁ ଦିଲ୍ଲୀରେ ଶୋଭାଯାତ୍ରା କରିବାକୁ ବିଳମ୍ବ ହେବ ନାହିଁ। କୃଷି ଆଇନ ପ୍ରତ୍ୟାହାର ଦାବିକୁ ସରକାର ମାନିନେବା ପରେ କୃଷକମାନେ ଦିଲ୍ଲୀ ସୀମାରେ ଚଳାଇଥିବା ଆନ୍ଦୋଳନରୁ ଉଠି ନାହାନ୍ତି। ବରଂ ସେମାନେ ଏବେ ନୂଆ ନୂଆ ଦାବି ଉଠାଇ ଆନ୍ଦୋଳନ ଜାରି ରଖିବାକୁ ପ୍ରସ୍ତୁତ କରୁଛନ୍ତି।

Comments are closed.