କୃଷକ ଆନ୍ଦୋଳନ ପ୍ରତ୍ୟାହୃତ

୧୧ରେ ଫେରିବେ

ନୂଆଦିଲ୍ଲୀ : ବର୍ଷାଧିକ କାଳ ଧରି ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକ ଆନ୍ଦୋଳନ ଗୁରୁବାର ପ୍ରତ୍ୟାହୃତ ହୋଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। କୃଷକମାନେ ସିଂଘୁ, ଟିକିରି ଓ ଗାଜିପୁର ଆନ୍ଦୋଳନ ସ୍ଥଳ ଖାଲିକରି ଘରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୧୧, ଶନିବାର ସେମାନେ ବିଜୟ ଉତ୍ସବ ପାଳନ ସହ ଘରକୁ ଫେରିବେ ବୋଲି ମୋର୍ଚ୍ଚା ନେତା ଗୁରନାମ ସିଂହ ଚାଧୁନି କହିଛନ୍ତି। କେନ୍ଦ୍ର ସରକାର ମୋର୍ଚ୍ଚାର ସମସ୍ତ ଦାବି ମାନି ନେବା ସହ ଏ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇଥିବାରୁ ସେମାନେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି; କିନ୍ତୁ ସରକାର ପ୍ରତିଶ୍ରୁତି ପାଳନ ନ କଲେ ସେମାନେ ପୁଣି ଆନ୍ଦୋଳନକୁ ଫେରିବେ ବୋଲି ଚୁଧାନି କହିଛନ୍ତି। ପ୍ରତି ମାସରେ ମୋର୍ଚ୍ଚାର ବୈଠକ ବସି ସରକାର କେତେ ପରିମାଣରେ ପ୍ରତିଶ୍ରୁତି କାର୍ଯ୍ୟକାରୀ କରୁଛନ୍ତି ତାହାର ସମୀକ୍ଷା କରାଯିବ ଏବଂ ସେହି ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଡିସେମ୍ବର ୧୦, ଶୁକ୍ରବାର ଆନ୍ଦୋଳନରେ ପ୍ରାଣତ୍ୟାଗ କରିଥିବା କୃଷକଙ୍କ ପାଇଁ ସ୍ମୃତି ସଭା ଅନୁଷ୍ଠିତ ହେବ ବୋଲି କହିଛନ୍ତି ଅନ୍ୟତମ ନେତା ଦର୍ଶନ ପାଲ ସିଂହ। ସରକାରଙ୍କ ଲିଖିତ ପ୍ରତିଶ୍ରୁତିର ନକଲ ସମସ୍ତ କୃଷକ ସଂଗଠନକୁ ପ୍ରଦାନ କରାଯିବ। ଘରକୁ ଫେରିବା ପରେ ୧୩ରେ କୃଷକମାନେ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିବେ। ୧୫ରେ ପଞ୍ଜାବରେ ଚାଲିଥିବା ସମସ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବ। ଜାନୁଆରୀ ୧୫ରେ ଦିଲ୍ଲୀରେ ପୁନର୍ବାର ମୋର୍ଚ୍ଚାର ବୈଠକ ବସିବ ବୋଲି​ ‌େ​‌ସ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସରକାର ଏମ୍‌ଏସ୍‌ପି ସମ୍ପର୍କରେ ଗଠିତ କମିଟି ଶୀଘ୍ର ନିଷ୍ପତ୍ତି ନେବ ଓ କୃଷକଙ୍କ ବିରୋଧରେ ଦାୟର ସମସ୍ତ ମାମଲା ଶୀଘ୍ର ପ୍ରତ୍ୟାହାର ହେବ ବୋଲି ଗୁରୁବାର ପ୍ରଦତ୍ତ ଚିଠିରେ ଜଣାଇଛନ୍ତି।
ଆନ୍ଦୋଳନରେ ଛୋଟ-ବଡ଼ ୫୦୦ କୃଷକ ସଂଗଠନ ସାମିଲ ହୋଇଥିଲେ। ଏହାର ସଦସ୍ୟମାନେ ସମସ୍ତ ପ୍ରତିକୂଳ ପରିସ୍ଥିତି ଓ ସରକାରଙ୍କ ଦମନ ଲୀଳା ସତ୍ତ୍ବେ ନିଷ୍ଠାର ସହ ନିଜ ପ୍ରୟାସରେ ଅଟଳ ରହି ବିଜୟୀ ହୋଇଥିବାରୁ କୃଷକ ନେତା ଯୋଗୀନ୍ଦର ଉଗ୍ରହଣ ଓ ବଲବୀର ସିଂହ ରାଜେୱାଲ ସମସ୍ତଙ୍କୁ ବଧାଇ ଜଣାଇଛନ୍ତି। ଏହି ଅବସରରେ ତିନି ଆନ୍ଦୋଳନ ସ୍ଥଳରେ ଗୁରୁବାର ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ଆନନ୍ଦ ଉଲ୍ଲାସ ପାଳନ କରାଯାଇଛି। ଶୁକ୍ରବାର ବିଜୟ ଉତ୍ସବ ପାଳନ କରାଯିବାକୁ ଥିଲେ ମଧ୍ୟ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତଙ୍କ ସହ ୧୩ଜଣଙ୍କ ମୃତ୍ୟୁ ଯୋଗୁଁ ଏହାକୁ ଗୋଟିଏ ଦିନ ସ୍ଥଗିତ ରଖାଯାଇଥିବା କହିଛନ୍ତି ଯୋଗେନ୍ଦ୍ର ଯାଦବ। ଏବେ କୃଷକମାନେ କେମିତି ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚିବେ ତାହାର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମୁଖପାତ୍ର ରାକେଶ ଟିକାୟତ। ୨୦୨୦ ସେପ୍ଟେମ୍ବରରୁ ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର, ଏମ୍‌ଏସ୍‌ପି ପାଇଁ ଆଇନଗତ ଗ୍ୟାରେଣ୍ଟି, ନଡ଼ାପୋଡ଼ିକୁ ଅପରାଧ ପଦବାଚ୍ୟ କରୁଥିବା ଆଇନ ପ୍ରତ୍ୟାହାର ଆଦି ଦାବି ନେଇ ପଞ୍ଜାବ ଓ ହରିୟାଣାର କୃଷକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ମଧ୍ୟ ନଭେମ୍ବର ୨୫ରୁ ସେମାନେ ଦିଲ୍ଲୀ ସୀମାରେ ବସିଥିଲେ। ପରେ ଏହା ବ୍ୟାପକ ରୂପ ନେଇଥିଲା। ସରକାର ଏହାକୁ ଭଣ୍ଡୁର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ବିଫଳ ହୋଇଥିଲେ। ପରେ ପ୍ରାୟ ୧୩ ଥର କୃଷକ ସଂଗଠନଗୁଡ଼ିକ ସହ କରିଥିବା ଆଲୋଚନାରୁ ମଧ୍ୟ ସୁଫଳ ମିଳି ନ ଥିଲା। ଏମିତି କି ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ମଧ୍ୟ ଆନ୍ଦୋଳନକୁ ଦାବି ଦେଇପାରି ନ ଥିଲା। ଶେଷରେ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ଅଚାନକ ତିନି ବିବାଦୀୟ ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିଥିଲେ ଓ ୨୯ରେ ଏ ସଂକ୍ରାନ୍ତ ବିଧେୟକ ସଂସଦରେ ଗୃହୀତ ହୋଇଥିଲା। ଅନ୍ୟ ଦାବିଗୁଡ଼ିକ ମାନିନେବା ପାଇଁ ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନର ଅନ୍ତ ଘଟିଛି। ଏହି ବିଜୟ ପାଇଁ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅକାଳୀ ଦଳ ନେତ୍ରୀ ହର୍ଷିମରତ୍‌ କାଉର। ସେ ଉକ୍ତ ଆଇନକୁ ବିରୋଧରି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ଓ ତାଙ୍କ ଦଳ ଏନ୍‌ଡିଏରୁ ଓହରି ଯାଇଥିଲା।

Comments are closed.