ଖରିଫ ଧାନ କିଣା ପାଇଁ ଚାଷୀ ପଞ୍ଜୀକରଣ ଓ ଯାଞ୍ଚକୁ ଗୁରୁତ୍ୱ

ଶତପ୍ରତିଶତ ସଠିକ ତଥ୍ୟ ପାଇଁ ଯୁଗ୍ମ ଯାଞ୍ଚକାରୀ ଦଳ ଗଠନ ନିର୍ଦେଶ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରୁ ୨୦୨୧-୨୨ ଖରିଫ ଧାନ କିଣା ଆରମ୍ଭ ହେବ। ଏଥିପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନସଂଗ୍ରହକୁ ତ୍ରୁଟିଶୂନ୍ୟ କରିବାକୁ ସରକାର ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛନ୍ତି। ଏଥର ଯେପରି ରାଜ୍ୟର ଜଣେ ବି ପ୍ରକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ପଞ୍ଜୀକରଣ ଓ ଉପଯୁକ୍ତ ଯାଞ୍ଚ ପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାପାଳ ତଥା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଖରିଫ ଧାନ ସଂଗ୍ରହ ପାଇଁ ଜିଲାୱାରୀ ଚାଷୀ ପଞ୍ଜୀକରଣର ସମୀକ୍ଷା ଅବସରରେ ସେ ଏହା କହିଛନ୍ତି। ପ୍ରକୃତ ଚାଷୀଙ୍କ ସଂଖ୍ୟା ଏବଂ ସେମାନେ କେତେ ଜମିରେ ଧାନ ଫସଲ କରିଛନ୍ତି ସେ ସମ୍ପର୍କରେ ଶତପ୍ରତିଶତ ସଠିକ ତଥ୍ୟ ହାସଲ ପାଇଁ ଯଥେଷ୍ଟ ସଂଖ୍ୟକ ଯୁଗ୍ମ ଯାଞ୍ଚକାରୀ ଦଳ ଗଠନ କରିବାକୁ ସେ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। କ୍ଷେତ୍ର ସତ୍ୟାପିତ ନିମନ୍ତେ କୃଷି, ସମବାୟ, ରାଜସ୍ୱ ଏବଂ ଜଳସମ୍ପଦ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ନେଇ ଏହି ଯୁଗ୍ମ ଯାଞ୍ଚକାରୀ ଦଳ ଗଠନ କରାଯିବ। ସେମାନେ ଯାଞ୍ଚ କରି ଧାନସଂଗ୍ରହ ବ୍ୟବସ୍ଥାରେ ସାମିଲ ପ୍ରକୃତ ଚାଷୀଙ୍କ ତାଲିକା ପ୍ରଦାନ କରିବେ। ଫଳରେ ଜାଲିଆତି କରି ପଞ୍ଜୀକରଣ କରୁଥିବା ଜାଲ୍‌ ଚାଷୀ ପ୍ରକ୍ରିୟାରୁ ବାଦ ପଡ଼ିବେ। ମଧ୍ୟସ୍ଥିଙ୍କ ପ୍ରଭାବରୁ ଧାନସଂଗ୍ରହ ପ୍ରକ୍ର୍ରିୟା ମୁକ୍ତ ହୋଇପାରିବ। ପ୍ରକୃତ ଚାଷୀ ଧାନ ବିକ୍ରି ସୁଯୋଗ ପାଇବେ।
କ୍ଷେତ୍ରସ୍ତରରେ ପଞ୍ଜିକୃତ ଚାଷୀ ଦେଇଥିବା ତଥ୍ୟ ଯାଞ୍ଚ ସମୟରେ ସେମାନଙ୍କ ଜମିର କାଗଜପତ୍ର, କିସମ, ଫସଲ ଅଞ୍ଚଳ, ଜଳସେଚନ ସୁବିଧା ଅଛି କି ନା, ବ୍ୟାଙ୍କର ବିବରଣୀ ଓ ମୋବାଇଲ ନମ୍ବର ତନଖି କରାଯିବ। ସାଟେଲାଇଟ ଫଟୋରୁ ଧାନ ଫସଲ ହୋଇଥିବା ଅଞ୍ଚଳ ଚିହ୍ନଟ ସହ ଚାଷୀଙ୍କୁ ଅର୍ଥ ପ୍ରଦାନ ନେଇ ଥିବା ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କ ପିଏଫଏମଏସ କମ୍ପ୍ୟୁଟର ଆପ୍ଲିକେସନ ସହ ସଂଯୁକ୍ତ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ପଞ୍ଜୀକରଣ ପରେ ଚାଷୀଙ୍କ ମୋବାଇଲକୁ ବାର୍ତ୍ତା ପଠାଯିବ। ପଞ୍ଜୀକରଣ ଓ ଧାନସଂଗ୍ରହ ସମ୍ପର୍କରେ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଫୋନରେ ରେକର୍ଡିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ଖାଦ୍ୟ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି। ଟେଲିଫୋନ ଯୋଗେ ଅଭିଯୋଗ ଗ୍ରହଣ ପାଇଁ ୧୯୬୭ ନିଃଶୁଳ୍କ ଟେଲିଫୋନ ନମ୍ବର କାର୍ଯ୍ୟକ୍ଷମ କରାଯାଇଛି। ଅଭିଯୋଗ ପଞ୍ଜୀକରଣର ୨୪ ଘଣ୍ଟା ମଧ୍ୟରେ ଏହାର ସମାଧାନ କରାଯିବ। ଜୁଲାଇ ୧୫ ତାରିଖରୁ ପଞ୍ଜୀକରଣ ପାଇଁ ଫର୍ମ ପ୍ରଦାନ କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥର ପୁରୁଣା ପଞ୍ଜୀକରଣର ନବୀକରଣ କରାଯିବ ନାହିଁ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ସମ୍ପୂର୍ଣ୍ଣ ନୂତନ ଭାବେ ନାମ ପଞ୍ଜୀକରଣ କରିବାକୁ ହେବ। ଅଗଷ୍ଟ ୧୬ ତାରିଖ ସୁଦ୍ଧା ପ୍ରାଥମିକ ସମିତିରେ ଫର୍ମଦାଖଲ ଓ ପଞ୍ଜୀକରଣ କାର୍ଯ୍ୟ କରାଯିବ। ଏହାର କ୍ଷେତ୍ରସ୍ତରୀୟ ଯାଞ୍ଚ କାର୍ଯ୍ୟ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୧୮ ସୁଦ୍ଧା ପ୍ରାଥମିକ କୃଷି ସମବାୟ ସମିତି ସତ୍ୟାପିତ ତଥ୍ୟ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ)ରେ ଦେବେ। ସେପ୍ଟେମ୍ବର ୩୦ ସୁଦ୍ଧା ଧାନ ବିକ୍ରି ପାଇଁ ଇଚ୍ଛୁକ ଚାଷୀ ଓ ଭାଗଚାଷୀଙ୍କ ତାଲିକା ଚୂଡ଼ାନ୍ତ ହେବ।
ସୂଚନାଯୋଗ୍ୟ ଯେ ୨୦୨୦-୨୧ ଖରିଫ ଋତୁରେ ୧୭.୩୧ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଥିଲେ ଏବଂ ସେମାନଙ୍କ ଠାରୁ ୭୭.୩୩ ଲକ୍ଷ ମଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା। ୨୦୨୧-୨୨ ପାଇଁ ୨୮୫୭ ପ୍ରାଥମିକ ସମିତି ମାଧ୍ୟମରେ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୧.୭୪ ଲକ୍ଷ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ବୈଠକରେ ରାଜସ୍ୱ ବିଭାଗ ପ୍ରମୁଖ ସଚିବ, କୃଷି ସଚିବ, ନିର୍ଦେଶକଙ୍କ ସମେତ ଖାଦ୍ୟ ଯୋଗାଣ, କୃଷି ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲାପାଳ ଆଲୋଚନାରେ ଭାଗ ନେଇଥିଲେ।

Comments are closed.