ବିଶ୍ବ ପରିପ୍ରେକ୍ଷୀରେ କୃଷକଙ୍କ ପ୍ରତିବାଦ

ଉତ୍ସା ପଟ୍ଟନାୟକ

ତିନି କୃଷି ଆଇନ କୃଷକମାନଙ୍କ ଜୀବନ-ଜୀବିକା ଉପରେ ପ୍ରଭାବ ପକାଇବ, ଅଥଚ ସେମାନଙ୍କ ସହିତ କୌଣସି ଆଲୋଚନା ନକରି ଏହାକୁ ଅତି ତରବରିଆ ଭାବରେ ସଂସଦରେ ଗୃହୀତ କରାଯାଇ ଆଇନରେ ପରିଣତ କରାଯାଇଛି। ଏହା ବିରୁଦ୍ଧରେ କୃଷକଙ୍କ ପ୍ରତିବାଦ ଦୁଇ ମାସରୁ ଊର୍ଦ୍ଧ୍ବକାଳ ଧରି ଚାଲିଛି। ଏହି ଆନ୍ଦୋଳନର ଗୁରୁତ୍ୱ ରହିଛି। କେବଳ ନ୍ୟୂନତମ ସହାୟକ ମୂଲ୍ୟନେଇ ଏହି ଆନ୍ଦୋଳନ ନୁହେଁ, ଖାଦ୍ୟଶସ୍ୟର ସରକାରୀ ସଂଗ୍ରହ ଓ ବଣ୍ଟନର ସମଗ୍ର ବ୍ୟବସ୍ଥାର ଅସ୍ତିତ୍ୱ ନେଇ ଏହି ଆନ୍ଦୋଳନ। ଦେଶର ଶସ୍ୟଭଣ୍ଡାର ବୋଲି ବିବେଚିତ ଉତ୍ତର ଭାରତରେ ଖାଦ୍ୟଶସ୍ୟ ଉତ୍ପାଦନର ଅର୍ଥନୈତିକ ନିଶ୍ଚିତତା ଛଡ଼ା ଶସ୍ୟ ସଂଗ୍ରହ ଏବଂ ବଣ୍ଟନର ବ୍ୟବସ୍ଥା ଅବ୍ୟାହତ ରଖିବା କଷ୍ଟକର। ଅନେକ ଦୁର୍ବଳତା ସ​‌େ​‌ତ୍ତ୍ବ ଏହି ବ୍ୟବସ୍ଥା ଆମ ଜନସଂଖ୍ୟାର ବ୍ୟାପକ ଅଂଶର ସର୍ବନ୍ୟୂନ ଖାଦ୍ୟ ସୁରକ୍ଷାର ବ୍ୟବସ୍ଥାକୁ ବଜାୟ ରଖିଛି।

ଶିଳ୍ପସମୃଦ୍ଧ ଆମେରିକା, କାନାଡ଼ା, ଇଉରୋପୀୟ ୟୁନିୟନ ପ୍ରଭୃତି ଦେଶଗୁଡ଼ିକ ଗ୍ରୀଷ୍ମମଣ୍ଡଳୀୟ କୃଷି କରିପାରନ୍ତି ନାହିଁ କି ଜୈବିକ ସାର ପ୍ରୟୋଗ କରି ଗ୍ରୀଷ୍ମମଣ୍ଡଳୀୟ ଶସ୍ୟ ଉତ୍ପାଦନ କରିପାରନ୍ତି ନାହିଁ; ଅଥଚ ସେମାନଙ୍କର ନିଜ ଦେଶରେ ଏହାର ପ୍ରଚୁର ଚାହିଦା ରହିଛି। ଅନ୍ୟ ଦିଗରେ ସେମାନଙ୍କର ବିପୁଳ ପରିମାଣର ଶସ୍ୟ ଓ ଦୁଗ୍ଧଜାତ ଦ୍ରବ୍ୟର ଫାର୍ମ (ଡାଇରି) ରହିଛି। ଜଳବାୟୁ କାରଣରୁ ସେମାନଙ୍କର ଏକଫସଲି ଜମିରେ ଯାହା କିଛି ଉତ୍ପାଦିତ ହୋଇଥାଏ, ଯାହାର ରପ୍ତାନି ପାଇଁ ବଜାର ଦରକାର। ଦୁଇ ଦଶକରୁ ବେଶି କାଳଧରି ସେମାନେ ବିକାଶଶୀଳ ଦେଶଗୁଡ଼ିକ ଉପରେ ନିରନ୍ତର ଚାପ ସୃଷ୍ଟି କରି ଆସିଛନ୍ତି, ପରିଣାମତଃ ସେ ସମସ୍ତ ଦେଶର କୃଷକ ସରକାରୀ ଶସ୍ୟ ସଂଗ୍ରହକୁ ପରିତ୍ୟାଗ କରିଛନ୍ତି। ଉନ୍ନତ ଦେଶଗୁଡ଼ିକରୁ କ୍ରୟ କରିବେ ଏବଂ ନିଜ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଜମିକୁ ଚୁକ୍ତିଚାଷରେ ଲଗାଇବେ, ଯେଉଁଥିରେ ରପ୍ତାନୀଯୋଗ୍ୟ ଶସ୍ୟ ଅମଳ ହେବ। ଶିଳ୍ପୋନ୍ନତ ଦେଶଗୁଡ଼ିକର ଆବଶ୍ୟକ ହେଉଥିବା ଶସ୍ୟ ଉତ୍ପାଦନ ସେମାନେ ନିଜେ କରି ପାରୁନାହାନ୍ତି, ଯାହା ବଜାର ପାଇଁ ଆବଶ୍ୟକ ତାହା ହିଁ କରିଥାଆନ୍ତି। ସଂକ୍ଷେପରେ ସେମାନେ ଔପନିବେଶିକ ଯୁଗର ଅର୍ଥନୈତିକ ବ୍ୟବସ୍ଥା ପୁନରାବୃତ୍ତି କରିବାକୁ ଚାହାନ୍ତି।

ଫିଲିପାଇନ୍ସଠାରୁ ବୋତ୍ସୱାନା ପର୍ଯ୍ୟନ୍ତ ବହୁ ଦେଶ ଏହି ଚାପ ପାଖରେ ନତିସ୍ୱୀକାର କରିଛନ୍ତି। ଯେତେବେଳେ ଆମେରିକା ଏବଂ ଇଉରୋପୀୟ ୟୁନିୟନରେ ଶସ୍ୟକୁ ଇଥାନଲ୍‍ ପ୍ରସ୍ତୁତି ପାଇଁ ବ୍ୟବହାର କରିବା ଆରମ୍ଭ ହେଲା, ସେତେବେଳେ ଏହି ସବୁ ଦେଶକୁ ବେଶ୍‍ ଚଢ଼ାମୂଲ୍ୟ ଦେବାକୁ ପଡ଼ିଛି। ୨୦୦୨ ମସିହା ଶେଷ ବେଳକୁ ବିଶ୍ୱରେ ଶସ୍ୟର ମୂଲ୍ୟ ମାତ୍ର କେତେ ମାସ ମଧ୍ୟରେ ତିନିଗୁଣ ହୋଇଯାଇଛି। ଆମଦାନୀ-ନିର୍ଭର ୩୭ଟି ଦେଶରେ ଖାଦ୍ୟଦଙ୍ଗା ହୋଇଥିଲା ଏବଂ ସହରର ଲୋକମାନେ ଗଭୀର ଦାରିଦ୍ର୍ୟ ଭିତରକୁ ଚାଲିଯାଇଥିଲେ। ବିକାଶଶୀଳ ବିଶ୍ୱରେ ଖାଦ୍ୟ ସୁରକ୍ଷା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସାରା ବିଶ୍ୱ ବଜାରର ଉଠାପକା ଉପରେ ତାହାକୁ ଛାଡିଦିଆଯାଇ ପାରିବ ନାହିଁ; କିନ୍ତୁ ଖାଦ୍ୟ ସୁରକ୍ଷା ପାଇଁ ସେମାନଙ୍କ ସରକାରୀ ଶସ୍ୟ ଭଣ୍ଡାରର ମହଜୁଦ ଉପରେ ଅବିରତ ଚାପ ପଡ଼ୁଛି। ଏକ ଦଶକପୂର୍ବେ ଖାଦ୍ୟର ଅଭାବୀ ସୀମାରୁ କୌଣସି ମତେ ଭାରତ ଉଠିଆସିଥିଲା। ୨୦୦୮ର ପୂର୍ବ ଛଅବର୍ଷ ପର୍ଯ୍ୟନ୍ତ ଖାଦ୍ୟ ସଂଗ୍ରହ ସ୍ଥିର ରହିଥିଲା। ଏହା ପରେ ସଂଗ୍ରହର ମୂଲ୍ୟ ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି କରାଯାଇଥିଲା। ୨୦୦୮ରେ ପଞ୍ଜାବରେ ଶସ୍ୟ ଉତ୍ପାଦନ ପ୍ରାୟ ଗୋଟିଏ ବିନ୍ଦୁରେ ସ୍ଥିର ରହିବା ପରେ ପୁଣି ବୃଦ୍ଧି ପାଇଥିଲା; କିନ୍ତୁ ଖାଦ୍ୟଶସ୍ୟ ବଣ୍ଟନ କ୍ଷେତ୍ରରେ ପ୍ରକୃତ ଗରିବଙ୍କ ମଧ୍ୟରୁ ଅନେକେ ବିପିଏଲ୍‍ ରାସନକାର୍ଡ଼ ପାଇବାରୁ ବଞ୍ଚିତ ହୋଇଥିଲେ, ଫଳରେ ଖାଦ୍ୟଶସ୍ୟ କ୍ରୟ କମିଯାଇଥିଲା। ୨୦୧୬ରେ ନୋଟ୍‍ ଅଚଳ ଏବଂ ୨୦୨୦ର ମହାମାରୀରେ କର୍ମହୀନତା ବୃଦ୍ଧି ପାଇବା ଫଳରେ ମୋଟ ଚାହିଦା ଐତିହାସିକ ଭାବରେ ନିମ୍ନସ୍ତରରେ ପହଞ୍ଚିଛି।
ଆମର କୃଷକମାନେ ଅନ୍ୟାୟ ବାଣିଜ୍ୟର ଶିକାର ହେଉଛନ୍ତି। ବିଶ୍ୱ ବଜାରରେ ମୂଲ୍ୟର ଉଠାପକାର ଶିକାର ହେଉଛନ୍ତି। ଋଣ ପରିଶୋଧ କରିପାରୁନାହାନ୍ତି। ଆର୍ଥିକ ଦୁର୍ଦଶାରେ ପଡ଼ୁଛନ୍ତି। ପଞ୍ଜାବର ଗୋଟିଏ ଗ୍ରାମରେ ୫୯ ଜଣ ବିଧବା ମହିଳା ଅଛନ୍ତି, ଯେଉଁମାନଙ୍କ କୃଷକ ସ୍ୱାମୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ବିକାଶଶୀଳ ଦେଶଗୁଡ଼ିକ ଉପରେ ଅନ୍ୟାୟ ବେପାର ବାଣିଜ୍ୟ ଲଦି ଦିଆଯାଇଛି। ୧୯୯୦ର ମଧ୍ୟଭାଗଠାରୁ ଉନ୍ନତ ଦେଶଗୁଡ଼ିକ ସେମାନଙ୍କ ନିଜର ମୂଲ୍ୟ ବାବଦ ସହାୟତାକୁ ନଗଦ ହସ୍ତାନ୍ତର ଆକାରରେ ବିପୁଳ ପରିମାଣର ଅନୁଦାନରେ ରୂପାନ୍ତରିତ କରୁଛନ୍ତି। କୃଷି ସଂକ୍ରାନ୍ତ ଚୁକ୍ତିରେ ଏହି ଅଂଶଟି ସେମାନେ ନିଜର ସ୍ୱାର୍ଥପାଇଁ ବାଦ୍‍ରଖିବାକୁ ଚାହିଁଥିଲେ। ଲେଖାହୋଇଥିଲା– “ହ୍ରାସ କରିବାର ଦାୟବଦ୍ଧତା ରହିବ ନାହିଁ।” ଏହି ସୂକ୍ଷ୍ମ ଅଂଶଟିର ଅର୍ଥ କ’ଣ? ତାହା ଭଲଭାବେ ନବୁଝି ଭାରତ ସମେତ ବିକାଶଶୀଳ ଦେଶଗୁଡ଼ିକ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଆମେରିକା ଯୁକ୍ତରାଷ୍ଟ୍ରରେ ଏହି ନଗଦ ସବ୍‍ସିଡ଼ି ଦିଆଯାଇଥାଏ ୨୨ ଲକ୍ଷ କୃଷକଙ୍କୁ ଯାହାର ପରିମାଣ ଆମେରିକାର ବାର୍ଷିକ କୃଷି ଉତ୍ପାଦନର ଅର୍ଦ୍ଧେକ ବା ତା’ଠାରୁ ବେଶି ଅଥଚ ଏହି ରାଶି ମାର୍କିନ୍‍ ବଜେଟ୍‍ର ମାତ୍ର ୧ ପ୍ରତିଶତ। ଭାରତରେ ଆମର ୧୨କୋଟି କୃଷକଙ୍କ ମୋଟ ଉତ୍ପାଦନର ଏକ ଚତୁର୍ଥାଂଶର ମୂଲ୍ୟ କେନ୍ଦ୍ର ସରକାରଙ୍କ ସମଗ୍ର ବାର୍ଷିକ ବଜେଟ୍‍ର ୫୦ ପ୍ରତିଶତରୁ ବେଶି। ଆମେରିକାରେ ଅନୁସୃତ ପଦ୍ଧତି ଅର୍ଥନୈତିକ ଦିଗରୁ ଆମ ଦେଶରେ ଅସମ୍ଭବ ଏବଂ ପ୍ରଶାସନିକ ବ୍ୟବସ୍ଥା ଦୃଷ୍ଟିରୁ ମଧ୍ୟ ଦୁଃସ୍ୱପ୍ନ ପରି।

ଆନ୍ଦୋଳନକାରୀ କୃଷକମାନେ ସ୍ପଷ୍ଟଭାବେ କହିଛନ୍ତି ସେମାନେ କିଛି ଟଙ୍କା ନଗଦ ଚାହାନ୍ତି ନାହିଁ। ସେମାନେ ଚାହାନ୍ତି ଦେଶପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ସେମାନେ ଉତ୍ପାଦନ କରୁଛନ୍ତି, ତାହାର ନ୍ୟାୟସଙ୍ଗତ ମୂଲ୍ୟ, ଯଦ୍ଦ୍ବାରା କୃଷକମାନଙ୍କ ଫସଲ ଉତ୍ପାଦନର ବ୍ୟୟ ଉଠିଯିବ ଏବଂ ମୋଟାମୋଟି ଏକ ସୁଖମୟ ଜୀବନ ଯାପନ କରିହେବ। ଭାରତୀୟ ପରିସ୍ଥିତିରେ କୃଷି ଓ କୃଷକ ବଞ୍ଚିବା ପାଇଁ ଫସଲର ସହାୟକ ମୂଲ୍ୟ ହିଁ ଏକମାତ୍ର ସମ୍ଭବପର ପଥ। ପଞ୍ଜାବର ଭୂଗର୍ଭରେ ଜଳସ୍ତର କମିଯିବା ଏକ ବାସ୍ତବ ସମସ୍ୟା ଯାହାର ସମାଧାନ କରାଯାଇପାରେ ଉନ୍ନତତର କୃଷି ଅର୍ଥନୈତିକ ପଦ୍ଧତି ଅବଲମ୍ବନ କରି, ରାଇସ୍‍ ଇଣ୍ଟୋସିଫିକେସନ ବ୍ୟବସ୍ଥା ପରି ପଦ୍ଧତି ପ୍ରୟୋଗ କରାଯାଇ। ଧାନ ଉତ୍ପାଦନ ହ୍ରାସ କରିବା କୌଣସି ବିକଳ୍ପ ସମାଧାନ ନୁହେଁ। ମୁଣ୍ଡ ବିନ୍ଧିଲେ କେହି ମୁଣ୍ଡକାଟି ଉପଶମ କରନ୍ତି ନାହିଁ। କୃଷି ସଂକ୍ରାନ୍ତ ଚୁକ୍ତିରେ ଏହି ମୂଲ୍ୟ ସହାୟତାକୁ ଉନ୍ନତ ଦେଶଗୁଡ଼ିକ ଏକତରଫା ଏବଂ ଅବାସ୍ତବ ଗଣନା ପଦ୍ଧତିରେ ଅନ୍ତର୍ଭୁକ୍ତ କରିଛନ୍ତି। ୨୦୧୮ ମେ ମାସରେ ଆମେରିକା ଯୁକ୍ତରାଷ୍ଟ୍ର ବିଶ୍ୱ ବାଣିଜ୍ୟ ସଂସ୍ଥା ନିକଟରେ ଭାରତ ବିରୁଦ୍ଧରେ ଅଭିଯୋଗ କରିଥିଲା ଯେ, ଭାରତରେ ଫସଲର ସହାୟକ ମୂଲ୍ୟ ବେଶି ଦିଆଯାଉଛି। ଯେହେତୁ ୧୯୮୬-୮୮ର ହାରାହାରି ହିସାବରେ ତାହା ଦିଆଯାଉଛି, ସେହି ସମୟର ଡଲାର ପ୍ରତି ମୂଲ୍ୟ ୧୨ଟଙ୍କା ୬୦ ପଇସା ହୋଇଥିବାରୁ ୨୦୧୩-୧୪ ରେ ଭାରତର ସହାୟକ ମୂଲ୍ୟ ଧାନ କ୍ଷେତ୍ରରେ ୨୩୫ଟଙ୍କା, ଗହମ କ୍ଷେତ୍ରରେ ୩୫୪ଟଙ୍କା ହେବା ଉଚିତ। ପ୍ରକୃତ ସହାୟକ ମୂଲ୍ୟ ଥିଲା ଧାନ ଓ ଗହମ କ୍ଷେତ୍ରରେ ଯଥାକ୍ରମେ ୧୩୪୮ ଓ ୧୩୪୬ ଟଙ୍କା। ଅର୍ଥାତ୍‍ କୁଇଣ୍ଟାଲ ପ୍ରତି ପାର୍ଥକ୍ୟ ୧ ହଜାର ଟଙ୍କାରୁ ବେଶି। ୨୦୧୩-୧୪ରେ ଧାନ ଓ ଗହମର ମୋଟ ଉତ୍ପାଦନ ଦେଢ଼ଗୁଣ କରିଲେ ହୁଏ ମୋଟ ମୂଲ୍ୟର ୭୭ ପ୍ରତିଶତ ଓ ୬୭ ପ୍ରତିଶତ। ଆମେରିକା ଯୁକ୍ତରାଷ୍ଟ୍ରର ଦାବି ଅନୁସାରେ ୧୦ ପ୍ରତିଶତଠାରୁ ଏହା ଅନେକ ବେଶି, ସୁତରାଂ ଚୁକ୍ତି ଲଙ୍ଘନ କରାଯାଉଛି।

ଦୁଇମାସ ପୂର୍ବେ ଆମେରିକା ଯୁକ୍ତରାଷ୍ଟ୍ର ଭାରତକୁ ନୂତନ ପ୍ରଶ୍ନ ପଠାଇଛି। କୃଷି ସଂକ୍ରାନ୍ତ ଚୁକ୍ତିରେ ଯେତେ ରକମ ଅସହ୍ୟ ଓ ଅବାସ୍ତବ ନିୟମ ସବୁ ରଖାଯାଇଛି, ବିକାଶଶୀଳ ଦେଶଗୁଡ଼ିକୁ ଚାପ ଦେବା ଲକ୍ଷ୍ୟରେ ଏହା କରାଯାଇଛି। ଆମର କୃଷକମାନେ ବିଶ୍ୱରେ ସବୁଠାରୁ କମ୍‍ ଖର୍ଚ୍ଚରେ ଉତ୍ପାଦନ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ୨୦୧୩-୧୪ ର ସହାୟକ ଚାଲୁ ବିନିମୟ ମୂଲ୍ୟ ଡଲାର ପ୍ରତି ୬୦ଟଙ୍କା ୫୦ ପଇସା ଥିଲା ଯାହା ବିଶ୍ୱର ମୂଲ୍ୟଠାରୁ ଅନେକ କମ୍‍। ଏହାର ଅର୍ଥ ହେଉଛି ପ୍ରକୃତ ସହାୟତା ଥିଲା ଶୂନ୍ୟ।
ସଂପ୍ରତି ସାରା ବିଶ୍ୱରେ ଚାହିଦା କମିଛି। ଗହମ ଓ ଚାଉଳର ମୂଲ୍ୟ ଅଭୂତପୂର୍ବ ଭାବେ ତଳକୁ ଖସିଯାଇଛି। ଉନ୍ନତ ଦେଶଗୁଡିକର କୃଷି ସବ୍‍ସିଡ଼ି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମାନଙ୍କ ଶସ୍ୟ ଆମ ବଜାରରେ ଆଣି ଗଦାକରିବା ପାଇଁ ସେମାନେ ବ୍ୟସ୍ତ ହୋଇ ଉଠିଛନ୍ତି। ପ୍ରତିବାଦୀ କୃଷକମାନେ ଠିକ୍‍ଭାବେ ଦେଶୀୟ କର୍ପୋରେଟ୍‍ ସଂସ୍ଥାଗୁଡ଼ିକୁ ନୂତନ ଆଇନର ସମ୍ଭାବ୍ୟ ହିତାଧିକାରୀ ଭାବରେ ଚିହ୍ନିତ କରିଛନ୍ତି। ତେବେ ବୈଦେଶିକ କୃଷିବାଣିଜ୍ୟରେ କର୍ପୋରେଟ୍‍ ସଂସ୍ଥାଗୁଡିକ ଆମ କୃଷକମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଭୟଙ୍କର ବିପଦର ସମ୍ମୁଖୀନ।

ପଞ୍ଜାବ ଏବଂ ହରିୟାଣାର ବିଦେଶୀ କୃଷି ବାଣିଜ୍ୟ ସଂସ୍ଥା ସହ ଚୁକ୍ତିଭିତ୍ତିକ ଚାଷର ତିକ୍ତ ଅଭିଜ୍ଞତା ଆମ କୃଷକମାନଙ୍କର ରହିଛି। ସେମାନେ କହନ୍ତି ଶକ୍ତିମାନ, ଅବୟବହୀନ ଘରୋଇ ସଂସ୍ଥା ସହ ସଂପୃକ୍ତ ହେବାକୁ ସେମାନେ ଚାହାନ୍ତି ନାହିଁ। ସେମାନେ ମୂଲ୍ୟ ଏବଂ ପରିମାଣର ଚୁକ୍ତିଠାରୁ ଯେତେବେଳେ ନାହିଁ ସେତେବେଳେ ଦୂରେଇ ଯାଆନ୍ତି। ନିଜ ସୁବିଧା ଦେଖି ବ୍ୟବହାର ପ୍ରଦର୍ଶନ କରନ୍ତି। ଯେତେ କର୍ମଦକ୍ଷତା କମ୍‍ ହେଉ ପଛେ, ମୂଲ୍ୟ ଦେବା କ୍ଷେତ୍ରରେ ବିଳମ୍ବ ହେଲେ ମଧ୍ୟ ଏବେ କୃଷକମାନେ ନିର୍ଦ୍ଧାରିତ ନ୍ୟୂନତମ ସହାୟକ ମୂଲ୍ୟରେ ସରକାରୀ ଏଜେଣ୍ଟଙ୍କ ପାଖରେ ଉତ୍ପାଦିତ ଫସଲ ବିକ୍ରି କରିବାକୁ ଚାହାନ୍ତି। ସେମାନେ ମନେକରନ୍ତି ଯେ ନୂତନ ଆଇନରେ ବଜାର ନିୟନ୍ତ୍ରଣ ଉଠାଇ ଦେବାର ଯେଉଁ କଥା କୁହାଯାଇଛି, ତାହାଦ୍ୱାରା ଦେଶୀ ଓ ବିଦେଶୀ ବାଣିଜ୍ୟିକ ସଂସ୍ଥାର ପ୍ରବେଶ ପାଇଁ ଦ୍ୱାର ଖୋଲି ଦିଆଯାଇଛି, ତାହା ମଧ୍ୟ ସରକାରୀ ସଂଗ୍ରହ ଓ ନ୍ୟୂନତମ ସହାୟକ ମୂଲ୍ୟର ସମଗ୍ର ବ୍ୟବସ୍ଥାକୁ ଗୁରୁତର ଭାବରେ ଦୁର୍ବଳ କରିଦେବ। କୃଷକମାନେ ବ୍ୟାପାରଟିକୁ ଠିକ୍‍ ଧରିଛନ୍ତି।

ଭାରତରେ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ଅନେକ ମନେ କରନ୍ତି ଯେ, ଉନ୍ନତ ଦେଶଗୁଡିକରୁ ଅନୁଦାନପ୍ରାପ୍ତ ଶସ୍ୟ ଆମଦାନୀ କଲେ ଏଠାକାର ଗରିବ କ୍ରେତାମାନେ ଲାଭବାନ ହେବେ। ସେମାନେ ଭୁଲି ଯାଉଛନ୍ତି ଯେ ଉନ୍ନତଦେଶଗୁଡ଼ିକରେ କ୍ରମାଗତ “ସବୁଜ ଜାଳେଣି” ନାମରେ ଶସ୍ୟକୁ ଆହୁରି ବେଶି ପରିମାଣରେ ଇଥାନଲ୍‍ରେ ରୂପାନ୍ତର ପାଇଁ ଜୋରଦାର ଦାବି ଉଠୁଛି। ସୁତରାଂ ଯଦି ଆଜି କମ୍‍ ମୂଲ୍ୟରେ ଶସ୍ୟର ଆମଦାନୀ ପାଇଁ ଅନୁମତି ଦିଆଯାଏ, ତାହାହେଲେ କେବଳ ଆମର କୃଷକମାନେ ଯେ ଧ୍ୱଂସ ହୋଇଯିବେ ତାହା ନୁହେଁ, ଏହା ଉତ୍କଟ ଦରବୃଦ୍ଧି ମଧ୍ୟ ଘଟାଇବ। ଏହା ଫଳରେ ସହରମାନଙ୍କର ଦୁର୍ଦଶା ବଢ଼ିବ, ଯେପରି ଆମଦାନୀ-ନିର୍ଭର ବିକାଶଶୀଳ ଦେଶଗୁଡ଼ିକ କ୍ଷେତ୍ରରେ ପୂର୍ବରୁ ଘଟିଛି। ଆମର ପରିଶ୍ରମୀ କୃଷକ ଏବଂ ଦାରିଦ୍ର୍ୟ ପ୍ରପୀଡ଼ିତ କ୍ରେତାଙ୍କ ପାଇଁ ଯେଉଁମାନଙ୍କର ସାମାନ୍ୟତମ ଉଦ୍‍ବେଗ ରହିଛି, ସେମାନେ ସମସ୍ତେ ଦେଶୀବିଦେଶୀ ବେପାରୀଙ୍କ ମୁନାଫାଚକ୍ରର କୌଶଳ ବିରୋଧରେ ଯାଇ କୃଷକଙ୍କ ଦାବିକୁ ଅବଶ୍ୟ ସମର୍ଥନ କରିବେ।
ଇଂରାଜୀରୁ ଭାଷାନ୍ତର: ରମେଶଚନ୍ଦ୍ର ପାଢ଼ୀ
ମୋ.ନଂ: ୯୫୮୩୬୧୭୧୮୩

Comments are closed.