ରାଜ୍ୟରେ କୃଷକଙ୍କ ସଂଖ୍ୟା ବଢ଼ିଛି

୨୦୨୧ ଜନଗଣନା ପରେ ସଠିକ ଆକଳନ ସମ୍ଭବ: ମନ୍ତ୍ରୀ

ଭୁବନେଶ୍ୱର : ଜନଗଣନା ଆଧାରରେ କେଉଁ ବର୍ଗ​‌ରେ କେତେ ବ୍ୟକ୍ତି ଅଛନ୍ତି ତାହା ଜଣାପଡ଼ିଥାଏ। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୬ ଲକ୍ଷ ଲୋକ କୃଷି ଉପରେ ନିର୍ଭର କରୁଥିଲେ। ସେମାନଙ୍କ ମଧ୍ୟରେ ୩୨.୮୦ଲକ୍ଷ କୃଷକ ଥିବା ବେଳେ ୨୪.୨୦ଲକ୍ଷ କୃଷି ଶ୍ରମିକ ଥିଲେ। ୨୦୨୧ରେ ପରବର୍ତ୍ତୀ ଜନଗଣନା ହେଲେ ରାଜ୍ୟରେ କେତେ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି ତା’ର ସଠିକ ଆକଳନ ସମ୍ଭବ ହେବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଅରୁଣକୁମାର ସାହୁ ଏହା କହିଛନ୍ତି। ତେବେ ଶାସକ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ୨୦୦୧ରୁ ୨୦୧୧ ମଧ୍ୟରେ ଜନସଂଖ୍ୟା ଏବଂ ଉତ୍ପାଦନ ବଢ଼ିଥିବାରୁ କୃଷକଙ୍କ ସଂଖ୍ୟା ନିଶ୍ଚୟ ବଢ଼ିଛି। ଏ ସମ୍ପର୍କିତ ତଥ୍ୟ ସେ ବିଧାୟକଙ୍କୁ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ୨୦୧୦ ବେଳକୁ କେତେ ଲୋକ କୃଷି ଉପରେ ନିର୍ଭର କରୁଥିଲେ ଏବଂ ୨୦୧୯ରେ ସେମାନଙ୍କ ସଂଖ୍ୟା କେତେ ହ୍ରାସ ପାଇଛି ବୋଲି ଯାହା ପ୍ରଶ୍ନ ପଚରାଯାଇଛି ମନ୍ତ୍ରୀ ତା’ର ସଠିକ ଉତ୍ତର ନଦେବା ଘଟଣାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ମୂଳ ପ୍ରଶ୍ନକୁ ନଆସି ମନ୍ତ୍ରୀ ଜନଗଣନା ପ୍ରସଙ୍ଗ ଉଠାଇ ଭୁଆଁ ବୁଲାଉଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ। ଉତ୍ତର ନୈରାଶ୍ୟଜନକ କହିବା ସହ ମନ୍ତ୍ରୀଙ୍କ ପାଖରେ ତଥ୍ୟ ନଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ରାଜ୍ୟରେ କେତେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ଅଛନ୍ତି ତାହା ନଜାଣି ସରକାର କିପରି କାଳିଆ ଯୋଜନା କରିଛନ୍ତି ସେ ନେଇ ସେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା କାଳିଆ ଯୋଜନା ସମଗ୍ର ଦେଶ ପାଇଁ ଦିଗଦର୍ଶନ ହୋଇଛି। ଏପର୍ଯ୍ୟନ୍ତ ୫୦ଲକ୍ଷ କୃଷକଙ୍କୁ ଯୋଜନାରେ ସହାୟତା ପ୍ରଦାନ କରାଗଲାଣି। ଏହାକୁ ୭୫ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ହିତାଧିକାରୀଙ୍କ ମଧ୍ୟରେ ୬୦ ହଜାରର ଅଧିକ ଭାଗ ଚା​‌ଷୀ ଅଛନ୍ତି ବୋଲି ​ସେ ସୂଚନା ଦେଇଥିଲେ।
ଆଜି ଥିଲା ଷୋଡ଼ଶ ବିଧାନସଭା ପ୍ରଥମ ଅଧିବେଶନର ଦ୍ବିତୀୟ ଦିବସ। କୃଷି ସମ୍ପର୍କିତ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ପ୍ରଶ୍ନକାଳ। କୃଷି ଓ କୃଷକଙ୍କ ଉପରେ ବେଶ ସମୟ ଧରି ଚାଲିଥିଲା ଆଲୋଚନା। ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ସରକାରଙ୍କ କୃଷି ନୀତି ଯୋଗୁଁ ବହୁ କୃଷକ ପରିବାର ଚାଷ ଛାଡୁଥିବା ନେଇ ବିଧାୟକ ଶ୍ରୀ ବାହିନୀପତି ଯେଉଁ ଅଭିଯୋଗ କରିଛନ୍ତି ତାହା ସତ୍ୟ ନୁହେଁ। ସେହିପରି ଶିକ୍ଷିତ ଯୁବକମାନଙ୍କୁ କୃଷି କ୍ଷେତ୍ରକୁ ଆଣିବା ପାଇଁ ସରକାର ଯେଉଁ ଉଦ୍ୟମ କରିଛନ୍ତି ତାହା ଆଦୌ ବିଫଳ ହୋଇନାହିଁ। ଆପିକଲ ମାଧ୍ୟମରେ ୬୩ କିସମର କୃଷିଭିତ୍ତିକ ପ୍ରକଳ୍ପ ଉପରେ ସହାୟତା ପ୍ରଦାନ କରୁଛି। କୃଷିଭିତ୍ତିକ ଉଦ୍ୟୋଗରେ ୯୩୪ଜଣ ପ୍ରତ୍ୟକ୍ଷ ଓ ୩୭୩୬ଜଣ ପରୋକ୍ଷରେ ଆତ୍ମ ନିଯୁକ୍ତି ପାଇଛନ୍ତି।
ସେହିପରି କୃଷି ସେବା କେନ୍ଦ୍ର ଜରିଆରେ ୨୫୮୭ଜଣ ପ୍ରତ୍ୟକ୍ଷ ଓ ୧୦,୩୪୮ଜଣ ପରୋକ୍ଷରେ ଆତ୍ମନିଯୁକ୍ତି ପାଇପାରିଛନ୍ତି। କୃଷି ବିକାଶକୁ ଗୁରୁତ୍ବ ଦେଇ ସରକାର ସ୍ବତନ୍ତ୍ର ବଜେଟ ଆଣୁଥିବା ସେ ପ୍ରକାଶ କରିଥିଲେ। କାଳିଆ ଯୋଜନାରେ ଆବେଦନକାରୀଙ୍କ ଦରଖାସ୍ତ ଯାଞ୍ଚ କରାଯାଉଛି। କିଛି ଦିନ ଭିତରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ ହୋଇପାରିବ। କୃଷି ବିକାଶ ପାଇଁ ସମନ୍ବୟ ବୈଠକ ସଂକ୍ରାନ୍ତ ବିଧାୟକ ସୁରେଶକୁମାର ରାଉତରାୟଙ୍କ ପ୍ରସ୍ତାବକୁ ମନ୍ତ୍ରୀ ଶ୍ରୀ ସାହୁ ଗ୍ରହଣ କରିଥିଲେ।
ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅଶ୍ବିନୀକୁମାର ପାତ୍ର, ଭାସ୍କର ମଢ଼େଇ, ପ୍ରଫୁଲ୍ଲ ସାମଲ ପ୍ରମୁଖ ଭାଗ ନେଇଥିଲେ।

Comments are closed.