ସର୍ବନିମ୍ନ ତାପମାତ୍ରାକୁ କୃଷକଙ୍କ ବେଖାତିର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ତାପମାତ୍ରା ଶନିବାର ସର୍ବନିମ୍ନସ୍ତରରେ ପହଞ୍ଚିଛି। ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ଶନିବାର ସକାଳେ ଏଠାରେ ୩.୯ ଡିଗ୍ରୀ ତାପମାତ୍ରା ରହିଥିଲା। କେତେକ ସ୍ଥାନରେ ଏହା ୩.୩ ଓ ୩.୪ ଡିଗ୍ରୀ ରହିଥିଲା। ଏହା ଥିଲା ଚଳିତ ଶୀତଋତୁ​‌େ​‌ର ସର୍ବନିମ୍ନ। ଥଣ୍ଡା ସହିତ ଘନ କୁହୁଡ଼ି ଯୋଗୁଁ ପୁଲିସ ଗାଡ଼ିଗୁଡ଼ିକୁ ଅନ୍ୟ ରାସ୍ତା​ କଢ଼ାଇଥିଲା। ଏହାକୁ ଖାତିର ନ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଇତିମଧ୍ୟରେ ଆନ୍ଦୋଳନ ୨୪ଦିନରେ ପହଞ୍ଚିଛି।
ଏହି ଅବସରରେ ‘ଟିମ୍‌ ଭଗତ ସିଂହ’ ନାମରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ସିଙ୍ଘୁ ସୀମାସ୍ଥିତ ଆନ୍ଦୋଳନ ସ୍ଥଳରେ ପହଞ୍ଚିଛନ୍ତି। ଏମାନେ ସମସ୍ତେ ଆନ୍ଦୋଳନରତ ଚାଷୀ ବା ​‌େ​‌ସମାନଙ୍କର ସମର୍ଥକଙ୍କ ସନ୍ତାନ। ସେମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କୁ ସମର୍ଥନ ଜଣାଇଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ସେଠାରେ ଚିତ୍ର ଆଙ୍କୁଥିବା ଦେଖାଯାଇଛି।
ଅପରପକ୍ଷରେ କୃଷକ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନର ଜବାବ ରଖିଛନ୍ତି। ସମ୍ବେଦନଶୂନ୍ୟ ସରକାରଙ୍କ ଅର୍ଥହୀନ ଆଲୋଚନା ବାରମ୍ବାର ବିଫଳ ହେଉଛି। ଏଭଳି କ୍ଷେତ୍ରରେ ଆଲୋଚନାର ପ୍ରଶ୍ନ ଉଠୁ ନାହିଁ ବୋଲି ସେମାନେ କହିଛନ୍ତି। ଅନ୍ୟ ଏକ ଘଟଣାରେ ରାଜସ୍ଥାନର ଏନ୍‌ଡିଏ ସହଯୋଗୀ ସାଂସଦ ହନୁମାନ ବେଣୀୱାଲ କୃଷକ ଆନ୍ଦୋଳନକୁ ସମର୍ଥ କରି ତିନିଟି ସଂସଦୀୟ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Comments are closed.