ଫେଲ ମାରିଲା ବୈଠକ – ମୌନବ୍ରତରେ କୃଷକ, ନାଚାର କୃଷିମନ୍ତ୍ରୀ

- ଡିସେମ୍ବର ୯ରେ ପୁଣି ବୈଠକ

ଆଜି କୃଷି ଆଇନକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ବିଫଳ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ବୈଠକରୁ କୌଣସି ନିଷ୍କର୍ସ ମିଳିପାରିନାହିଁ। କୃଷକମାନେ ସେମାନଙ୍କ ଜିଦରେ ଅଟଳ ରହିଥିବା ବେଳେ କୃଷିମନ୍ତ୍ରୀ ସମାଧାନ ହେବା ଭଳି କୌଣସି ପ୍ରତିଶୃତି ଦେଇପାରିନାହାନ୍ତି।

ଆଜି ବୈଠକ ସମୟରେ କୃଷକ ଗୋଷ୍ଠୀ ମୌନ ବ୍ରତ ଧାରଣ କରିଥିଲେ ଓ ସରକାରଙ୍କ ଠାରୁ ‘ହଁ’ କି ‘ନାଁ’ରେ ଉତ୍ତର ଚାହିଁଥିଲେ। ପ୍ରଦର୍ଶନକାରୀ କୃଷକ ଗୋଷ୍ଠୀଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି କୃଷି ଆଇନ ପ୍ରତ୍ୟାହାର ନ କରନ୍ତି, ତେବେ ଡିସେମ୍ବର ୮ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ଧମକ ଦେଲେ କୃଷକ ନେତା – ଦାବି ନ ମାନିଲେ ବୈଠକରୁ ବାହାରି ଯିବୁ

ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକ ଗୋଷ୍ଠୀର ପ୍ରତିନିଧୀମାନେ କହିଥିଲେ ଯେ ଯଦି ଆନ୍ଦୋଳନକାରୀ ଚାଷୀଙ୍କ ଦାବି ଉପରେ ସରକାର ନିଷ୍ପତ୍ତି ନ ନିଅନ୍ତି ତେବେ ସେମାନେ କେନ୍ଦ୍ର ସରକାରଙ୍କ ସହ ପଞ୍ଚମ ରାଉଣ୍ଡ ଆଲୋଚନାରୁ ବାହାରିଯିବେ। ଆମର ଦାବି ଉପରେ ସରକାର ନିଷ୍ପତ୍ତି ନେବା ଉଚିତ୍, ନଚେତ୍ ଆମେ ବୈଠକରୁ ବାହାରକୁ ଯାଉଛୁ ବୋଲି ବିଜ୍ଞାନ ଭବନରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ବେଳେ କୃଷକ ନେତାମାନେ କହିଥିଲେ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବୈଠକରେ କୃଷକ ନେତାମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ବିକ୍ଷୋଭ ସ୍ଥଳରେ ଥିବା ବୃଦ୍ଧ ଓ ପିଲାମାନଙ୍କୁ ନିଜ ଘରକୁ ଫେରିବାକୁ କୁହନ୍ତୁ। କେନ୍ଦ୍ର ସହିତ ବୈଠକ ପୂର୍ବରୁ, କୃଷକମାନେ କୃଷି ଆଇନଗୁଡ଼ିକର ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ଦାବି କରିଥିଲେ।

ଜଣେ କୃଷକ ନେତା କହିଛନ୍ତି ଯେ ସେମାନେ ଦୀର୍ଘ ସମୟ ପାଇଁ ପ୍ରସ୍ତୁତ ହୋଇ ଆସିଛନ୍ତି ଏବଂ ଯଦି ସେମାନଙ୍କର ଦାବି ପୂରଣ ନହୁଏ ତେବେ ବିରୋଧ ଜାରି ରଖିବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି,’ଆମେ ଏକ ବର୍ଷ ଯାଏଁ ଆନ୍ଦୋଳନ କରିବା ପାଇଁ ସାମଗ୍ରୀ ଆଣିଛୁ। ଯଦି ସରକାର ଚାହୁଁଛନ୍ତି ଯେ ଆମକୁ ରାସ୍ତାରେ ରହିବାକୁ ପଡିବ, ଆମେ ରହିବୁ, ଆମର କୌଣସି ଅସୁବିଧା ହେବ ନାହିଁ। ଆମେ ଅହିଂସା ମାର୍ଗ ଗ୍ରହଣ କରିବୁ ନାହିଁ।

ଯଦି କାନାଡା ସଂସଦ ଏହି ପ୍ରସଙ୍ଗ ଆଲୋଚନା କରିପାରିବ, ଆମ ସଂସଦ କାହିଁକି ନୁହେଁ?

ପଞ୍ଜାବ ଜମ୍ହୁରି କିସାନ ସଭାର ସାଧାରଣ ସଚିବ କୁଲୱନ୍ତ ସିଂ ସାନ୍ଧୁ କେନ୍ଦ୍ର ସରକାରଙ୍କ ପ୍ରତିନିଧୀଙ୍କ ସହ ଆଜିର ବୈଠକରେ ଯୋଗ ଦେଇ କହିଛନ୍ତି ଯେ ଯଦି କାନାଡା ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିପାରିବ, ଆମ ସଂସଦ କାହିଁକି କରିପାରିବ ନାହିଁ?

ଏହି ସମୟରେ ପଞ୍ଜାବୀ ଅଭିନେତା-ଗାୟକ ଦିଲଜିତ ଦୋସାଞ୍ଜ ଦିଲ୍ଲୀର ସିଙ୍ଗୁ ସୀମାରେ କୃଷକଙ୍କୁ ଭେଟି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରିବାରବର୍ଗଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାରଙ୍କ ନିକଟରେ ନିବେଦନ କରିଥିଲେ। ବିଲାସପୁର ଏବଂ ଉତ୍ତରାଖଣ୍ଡର କୃଷକମାନେ ଆଜି ଗାଜିପୁର ସୀମାରେ ପହଞ୍ଚି ଦିଲ୍ଲୀ ମେରଟ ଏକ୍ସପ୍ରେସୱେରେ ଅବସ୍ଥାପିତ କୃଷକମାନଙ୍କ ସହ ଯୋଗ ଦେଇଥିଲେ। କୃଷକ ନେତାମାନେ ବୈଠକ ପୂର୍ବରୁ ଚାଷ ଆଇନଗୁଡ଼ିକର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଥିଲେ ଓ କହିଥିଲେ ଯେ ଯଦି ସରକାର ଆମର ଦାବିକୁ ଗ୍ରହଣ ନକରନ୍ତି ତେବେ ଆମେ ଆମର ଆନ୍ଦୋଳନ ଜାରି ରଖିବୁ।

Comments are closed.