ଚାଷୀଙ୍କ ପାଇଁ କାଳ: ଇନ୍‍ସ୍ୟୁରାନ୍ସ କମ୍ପାନୀ ଏବଂ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କ ଖେଳ 

ରେଙ୍ଗାଲି:  କୃଷି ଏବଂ କୃଷକ ମାନଙ୍କ ର ସମସ୍ୟା ର ସମାଧାନ ପାଇଁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କୁହାଯାଉଛି, ମାତ୍ର ବାସ୍ତବିକ କ୍ଷେତ୍ରରେ ଠିକ୍‍ ଏହାର ବିପରିତ ହେଉଛି। ଚାଷୀ ନିଜର ହକ୍‍ ପ୍ରାପ୍ୟ ପାଇଁ ମାସ ମାସ ଏପରିକି ବର୍ଷ ଯାକ ଧାଁ ଦୌଡ କଲେ ବି ପ୍ରାପ୍ୟ ପାଇବା ରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‍ର ଲଇଡା ଠାରେ ଥିବା ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ୍‍ ଶାଖା ରୁ ୨୦୧୮ ମସିହା ରେ କୃଷି ଋଣ ନେଇଥିବା ଜମେନକିରା ବ୍ଳକ୍‍ ଅନ୍ତର୍ଗତ କେନାଢିପା ଗ୍ରାମ ର ଦେବାଶିଷ ଭୋଇ ନାମକ ଜନୈକ ଚାଷୀ ଏପର୍ଯ୍ୟନ୍ତ ତାଙ୍କର ନ୍ୟାଯ୍ୟ ହକ୍‍ ଥିବା ଫସଲବୀମା କ୍ଷତି ପୂରଣ ନପାଇ ହଇରାଣ ହରକତ ତଥା ଖର୍ଚ୍ଚାନ୍ତ ହେଉଥିବା ସରକାର ଙ୍କ ତଥା କଥିତ କୃଷି ଏବଂ କୃଷକ ପ୍ରୀତି ର ଅସଲ ସ୍ୱରୂପ ସ୍ପଷ୍ଟ ଭାବରେ ଜଣାପଡିଯାଉଛି।
ଅଭିଯୋଗ ରୁ ପ୍ରକାଶ ଯେ ଦେବାଶିଷ ଭୋଇ ଲଇଡା ଷ୍ଟେଟ୍‍ ବ୍ୟାଙ୍କ ଶାଖା ରୁ ୨୦୧୮/୧୯ ଖରିଫ୍‍ ଋତୁ ରେ କୃଷି ଋଣ ନେଇ ୩୧/୭/୨୦୧୮ ଦିନ ଏଗ୍ରିକଲଚର୍‍ ଇନ୍‍ସ୍ୟୁରାନ୍ସ ବାବଦକୁ ୧୪୩୯ ଟଙ୍କା୩୦ ପଇସା ଦାଖଲ କରିଥିଲେ। ଉକ୍ତ ବର୍ଷ ସରକାର କେନାଡିପା ପଞ୍ଚାୟତ କୁ ୪୬%ମରୁଡି ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀ ରେ ଦେବାଶିଷ ବୀମା କମ୍ପାନୀ ଟାରୁ ଫସଲ ହାନୀ ର କ୍ଷତି ପୂରଣ ପାଇବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ଦେବାଶିଷ ବୀମା କମ୍ପାନୀ ଠାରୁ କ୍ଷତି ପୂରଣ ପାଇ ନାହାନ୍ତି। ଏଥିପାଇଁ ଲଇଡା ସ୍ଥିତ ଷ୍ଟେଟ୍‍ ବ୍ୟାଙ୍କ ଶାଖା ପରିଚାଳକ,ସମ୍ବଲପୁର ର କୃଷି ନିର୍ଦ୍ଦେଶକଙ୍କ ପାଖକୁ ବହୁ ଥର ଧାଁ ଦୌଡ କରି ଥିଲେ ମଧ୍ୟ କୌଣସି ସୁଫଳ ପାଇ ନାହାନ୍ତି। ଇତି ମଧ୍ୟରେ ଗତ କିଛି ଦିନ ତଳେ କେନାଢିପା ଗ୍ରାମ ର ବହୁ ସଂଖ୍ୟକ ଚାଷୀ ଙ୍କୁ ୨୦୧୮ ମସିହାର ଫସଲ ବୀମା କ୍ଷତି ପୂରଣ ମିଳିି ଥିବାରୁ ଦେବାଶିଷ ନିଜର କେସିସି ପାସ୍‍ ବୁକ୍‍ ଧରି ଷ୍ଟେଟ୍‍ ବ୍ୟାଙ୍କ ଶାଖା ର ଅପ-ଟ-ୁଡେଟ୍‍ ମେସିନ୍‍ ରେ ପାସ୍‍ ବୁକ୍‍ ଅପ୍‍-ଟୁ-ଡେଟ୍‍ କରିଥିଲେ। ଅପ-ଟୁଡେଟ୍‍ କଲା ବେଳେ ତାଙ୍କ ପାସ୍‍ ବୁକ୍‍ ରେ ଓଏସ୍‍ସିବି ମୁଖ୍ୟ ଶାଖାରୁ ଫସଲବୀମା ବାବଦ କୁ ୩୩ହଜାର୭ଶହ ୫ଟଙ୍କା ୭୦ ପଇସା କ୍ଷତି ପୁରଣ ରାଶି ଜମା କରାଯାଇଛି ବୋଲି ଉଲ୍ଲେଖ ରହିଥିବା ଦେଖାଯାଇଥିଲା ।

ଦେବାଶିଷ ଶାଖା ପରିଚାଳକ ଙ୍କୁ ସାକ୍ଷାତ କରି କେସିସି ପାସ୍‍ ବୁକ୍‍ ରେ ଜମା ହୋଇଥିବା ବୀମା କ୍ଷତିପୂରଣ ୩୩ହଜାର ୭ଶହ ୫ଟଙ୍କା ୭୦ ପଇସା କୁ ତାଙ୍କ ଜମା ଖାତା(ସେଭିଙ୍ଗ୍‍ ପାସ୍‍ ବୁକ୍‍) କୁ ଟ୍ରାନ୍ସଫର୍‍ କରି ଦେବାକୁ ଅନୁରୋଧ କଲେ। ଶାଖା ପରିଚାଳକ ବ୍ୟାଙ୍କ୍‍ ର କମ୍ପ୍ୟୁଟର ଡାଟା ଚେକ୍‍ କଲା ବେଳକୁ ଦେବାଶିଷ ଭୋଇ ଙ୍କ କେସିସି ଆକାଉଣ୍ଟରେ ବୀମା କ୍ଷତି ପୂରଣ ଟଙ୍କା ଜମା ହୋଇ ନାହିଁ ବୋଲି କହିଥିଲେ। ବ୍ୟାଙ୍କ୍‍ ର ଗୋଟିଏ ମେସିନ୍‍ ରେ ଟଙ୍କା ଜମା ହୋଇଛି ବୋଲି ପ୍ରିଣ୍ଟ ଆଉଟ୍‍ ବାହାରୁଛି ଏବଂ ଅନ୍ୟ ମେସିନ୍‍ ରେ ଟଙ୍କା ଜମା ହୋଇ ନାହିଁ ବୋଲି ସୂଚନା ଆସୁଛି। ଏଭଲି ଅଜବ ଗୋଲଖ ଧନ୍ଦା ବୁଝିବା ଭାରି ମୁସ୍କିଲ୍‍ କହି ଦେବାଶିଷ ନିରାଶ ହୋଇ ବ୍ୟାଙ୍କ୍‍ ରୁ ଫେରିଥିଲେ। ବ୍ୟାଙ୍କ୍‍ ପରିସର ରେ ଥିବା ଅପ୍‍-ଟୁ-ଡେଟ୍‍ ପ୍ରିଣ୍ଟର ମେସିନ୍‍ ରେ ୩୩ହଜାର ୭ଶହ ୫ଟଙ୍କା ୩୦ ପଇସା ଜମା ହୋଇଛି ବୋଲି ପାସ୍‍ ବୁକ୍‍ ରେ ପ୍ରିଣ୍ଟ ହୋଇଥିବା ବେଳେ ବ୍ୟାଙ୍କ ର କମ୍ପ୍ୟୁଟର ପ୍ରିଣ୍ଟର ରେ କାହିଁକି କିପରି ଟଙ୍କା ଜମା ହେବା ସଂକ୍ରାନ୍ତରେ ସୂଚନା ନାହିଁ ମୁଁ ବୁଝି ପାରୁ ନାହିଁ ବୋଲି ଦେବାଶିଷ କ୍ଷୋଭ ପ୍ରକାଶ କରି ଆଉ କେତେଦିନ ମୁଁ ମୋର କ୍ଷତି ପୂରଣ ପାଇବା ସକାଶେ ଏମିତି ହଇରାଣ ହରକତ ହେଉଥିବି ବୋଲି ପ୍ରଶ୍ନ କରିଛନ୍ତି। ଇନ୍‍ସ୍ୟୁରାନ୍ସ କମ୍ପାନୀ ଏବଂ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଙ୍କ ଖେଳ ମୋ ପାଇଁ କାଳ ହେଉଛି ବୋଲି ସେ ଦୁଃଖ ପ୍ରକାଶ କରଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ମୋତେ ଶୀଘ୍ର କ୍ଷତି ପୂରଣ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବୀ କରିଛନ୍ତି।

Comments are closed.