୬ ବର୍ଷ ପରେ ବି ପ୍ରତିଷ୍ଠା ହୋଇପାରିଲା ନାହିଁ କୃଷି କ୍ଲିନିକ୍ : ବ୍ୟାଙ୍କ ଆକାଉଣ୍ଟରେ ଗଡ଼ୁଛି ଅନୁଦାନ ଅର୍ଥ

ଭୁବନେଶ୍ବର : ରାଜ୍ୟରେ ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ୪୦ଟି କୃଷି କ୍ଲିନିକ୍ ପ୍ରତିଷ୍ଠା ପାଇଁ ୫ ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସମବାୟ ବିଭାଗକୁ ୩ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଦିଆଗଲା। କିନ୍ତୁ କାମ ଆରମ୍ଭ ହେଲା ନାହିଁ। ୟା ଭିତରେ ଦୁଇ ତିନିଟି ବୈଠକରେ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହେଲା, ବିଭିନ୍ନ ସେବାକୁ ତା ସହ ଯୋଡ଼ାଗଲା ଆଉ ଖର୍ଚ୍ଚ ମଧ୍ୟ ବଢ଼ିଲା। କ୍ଲିନିକ୍ ପ୍ରତିଷ୍ଠାର ଦାୟିତ୍ବ ସମବାୟ ବିଭାଗ ହାତରୁ ନେଇ ଆପିକଲ୍‌କୁ ଦିଆଗଲା। କିନ୍ତୁ ୫ ବର୍ଷ ଭିତରେ କ୍ଲିନିକ୍ ନିର୍ମାଣର ନାମ ଗନ୍ଧ ନାହିଁ। ଆଉ ଏପଟେ ଦିଆଯାଇ ଥିବା ଅନୁଦାନ ବ୍ୟାଙ୍କରେ ପଡ଼ି ରହିଥିବାରୁ ତା ଉପରେ ମହାଲେଖାକାର ଆପତ୍ତି ଉଠାଇଲେଣି। ରାଜ୍ୟର ୪୦ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଗୋଟିଏ ଲେଖାଏଁ କୃଷି କ୍ଲିନିକ୍ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ କିଛି ଏପରି ଅବସ୍ଥାରେ ଆସି ପହଞ୍ଚିଛି। ହସ୍ତଗତ ସୂଚନା ଅନୁସାରେ କୃଷକଙ୍କୁ କୃଷି ସମ୍ପର୍କିତ ସୂଚନା ଓ ଅନ୍ୟାନ୍ୟ
ସହାୟତା ପ୍ରଦାନ କରିବା ପାଇଁ ୨୦୧୪-୧୫ରେ ୪୦ଟି ପ୍ୟାକ୍ସରେ ଗୋଟିଏ ଲେଖାଏଁ କୃଷି କ୍ଲିନିକ୍ ପ୍ରତିଷ୍ଠା ପାଇଁ ସ୍ଥିର ହେବା ପରେ ଓଡ଼ିଶା ରାଜ୍ୟ ସମବାୟ ବୋର୍ଡ (ଓଏସ୍‌ସିବି)କୁ ପାଣ୍ଠି ଦିଆଯାଇ ଥିଲା।

ପ୍ରତ୍ୟେକ କ୍ଲିନିକ୍ ପ୍ରତିଷ୍ଠା ପାଇଁ ୧୦ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇ ଥିବାବେଳେ ଏଥିରୁ ରାଜ୍ୟ ସରକାର ୭.୫୦ ଲକ୍ଷ ଟଙ୍କା ଓ ବାକି ୨.୫୦ ଲକ୍ଷ ଟଙ୍କା ସମ୍ପୃକ୍ତ ପ୍ୟାକ୍ସ ବହନ କରିବେ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ କ୍ଲିନିକ୍ କାମ ଆରମ୍ଭ ହୋଇନଥିଲା। ପରେ ୨୦୧୮ରେ ସମବାୟ ବିଭାଗ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ କ୍ଲିନିକ୍ ପ୍ରତିଷ୍ଠା କାମ ଆଉ ଓଏସ୍‌ସିବି ଦ୍ବାରା ନକରାଇ ଆପିକଲ୍‌କୁ ଦିଆଯିବ। ସେହି ଅନୁସାରେ କ୍ଲିନିକ୍ ପ୍ରତିଷ୍ଠା ପାଇଁ ଦିଆଯାଇ ଥିବା ୩ କୋଟି ଟଙ୍କାକୁ ଓଏସ୍‌ସିବି ଆପିକଲ୍‌କୁ ପ୍ରଦାନ କରିଥିଲା। ଏହା ପରେ ବି ଆପିକଲ କାମ ଆରମ୍ଭ କଲା ନାହିଁ। କିନ୍ତୁ କ୍ଳିନିକ୍‌ରେ ଆଉ କିଛି ସେବା ଯୋଡ଼ିବା ପାଇଁ ଆଉ ଏକ ବୈଠକରେ ନିଷ୍ପତ୍ତି ହେଲା। କୃଷି କ୍ଲିନିକ୍‌ରେ ସୂଚନା ପ୍ରଯୁକ୍ତି (ଆଇଟି) ଡେସ୍କ ବ୍ୟବସ୍ଥା ସହିତ ପରାମର୍ଶ, କୃଷି ବୀମା ସେବାକୁ ଯୋଡ଼ାଯାଇ ଥିଲା। ଏଥିସହ କୃଷି ସାମ୍ବାଦିକତା, ଚଳଚ୍ଚିତ୍ର ପ୍ରଯୋଜନା, ପ୍ରଦର୍ଶନୀ ଆଦି ଆୟୋଜନ ପାଇଁ କ୍ଲିନିକ୍‌ରେ ବ୍ୟବସ୍ଥା କରିବା ପାଇଁ ସ୍ଥିର ହେଲା। ଏହାର ବର୍ଷକ ପରେ ଆପିକଲ ପରିଚାଳନା ନିର୍ଦେଶକ ସରକାରଙ୍କୁ ଜଣାଇଥିଲେ ଯେ ନୂଆ ବ୍ୟବସ୍ଥା ଅନୁସାରେ ପ୍ରତି କୃଷି କ୍ଲିନିକ୍ ପ୍ରତିଷ୍ଠା ପାଇଁ ବ୍ୟୟଅଟକଳ ୧୦ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୧୮.୭୫ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ଫଳରେ ପ୍ୟାକ୍ସ ଉପରେ ବ୍ୟୟଭାର ୨.୫୦ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୧୧.୨୫ ଲକ୍ଷ ଟଙ୍କା (୬୦%) ହେଲା। କିନ୍ତୁ ପ୍ୟାକ୍ସ ଗୁଡ଼ିକ ଏତେ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ ବୋଲି ଜଣାଇଦେଇ ଥିଲେ। ଆପିକଲର ଦର ବୃଦ୍ଧି ପ୍ରସ୍ତାବକୁ ବିଭାଗ ଗ୍ରହଣ କରିଥିଲେ ସୁଦ୍ଧା ଏହାକୁ ସରକାରୀ ଅନୁମୋଦନ ମିଳିନଥିଲା। ଫଳରେ ଆପିକଲ ନିକଟରେ ୩ କୋଟି ଟଙ୍କାର ମୂଳ ପାଣ୍ଠି ଓ ତା ଉପରେ ସୁଧ ଅର୍ଥ ଅବ୍ୟବହୃତ ହୋଇ ପଡ଼ିରହିଛି। ଏହି ପାଣ୍ଠିକୁ ନେଇ ଏଜି ଆପତ୍ତି ଉଠାଇ ଥିବା ବେଳେ ପାଣ୍ଠି ଫେରାଇବା ପାଇଁ ଅାପିକଲ ତତ୍ପରତା ଦେଖାଉଛି। ଏପଟେ ୬ ବର୍ଷ ପରେ ସମବାୟ ବିଭାଗ ଉପଲବ୍ଧି କରିଛି ଯେ ଚାଷୀଙ୍କ ସୁବିଧା ପାଇଁ ଏହି ପ୍ରକଳ୍ପ ଅନୁକୂଳ ହେବ ନାହିଁ। ଏପରି ଅବସ୍ଥାରେ ଏଜିଙ୍କ ତରଫରୁ ପଡ଼ୁଥିବା ଚାପରୁ ବର୍ତ୍ତିବା ପାଇଁ ପ୍ରକଳ୍ପ ପାଇଁ ଆସିଥିବା ପାଣ୍ଠି ଫେରାଇ ନେବା ପାଇଁ ଓଡ଼ିଶା ସମବାୟ ସମତିର ରେଜିଷ୍ଟ୍ରାର ବିଭାଗୀୟ ଶାସନ ସଚିବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

Comments are closed.