ଶିକ୍ଷକତା ଛାଡ଼ି ବନିଲେ କୃଷକ

ଉତ୍ତରଭୁବନେଶ୍ୱର : ଚାଷରେ ରହିଛି ଅପାର ଆନନ୍ଦ, ଆତ୍ମସନ୍ତୋଷ। ଏ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ତପନଜ୍ୟୋତି ରାଉତରାୟ । ଶିକ୍ଷକତାକୁ ପଛକୁ ଠେଲିଦେଇ ନିଜକୁ ଜଣେ ଆଦର୍ଶ କୃଷକ ଭାବେ ପ୍ରତିପାଦିତ କରିପାରିଛନ୍ତି ସେ । ମାଟି ପିନ୍ଧାଇଛି ତାଙ୍କୁ ଶିରପା। ଚାକିରି ଛାଡ଼ି ଦୀର୍ଘ ୫ ବର୍ଷରୁ ଅଧିକ ହେଲା ଘାସ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି।
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ୍‍ ତିରଣପଦା ଗ୍ରାମର ତପନଜ୍ୟୋତି ୧୯୯୯ରେ କଟକ ବିଡ଼ାନାସୀ ଅଞ୍ଚଳର ସଂସ୍କୃତ ଟୋଲ୍‍ରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ୨ ବର୍ଷ ଶିକ୍ଷାଦାନ କରିବା ପରେ ଚାଷ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ସେ ଗାଁକୁ ଫେରିଆସି ୨୦୦୨-୦୩ ରେ ନିଜ ଜମିରେ ପ୍ରଥମ କରି ଫୁଲ ଚାଷ ଆରମ୍ଭ କରିଥିଲେ। ରଜନୀଗନ୍ଧା, ଗୋଲାପ, ଗେଣ୍ଡୁ, ଗ୍ଲାଡିଓଲି ଓ ଗୋଲ୍ଡେନ୍‍ ରଡ୍‍ ଆଦି କିସମର ଫୁଲ ୨ ଏକର ଜମିରେ ଚାଷ କରି ବର୍ଷକୁ ୨ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଅଳ୍ପ କିଛି ଜାଗାରେ ଲନ୍‍ ଘାସ ଚାଷ କରିଥିଲେ। ଫୁଲ ଚାଷରେ ବିଭିନ୍ନ ସମସ୍ୟା ଦେଖା ଦେବାରୁ ଅସୁବିଧାରେ ପଡୁଥିଲେ ତପନ। ତେବେ ନିଜସ୍ୱ ବୁଦ୍ଧିରେ ଆରମ୍ଭ କରିଥିଲେ ଲନ୍‍ ଘାସ ଚାଷ। ବାହାର ରାଜ୍ୟରୁ ଆସୁଥିବା ଲନ୍‍ ଘାସ ଚାହିଦା ବଜାରରେ ଥିବା ଅନୁଭବ କରି ୨୦୧୫ରେ ଏହି ଚାଷକୁ ଭଲ ଭାବେ ଆରମ୍ଭ କଲେ। ନିଜ ଘର ପାଖ ଏକ ଏକର ଜମିରେ ଜଳସେଚନ ସୁବିଧା ପାଇଁ ୩ଗୋଟି ବୋରୱେଲ୍‍ ଖନନ କଲେ। ପ୍ରଥମେ ଖେତରେ ଘାସ ଚାଷ କରିବା ଆରମ୍ଭ କରିଥିଲେ। ସେଥିରେ କିଛି ସମସ୍ୟା ଦେଖାଦେଇଥିଲା। ମାତ୍ରାଧିକ ଅନ୍ୟ ଘାସ ଉଠିବା, ସେଗୁଡ଼ିକୁ ବଛାବଛି କରିବା ପାଇଁ ଶ୍ରମିକଙ୍କ ଅଭାବ ତାଙ୍କୁ କଷ୍ଟ ଦେଇଥିଲା। ମନୋବଳ ସୁଦୃଢ଼ କରି ନିଜ ବୁଦ୍ଧିରେ ଜରିପାଲ କିଣି କ୍ଷେତରେ ପାରି ସେଥିରେ ଚାଷ ଆରମ୍ଭ କଲେ। ଏହା ତାଙ୍କୁ ସୁବିଧା ହେଲା। ଖତ, ଜରିପାଲ, ସାର, ମଜୁରି, ପାଣି ଆଦି ବାବଦରେ ୨ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ବର୍ଷକୁ ୭ରୁ ୯ଲକ୍ଷ ଟଙ୍କା ଲାଭ ପାଇଲେ। ପ୍ରାୟତଃ ବଜାରରେ ଚାହିଦା ଥିବା ଜୟସିୟା ଜାପାନୀକା ବା କୋରିଆନ୍‍, ମେକ୍ସିକାନ୍‍ ଏବଂ ସିଲେକ୍ସନ୍‍-୧ ବା ବରମୁଡା କିସମର ଘାସ ଚାଷ ତପନ କରୁଥିବା କହିଛନ୍ତି। ଏହା ସହିତ କିଛି ରଜନୀଗନ୍ଧା, ଗେଣ୍ଡୁ, ଗୋଲାପ ଫୁଲ ମଧ୍ୟ ଚାଷ କରୁଛନ୍ତି। ତପନଙ୍କ କହିବା ଅନୁସାରେ ଜୟସିୟା ସବୁଠୁ ଅଧିକ ମୂଲ୍ୟ ଥିବାବେଳେ ସିଲେକ୍ସନ୍‍-୧ର ବଜାର ଚାହିଦା ସବୁଠି ରହିଛି। ଏହାର ଅଧିକ ସ୍ପଞ୍ଜ ଭାଗ ଥିବା ବେଳେ ଶସ୍ତା, ସୁନ୍ଦର ଏବଂ ଅଧିକ ସବୁଜ ରଙ୍ଗ ଦେଖାଯାଏ। ଏଥିରେ ରକ୍ଷଣାବେକ୍ଷଣ ପ୍ରାୟ ନଥାଏ ବୋଲି ସମସ୍ତଙ୍କ ଆଦର ଏଥିପ୍ରତି ରହିଛି।
୪ରୁ ୬ମାସ ମଧ୍ୟରେ ଘାସ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ନିଜେ ତପନ ଏହି ଚାରା ପ୍ରସ୍ତୁତ କରୁଥିବା କହିଥିବାବେଳେ ଏହି କାମରେ ତାଙ୍କ ସହିତ ଅନ୍ୟ ଶ୍ରମିକ ଦୈନିକ ୭ରୁ ୮ଜଣ ନିୟୋଜିତ ରହୁଛନ୍ତି। ଏହାର ମାର୍କେଟିଂ ପାଇଁ ତପନ ଏକ ୱେବ୍‍ସାଇଟ୍‍ ଖୋଲିଛନ୍ତି। ଅନ୍‍ଲାଇନ୍‍ ବୁକିଂ ଅଧିକ ଆସୁଥିବା ସେ କହିଛନ୍ତି। ବିଶେଷକରି ଭୁବନେଶ୍ୱର, କୋଲକାତା, ମୁର୍ସିଦାବାଦ୍‍, ବିହାର, ରାଞ୍ଚି ସମେତ ସମଗ୍ର ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ତପନ ଅନ୍‍ଲାଇନ୍‍ ଦ୍ୱାରା ଘାସ ବିକ୍ରି କରୁଥିବା କହିଛନ୍ତି। ସେ କଳିଙ୍ଗ ଷ୍ଟାଡିୟମ୍‍ ହକି ଗ୍ରାଉଣ୍ଡ ପାଇଁ ସିଲେକ୍ସନ୍‍-୧ ଘାସ ଯୋଗାଇଥିବା କହିଛନ୍ତି। ଗତ ମାର୍ଚ୍ଚ ମାସରୁ କରୋନା ପାଇଁ ଲକ୍‍ଡାଉନ୍‍ ଯୋଗୁଁ ବ୍ୟବସାୟରେ ମାନ୍ଦାବସ୍ଥା ଦେଖା ଦେଇଥିଲା। ଏବେ ସ୍ବାଭାବିକ ହେଲାଣି। ଏହାର ସ୍କୋୟାର ଫୁଟ୍‍ ୧୦ରୁ ୧୨ ଟଙ୍କା ଥିବା ତପନ କହିଥିବାବେଳେ ଜଳସେଚନ ପାଇଁ ବୋରୱେଲ୍‍କୁ ସଂଯୋଗ କରୁଥିବା ବିଦ୍ୟୁତ୍‍ ଦେୟ ତାଙ୍କୁ ଅଧିକ କଷ୍ଟ ଦେଉଥିବା କହିଛନ୍ତି।
କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ସ୍ପ୍ରିଙ୍କ୍‍ଲର ସେଟ୍‍ ଯୋଗାଇ ଦିଆଯାଇଥିବା ବେଳେ ବ୍ଲକ ଓ ଖୋର୍ଦ୍ଧା ଜିଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ତପନଙ୍କୁ ଆଦର୍ଶ କୃଷକ, ସଫଳ କୃଷକ, ସ୍ୱାବଲମ୍ବୀ କୃଷକ, ଆଗୁଆ କୃଷକ ସମ୍ମାନରେ ସମ୍ମାନିତ କରାଯାଇଛି। ତପନ କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ଶିକ୍ଷା ନେଇନଥିଲେ ମଧ୍ୟ ନିଜସ୍ବ ପରିକଳ୍ପନାରେ ଆଗକୁ ଚାଲିଛି।

Comments are closed.