ନୂଆ କୃଷି ଆଇନରେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଲୋପ ପାଇବ ନାହିଁ

କୃଷିର ବିକାଶ ଓ କୃଷକମାନଙ୍କର ଆୟ ବୃଦ୍ଧି ସରକାରଙ୍କର ପ୍ରଥମ ଲକ୍ଷ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର କୃଷି କ୍ଷେତ୍ରର ବିକାଶ ଓ କୃଷକମାନଙ୍କର ଆୟ ବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର କିଛି ଦିନ ପୂର୍ବେ ନୂଆ କୃଷି ଆଇନ ପ୍ରଣୟନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ କୃଷକମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରୟ ଓ ବାଣିଜ୍ୟ ଆଇନ-୨୦୨୦,କୃଷକମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟ ପ୍ରଦାନ ଆଇନ ଓ କୃଷିସେବା ଆଇନ-୨୦୨୦ ଆନ୍ତର୍ଭୁକ୍ତ।

ଏହି ଆଇନଗୁଡ଼ିକ ଯୋଗୁଁ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଲୋପ ପାଇଯିବ ବୋଲି ଏକ ଭୁଲ୍‍ ଧାରଣା ସୃଷ୍ଟି ହୋଇଛି। ଏହାକୁ ନେଇ କୃଷକମାନଙ୍କୁ ଭ୍ରମିତ କରାଯାଉଛି। କିନ୍ତୁ ପ୍ରକୃତପକ୍ଷେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାବଳବତ୍ତର ରହିବ ଓ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇ ସେମାନଙ୍କର ସାମଗ୍ରୀ ବିକ୍ରି କରିବେ। ସରକାର କେବଳ ଧାନ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଗତ ୫ ବର୍ଷ ଭିତରେ ପ୍ରାୟ ଅଢ଼େଇ ଗୁଣା ବୃଦ୍ଧି କରିଛନ୍ତି। ୨୦୦୯ରୁ ୨୦୧୪ ମଧ୍ୟରେ କୃଷକମାନଙ୍କୁ ୨ ଲକ୍ଷ ୬ ହଜାର କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ ଦିଆଯାଇଥିବାବେଳେ ବର୍ତ୍ତମାନ ସେମାନଙ୍କୁ ୪ ଲକ୍ଷ ୯୫ ହଜାର କୋଟି ଟଙ୍କା ଦିଆଯାଇଛି।
ସେହିଭଳି ଗହମ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଗତ ୫ ବର୍ଷ ଭିତରେ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇଛି। ଏହି ସମୟରେ କୃଷକମାନଙ୍କୁ ୩ ଲକ୍ଷ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ ଦିଆଯାଇଛି। ଅନ୍ୟପକ୍ଷରେ ୨୦୦୯ରୁ ୨୦୧୪ ମଧ୍ୟରେ ଗହମ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧ ଲକ୍ଷ ୬୮ ହଜାର କୋଟି ଟଙ୍କା ଦିଆଯାଇଛି।

Comments are closed.