କୃଷି ଆଇନ ପ୍ରତ୍ୟାହାର ଓ ଗଣତନ୍ତ୍ର

ୟା ଭିତରେ ତିନି ବିବାଦୀୟ କୃଷି ଆଇନ୍‌ ପ୍ରତ୍ୟାହୃତ ହେଲା। ଏ ପ୍ରବନ୍ଧରେ ଏହି ବିଷୟରେ ସ୍ବଳ୍ପ ଆଲୋଚନା କରିବା। ତିନି ଆଇନ୍‌ ସମ୍ପର୍କରେ ଆମେ ଏହି ସ୍ତମ୍ଭରେ ସବି‌େ‌ଶଷ ଆଲୋଚନା କରିସାରିଛୁ (୩୧ା୧ା୨୧)। ଏଣୁ ଏସବୁ ଆଇନ ଜନିତ ବିବାଦ ଏ ପ୍ରବନ୍ଧର ପରିଧି ବାହାରେ। ସରକାରଙ୍କ ତରଫରୁ ଯୁକ୍ତି ଥିଲା, ଏ ଆଇନ ସବୁ ଯୁଗାନ୍ତକାରୀ ଏବଂ କୃଷକଙ୍କ ପାଇଁ ହିତକର। ବିଭିନ୍ନ ସମୟରେ ସ୍ପଷ୍ଟ କରି ଦିଆଗଲା ଯେ ସରକାର ଆଇନଗୁଡ଼ିକରେ ସଂଶୋଧନ ପାଇଁ ପ୍ରସ୍ତୁତ ଅଛନ୍ତି; କିନ୍ତୁ ଆଇନର ପ୍ରତ୍ୟାହୃତ ହେବନାହିଁ। ଏଣେ ଏସବୁ ଆଇନ ବିରୋଧରେ ଏକ ବିରାଟ ଏବଂ ଦୀର୍ଘ ଆନ୍ଦୋଳନ ଚାଲିଲା। ଆନ୍ଦୋଳନରେ ମୁଖ୍ୟତଃ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର କୃଷକମାନେ ଅଂଶ ଗ୍ରହଣ କରୁଥିଲେ। ଅବଶ୍ୟ ଦେଶର ଅନ୍ୟାନ୍ୟ କୃଷକ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ଯୋଗଦାନ କରୁଥିଲେ। ଆନ୍ଦୋଳନକାରୀ ଚାଷୀମାନେ ଦିଲ୍ଲୀର ତିନି ସୀମା, ଯଥା ସିଂଘୁ, ଗାଜିପୁର ଏବଂ ଟିକ୍ରୀଠାରେ ଏକତ୍ର ହୋଇ ନିରବଚ୍ଛିନ୍ନ ଭାବେ ଏକ ବର୍ଷରୁ ଅଧିକ ସମୟ ଆନ୍ଦୋଳନରତ ରହିଲେ। ସରକାର ତଥା ଗଣମାଧ୍ୟମର ସବୁ ପ୍ରକାର ଚେଷ୍ଟା ସତ୍ତ୍ବେ ଆନ୍ଦୋଳନ ଖରା, ବର୍ଷା ଏବଂ ଶୀତ ମଧ୍ୟରେ ନିରନ୍ତର ଜାରି ରହିଲା। ଏଣୁ ଗୋଟେ ପଟ​‌େ​‌ର ସରକାରଙ୍କ ତରଫରୁ ଆଇନ୍‌ ଏବଂ ଅନ୍ୟ ପଟରେ ଆଇନ ସମୂହର ବିରୋଧ।
କୃଷି ଆଇନ ପ୍ରଣୟନ ଏବଂ ପ୍ରତ୍ୟାହାର ଉଭୟ, ଅତର୍କିତ ଭାବେ ହେଲା। ଏ ସମ୍ବନ୍ଧୀୟ ଅଧ୍ୟାଦେଶ ଜାରି ହେଲା ଜୁନ୍‌ ୨୦୨୦ରେ। ୧୭ ସେପ୍ଟେମ୍ବର ୨୦୨୦ରେ ଲୋକସଭାରେ ଏବଂ ୨୦ ସେପ୍ଟେମ୍ବର ୨୦୨୦ରେ ରାଜ୍ୟସଭାରେ ବିଲ୍‌ ଗୃହୀତ ହେଲା। ୨୭ ସେପ୍ଟେମ୍ବର ୨୦୨୦ରେ ରାଷ୍ଟ୍ରପତି ସ୍ବୀକୃତି ପ୍ରଦାନ କଲେ। ସେହି ଦିନ ସରକାରୀ ଗେଜେଟ ମାଧ୍ୟମରେ ପ୍ରକାଶିତ ହୋଇ ଆଇନ୍‌ ସବୁ କାର୍ଯ୍ୟକ୍ଷମ ହେଲେ। ୧୯ ନଭେମ୍ବର ୨୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ସହସା ଘୋଷଣା କଲେ ଯେ ତିନି କୃଷି ଆଇନକୁ ପ୍ରତ୍ୟାହାର କରାଯିବ ଓ ଏଥିପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରାଯିବ। କେନ୍ଦ୍ର କ୍ୟାବିନେଟ୍‌ ୨୪ ନଭେମ୍ବର ୨୧ରେ ତିନି କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କଲେ। ୨୯ ନଭେମ୍ବର ୨୧ରେ ଲୋକସଭାରେ ବିନା ଆଲୋଚନାରେ ଏବଂ ରାଜ୍ୟସଭାରେ ପାଞ୍ଚ ମିନିଟ୍‌ରୁ କମ୍‌ ସମୟରେ ଧ୍ବନି ଭୋଟ୍‌ ମାଧ୍ୟମରେ ଉକ୍ତ ପ୍ରତ୍ୟାହାର ବିଲ୍‌ ଗୃହୀତ ହୋଇଗଲା।
ଆଇନ ତିନିଟି ରଦ୍ଦ ହୋଇଗଲା। ଆଇନ ରଦ୍ଦ ହେବା ନୂଆ କଥା ନୁହେଁ। ଧରନ୍ତୁ, କୌଣସି ବିଷୟରେ ଏକ ନୂଆ ଆଇନ ଆସିବ, ଏଣୁ ପୁରୁଣା ଆଇନକୁ ରଦ୍ଦ କରାଯାଏ। ଉଦାହରଣ ସ୍ବରୂପ, ଦୁର୍ନୀତି ବିରୋଧୀ ଆଇନ ହିସାବରେ ପ୍ରଥମେ ଦୁର୍ନୀତି ନିବାରଣ ଆଇନ ୧୯୪୭ ଥିଲା। ନୂଆ ଆଇନ ‘ଦୁର୍ନୀତି ନିବାରଣ ଆଇନ ୧୯୮୮’ ଆସିଲା। ଏଣୁ ୧୯୪୭ ମସିହାର ଆଇନକୁ ରଦ୍ଦ କରି ଦିଆଗଲା। ଏମିତି ଅନେକ ଉଦାହରଣ ଅଛି। ତେଣେ, ସମୟକ୍ରମେ କିଛି ଆଇନ ‘ଅବ୍‌ସୋଲିଟ୍‌’ (ଅଚଳ) ଏବଂ ‘ରିଡନ୍‌ଡାଣ୍ଟ’ (ଅନାବଶ୍ୟକ) ହୋଇ ପଡ଼ନ୍ତି। ଏମିତି ଆଇନ ସବୁକୁ ବିଧିବଦ୍ଧ ଭାବରେ ରଦ୍ଦ କରି ଦିଆହୁଏ। ଏଥିପାଇଁ କ୍ୟାବିନେଟ୍‌ର ଅନୁମୋଦନ କ୍ରମେ ସଂସଦରେ ବିଲ୍‌ ଆଗତ ହୁଏ ଏବଂ ଆଇନତଃ ଏସବୁ ଆଇନକୁ ରଦ୍ଦ କରି ଦିଆଯାଏ। ୨୦୧୪ ମସିହା ପୂର୍ବରୁ ୧୩୦୧ଟି ଅଚଳ ଓ ଅନାବଶ୍ୟକ ଆଇନ୍‌ ରଦ୍ଦ ହୋଇଥିବାବେଳେ ୨୦୧୪-୧୭ ଅବଧିରେ ୧୨୦୦ ଆଇନ୍‌ ରଦ୍ଦ ହୋଇଥିଲା।
କୃଷି ଆଇନ କ୍ଷେତ୍ରରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଥିଲା। ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ତିନି ଆଇନର କ୍ରିୟାନ୍ବୟନ ଉପରେ ସ୍ଥଗିତାଦେଶ ଜାରି କରିଥିଲେ (୧୨ ଜାନୁଆରୀ ୨୦୨୧)। ସର୍ବୋଚ୍ଚ ନ୍ୟାୟାଳୟ ଯଦି ଆଇନ ସବୁକୁ ଅସାମ୍ବିଧାନିକ ଘୋଷଣା କରିଥା’ନ୍ତେ, ତେବେ ଆଇନ୍‌ତକ ରଦ୍ଦ ହୋଇଯାଆନ୍ତା। ସ୍ଥଗିତାଦେଶ ହେତୁ ଆଇନସବୁ ନିଷ୍କ୍ରିୟ ଅବସ୍ଥାରେ ଚାଲେ; ଅର୍ଥାତ୍‌ ମୃତବତ୍‌ କିନ୍ତୁ ମୃତ ନୁହେଁ।
ସଦ୍ୟ ଗୃହୀତ ହୋଇଥିବା ଆଇନ ପ୍ରତ୍ୟାହୃତ ହେବା ଅସ୍ବାଭାବିକ ଘଟଣା। ଏମିତି ଏକ ଅସ୍ବାଭାବିକ ଘଟଣା ଘଟିଥିଲା ୧୯୮୨ ମସିହାରେ। ବିହାର ବିଧାନସଭାରେ ପ୍ରବଳ ବିରୋଧ ଭିତରେ ‘ବିହାର ପ୍ରେସ୍‌ ବିଲ୍‌’ ଗୃହୀତ ହେଲା। ଆଇପିସି ଏବଂ ସିଆରପିସିରେ ସଂଶୋଧନ ଜରିଆରେ ‘ମୁକ୍ତ ପ୍ରେସ୍‌ର ଗଳାରୁଦ୍ଧ’ କରିବାର ପ୍ରୟାସ ହେଲା। ସ୍ବର୍ଗତ ଜଗନ୍ନାଥ ମିଶ୍ର ମୁଖ୍ୟମନ୍ତ୍ରୀ ଥା’ନ୍ତି। ବିଲ୍‌ ଗୃହୀତ ହେଲାପରେ ରାଜ୍ୟପାଳଙ୍କ ପାଖକୁ ସ୍ବୀକୃତି ପାଇଁ ଗଲା। ରାଜ୍ୟପାଳ ସ୍ବୀକୃତିପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ (କିଛି କ୍ଷେତ୍ରରେ ସାମ୍ବିଧାନିକ ନିୟମ ଅନୁସାରେ ଏହା କରାଯାଇପାରେ)। ଅର୍ଥାତ୍‌ ବିଧାନସଭାରେ ଗୃହୀତ ହୋଇଥିବା ବିଲ୍‌ ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇଁ ଅପେକ୍ଷାରତ। ଏଣେ ଦେଶସାରା ଏହି ଆଇନ ବିରୋଧରେ ସ୍ବର ଉଠିଲା। ଠିକ୍‌ ବ‌େର୍ଷ ପରେ, ରାଷ୍ଟ୍ରପତିଙ୍କ ସ୍ବୀକୃତି ଆସିବା ପୂର୍ବରୁ ଜଗନ୍ନାଥ ମିଶ୍ର ବିଧାନସଭାରେ ଏକ ପ୍ରସ୍ତାବ ଆଣି ବିଲ୍‌କୁ ପ୍ରତ୍ୟାହାର କରିଦେଲେ। ଏହା ଅଭୂତପୂର୍ବ ଘଟଣା ଥିଲା।
ଆସିବା କୃଷି ଆଇନକୁ। ସଦ୍ୟ ଗୃହୀତ ହୋଇଥିବା ଆଇନ। ସୁପ୍ରିମ କୋର୍ଟ ଅସିଦ୍ଧ ଘୋଷଣା କରିନାହାନ୍ତି। ରାଷ୍ଟ୍ରପତିଙ୍କ ସ୍ବୀକୃତି ମିଳି ସାରିଛି। ଆଇନ ସବୁୁକୁ ଅବ୍‌ସୋଲିଟ୍‌ ଏବଂ ରିଡଣ୍ଡାଣ୍ଟ କହି ହେବ ନାହିଁ। ଏଣୁ ‘ପ୍ରତ୍ୟାହାର’ର ବାଟ କ’ଣ? ଆମେ ଦେଖିଲୁ ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟାହାର ଘୋଷଣା ପରେ ୨୪ ନଭେମ୍ବର ୨୦୨୧ ତାରିଖ କେନ୍ଦ୍ରୀୟ କ୍ୟାବିନେଟ୍‌ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ଅନୁମୋଦନ କଲେ ଲୋକସଭାରେ ଏବଂ ପରେ ରାଜ୍ୟସଭାରେ ବିଲ୍‌ ଆଗତ ହେଲା। ଏହି ପ୍ରତ୍ୟାହାର ବିଲ୍‌ରେ ୬ଟି ଅନୁଚ୍ଛେଦ ଅଛି। ପ୍ରଥମ ଚାରିଟି ଅନୁଚ୍ଛେଦରେ ଆଇନ ସବୁର ଉପଯୋଗିତା ଓ ଔଚିତ୍ୟ ବର୍ଣ୍ଣନା କରାଯାଇଛି। ପଞ୍ଚମ ଅନୁଚ୍ଛେଦରେ ଲେଖା ହୋଇଛି ଯେ କେବଳ ଅଳ୍ପ କିଛି କୃଷକଗୋଷ୍ଠୀ ଏହି ଆଇନ ସମୂହର ବିରୋଧ କରୁଛନ୍ତି। ସରକାର ତାଙ୍କୁ ଏସବୁ ଆଇନର ଉପଯୋଗିତା ବିଷୟରେ ବୁଝାଇବାକୁ ଚେଷ୍ଟା କରିଛନ୍ତି। କୋଭିଡ କାଳରେ କୃଷକମାନେ ଅନେକ ଚେଷ୍ଟାକରି ଉତ୍ପାଦନ ବୃଦ୍ଧି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆଇନର କାର୍ଯ୍ୟାନ୍ବୟନ ଉପରେ ରହିତାଦେଶ ଜାରି କରିଛନ୍ତି ଇତ୍ୟାଦି। ଦେଶରେ ସ୍ବାଧୀନତା ପ୍ରାପ୍ତିର ୭୫ ତମ ବର୍ଷ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଷଷ୍ଠ ଏବଂ ଶେଷ ଅନୁଚ୍ଛେଦରେ ଲେଖା ହୋଇଛି: ଉପରୋକ୍ତ ଦୃଷ୍ଟିରୁ, ଉପରେ ଉଲ୍ଲେଖ କରାହୋଇଥିବା କୃଷି ଆଇନ ସବୁକୁ ରଦ୍ଦ କରିଦିଆ ଯିବାର ପ୍ରସ୍ତାବ ରଖାଯାଉଛି।’ ଏହି ଭିତ୍ତିରେ ଆଇନତକ ଉପରେ ବର୍ଣ୍ଣିତ ପ୍ରକ୍ରିୟା ଅନୁସାରେ ପ୍ରତ୍ୟାହୃତ/ରଦ୍ଦ ହୋଇଗଲା। ଏ ଭଳି ରଦ୍ଦ ପ୍ରକ୍ରିୟା ଏକ ଐତିହାସିକ ଘଟଣା।
କୃଷି ଆଇନର ପ୍ରତ୍ୟାହାର ଅନେକଙ୍କୁ ଚକିତ କରିଛି। ପ୍ରତିବାଦ ଓ ଆନ୍ଦୋଳନ ସ୍ବାଭାବିକ ଗଣତାନ୍ତ୍ରିକ ପ୍ରକ୍ରିୟା। ଜରୁରୀକାଳୀନ ପରିସ୍ଥିତିରେ ଏସିବୁ ରାଜନୈତିକ କାର୍ଯ୍ୟକଳାପ ବନ୍ଦ ଥିଲା। ତେବେ ଏହା ଏକ ପ୍ରକାର ‘ଶ୍ମଶାନର ନୀରବତା’ ଥିଲା। ଟ୍ରମ୍ପ ଯେତେବେଳେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେଲେ ‘ନଟ୍‌ ମାଇ ପ୍ରେସିଡେଣ୍ଟ’ (ମୋ ରାଷ୍ଟ୍ରପତି ନୁହନ୍ତି) ସ୍ଳୋଗାନ୍‌ ଭିତ୍ତିରେ ବଡ଼ ଧରଣର ପ୍ରତିବାଦ ଶୋଭାଯାତ୍ରା ସବୁ ଆୟୋଜିତ ହେଲା। ଏଣୁ ଏକ ଜୀବନ୍ତ ଗଣତନ୍ତ୍ରକୁ ପ୍ରତିବାଦ ଏବଂ ଆନ୍ଦୋଳନ ଚଳଚଞ୍ଚଳ କରି ରଖେ। କୃଷି ଆଇନ ଗୃହୀତ ହେବା ପରେ ପ୍ରଥମ ବିରୋଧର ସ୍ବର ଉଠିଲା ପଞ୍ଜାବରେ। କେନ୍ଦ୍ରରେ ଥିବା ମିଳିତ ସାମ୍ମୁଖ୍ୟରେ ପଞ୍ଜାବର ଅକାଳୀ ଦଳ ବିଜେପିର ବିଶ୍ବସନୀୟ ଏବଂ ଦୀର୍ଘ ଦିନର ସହଯୋଗୀ ଦଳ ଥିଲା। ଏ ଆନ୍ଦୋଳନର ପ୍ରଭାବରେ ଅକାଳୀ ଦଳ ଏହି ମେଣ୍ଟରୁ ଓହରି ଆସିଲା। ପଞ୍ଜାବ ଛଡ଼ା ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳରେ ଥିବା ଜାଠ୍‌ କୃଷିଜୀବୀମାନେ ଏହି ଆନ୍ଦୋଳନର ବିଶେଷ ଅଂଶୀଦାର ଥିଲେ। ଏମାନଙ୍କ ସଂଖ୍ୟା ସେ ଅଞ୍ଚଳରେ ନିର୍ଣ୍ଣାୟକ। ନିକଟ ଭବିଷ୍ୟତରେ ପଞ୍ଜାବ ଓ ଉତ୍ତରପ୍ରଦେଶର ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ଉତ୍ତର ପ୍ରଦେଶରେ ବିଜେପି କ୍ଷମତାରେ ଅଛି ଏବଂ ପଞ୍ଜାବରେ କ୍ଷମତା ଦଖଲ ପାଇଁ ପ୍ରଚେଷ୍ଟାରତ। ଏ ଦୃଷ୍ଟିରୁ ବିଚାର କଲେ ନିର୍ବାଚନ ଜନିତ ଗଣିତ କୃଷିଆଇନ ପ୍ରତ୍ୟାହାରର କାରଣ ହୋଇଥିବାର ସମ୍ଭାବନା ଅଛି। ଇତି ପୂର୍ବରୁ ଏନଡିଏ ଶାସନ କାଳରେ ୨୦୧୫ ମସିହାରେ ‘ଜନ ଅଧିଗ୍ରହଣ ଆଇନ ୨୦୧୩’ରେ ସଂଶୋଧନ ପାଇଁ ଚେ‌ଷ୍ଟା ହୋଇଥିଲା। ସଂଶୋଧନର ପ୍ରସ୍ତାବର ପ୍ରବଳ ବିରୋଧ ହେଲା। ବିହାର ରାଜ୍ୟରେ ବିଧାନସଭା ପାଇଁ ନିର୍ବାଚନ ଆସନ୍ନ ଥିଲା। ପ୍ରସ୍ତାବିତ ବିଲ୍‌ ପ୍ରତ୍ୟାହୃତ ହେଲା। ସେଥର ମଧ୍ୟ ବିହାର ନିର୍ବାଚନର ଭୂମିକା ବିଲ୍‌ ପ୍ରତ୍ୟାହାର କ୍ଷେତ୍ରରେ ଚର୍ଚ୍ଚାର ବିଷୟ ଥିଲା।
ଉପସଂହାରକୁ ଆସିବା। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା। ଆଲୋଚ୍ୟ କୃଷକ ଆନ୍ଦୋଳନ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟଧରି ଚାଲିଲା। ପ୍ରାୟ ସାତଶହ କୃଷକ ପ୍ରାଣ ହରାଇଲେ। ଚାଳିଶିଟି କୃଷକ ସଙ୍ଘ ମିଶି ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ତିଆରି କଲେ। ସଙ୍ଘବଦ୍ଧ ଭାବରେ ଏବଂ ଏକତ୍ର ହୋଇ ଆନ୍ଦୋଳନ କଲେ। ଆନ୍ଦୋଳନ ମୁଖ୍ୟତଃ ଅଣ-ରାଜନୈତିକ ଏବଂ ଶାନ୍ତିପୂର୍ଣ୍ଣ ଥିଲା। ସରକାରଙ୍କ ତରଫରୁ ଆଇନ ପ୍ରତ୍ୟାହାରକୁ ମନା କରାହୋଇଥିଲା। ଆଇନ ପ୍ରତ୍ୟାହାର ବିଲ୍‌ ଉପରେ ଆମେ ଉପରେ ଆଲୋଚନା କରିଛୁ। ଏଥିରୁ ଆଇନ ପ୍ରତ୍ୟାହାର କାରଣ ସ୍ପଷ୍ଟ ନୁହେଁ। ସଂସଦରେ ଆଲୋଚନା ମଧ୍ୟ ହେଲାନାହିଁ। ‘ଅଳ୍ପ କିଛି’ କୃଷକଙ୍କ କଥାମାନି ଏତେ ବଡ଼ ନିଷ୍ପତ୍ତି ନେବା ଯୁକ୍ତିଯୁକ୍ତ ମନେ ହେଉନାହିଁ। ଅତଏବ୍‌ ଏହାକୁ ଦୁଇଟି ଦୃଷ୍ଟିରୁ ଦେଖାଯାଇପାରେ। ପ୍ରଥମ ଏବଂ ସ୍ପଷ୍ଟତଃ ଏହା ଏହି ଆନ୍ଦୋଳନର ବିଜୟ ଧରାଯିବ। ଅନ୍ୟ ଦୃଷ୍ଟିରୁ ଦେଖିଲେ, ନିର୍ବାଚନ ଗଣତନ୍ତ୍ରର ମୂଳଦୁଆ। ନିର୍ବାଚନ ମାଧ୍ୟମରେ ଜନପ୍ରତିନିଧିମାନେ କ୍ଷମତା ହାସଲ କରନ୍ତି। ନିର୍ବାଚନଜନିତ ଅଙ୍କକଷା ନିଶ୍ଚିତ ଭାବେ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଏଣୁ ଯଦି ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏ ନିଷ୍ପତ୍ତି ନିଆଯାଇଛି, ତେବେ ଏହା ଏକ ସଜୀବ ଗଣତନ୍ତ୍ରର ନିଦର୍ଶନ ଧରାଯିବ। ଅର୍ଥାତ୍‌ ଏହି ଘଟଣାକ୍ରମରୁ ଆମେ ଏହି ନିଷ୍କର୍ଷରେ ଉପନୀତ ହୋଇପାରିବା ଯେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସୁସ୍ଥ ଗଣତନ୍ତ୍ର ପାଇଁ ଏକାନ୍ତ ଆବଶ୍ୟକ ଏବଂ କ୍ଷମତାସୀନ ଗୋଷ୍ଠୀ ଜନମତ ପ୍ରତି ସମ୍ବେଦନଶୀଳ ହେବା ଅନିବାର୍ଯ୍ୟ।

ଶ୍ରୀକାନ୍ତ ଚାଟାର୍ଜୀ
ଖଡିଆଳ

Comments are closed.