ଫଣୀ ବିପନ୍ନଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ

ସାକ୍ଷୀଗୋପାଳ : ଫଣୀ କ୍ରିୟାନୁଷ୍ଠାନ କମିଟି, ସତ୍ୟବାଦୀ ଓ  ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଗତ ସାମୁଦ୍ରିକ ବାତ୍ୟା ଫଣୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ  ହିତାଧିକାରୀମାନଙ୍କ ପାଇଁ ସହାୟତା ଓ କ୍ଷତି ପୂରଣ ଦାବୀ କରି ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ଏ ନେଇ ଜିଲ୍ଲା ପ୍ରଶାସନ  ସହିତ ଆଲୋଚନା କରିଥିଲେ। ଏହା ପରେ ତହସିଲଦାର ଶ୍ରୀ ଜୟ ସିଂ ଗଣଧାରଣାକାରୀ ମାନଙ୍କ ସହିତ ଆଲୋଚନା କରି ବାଦ ପଡ଼ିଥିବା ବିପନ୍ନ ହିତାଧିକାରୀ ମାନଙ୍କୁ ତଦନ୍ତ ରିପୋର୍ଟ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା, ଏସ ଡ଼ି ପି ଓ ଦେବଦତ୍ତ ବରାଳ ଓ ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ଦେବୀ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଅଖିଳ ଭାରତ ହିନ୍ଦୁ ମହାସଭା ପୁରୀ ଜିଲ୍ଲା ଉପ ସଭାପତି ସୂର୍ଯ୍ୟ ନାରାୟଣ ରଥ, ଅଖିଳ ଭାରତ ନାରିକେଳ ଉତ୍ପାଦକ ମହାସଂଘର ରାଜ୍ୟ ସଭାପତି ହୃଷିକେଶ ମିଶ୍ର, ନବ ନିର୍ମାଣ କୃଷକ ସଂଗଠନ ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଓ ସତ୍ୟବାଦୀ ବ୍ଲକ ସଭାପତି ଶରତ ପ୍ରଧାନ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ  ନେଇଥିଲେ।

Comments are closed.