‘ଫନି’ ତାଣ୍ଡବ : ୧.୫୦କୋଟି ଲୋକ ପ୍ରଭାବିତ

-୧୪ଜିଲାର ୧୬.୬୪୭ହଜାର ଗାଁ କ୍ଷତିଗ୍ରସ୍ତ
-ସ୍ଥାନାନ୍ତର ସଂଖ୍ୟା ୧୪.୫୦ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଘଟିଥିବା କ୍ଷୟକ୍ଷତି ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ସୋମବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ପ୍ରଭାବିତ ଲୋକଙ୍କ ସଂଖ୍ୟା ୪୦ ହଜାରକୁ ବଢ଼ିଛି। ମୁକାବିଲା କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପର୍ଯ୍ୟନ୍ତ ଘନ ଘନ ସମୀକ୍ଷା ବୈଠକ ବସୁଛି। ପ୍ରଭାବିତ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚିବ ଏବଂ ପାଣି ଓ ବିଦ୍ୟୁତ୍ କିପରି ପହଞ୍ଚିବ ସେନେଇ ସରକାରୀ କଳ ଜୋରସୋର ଲାଗିଛି । ଏହି ସମୟ ମଧ୍ୟରେ ସାଢ଼େ ୧୪ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଅତିରିକ୍ତ ଶାସନ ସଚିବ ତଥା ମୁଖପାତ୍ର ସଂଗ୍ରାମ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଫନି ପ୍ରଭାବରେ କେବଳ ପୁରୀରେ ମୃତ୍ୟୁ ସଂଖ୍ୟା ୨୧ ରହିଥିବାବେଳେ କେନ୍ଦ୍ରାପଡାରେ ୩, ମୟୂରଭଞ୍ଜରେ ୪, ଯାଜପୁରରେ ୪, କଟକରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଏହାବାଦ୍ ବହୁ ଲୋକ ବିଭିନ୍ନ ଜିଲା ମୁଖ୍ୟ ଚିକତ୍ସାଳୟରେ ଏବେ ବି ଚିକିତ୍ସିତ ହେଉଛନ୍ତି। ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୫୦ରୁ ଅଧିକ ହେବ ବୋଲି କୁହାଯାଉଛି। ସେହିପରି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଦର୍ଶାଯାଇଥିବାବେଳେ ଏବେ ଅନୁଗୋଳ,କେନ୍ଦୁଝର ଓ ନୟାଗଡ ପ୍ରଭାବିତ ହୋଇଥିବା କୁହାଯାଇଛି। ଗତକାଲି ୧୪୭ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ଥିବାବେଳେ ଏବେ ଏହି ସଂଖ୍ୟା ୧୫୫ରେ ପହଞ୍ଚିଥିବାବେଳେ ୧୬ହଜାର ୬୪୭ଗାଁ ପ୍ରଭାବିତ ହୋଇଛି। ତେବେ ଗଞ୍ଜାମ ଓ ଗଜପତି ଜିଲାରେ ମଗନାଗମନ ଓ ବିଦ୍ୟୁତ ସରବରାହ ଶତପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିଥିବା ଜଣାଯାଇଛି।
ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏବେ ସୁଦ୍ଧା ପୁରୀ, କଟକ, ଗଞ୍ଜାମ ଓ ବାଲେଶ୍ବର ଜିଲାରେ ଥିବା ୨୪ହଜାର ୮୮୯ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି। ଦୁଗ୍ଧ ଉତ୍ପାଦନ କେନ୍ଦ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି। ଏହି ସମୟ ମଧ୍ୟରେ ୧୫ହଜାର ୮୮୯ଟି ଶୁଖିଲା ଖାଦ୍ୟ ପୁଡ଼ିଆ ପୁରୀ ଓ ଖୋର୍ଦ୍ଧା ଜିଲାରେ ବଣ୍ଟନ କରାଯାଇଥିବାବେଳେ ୧.୧୫ଲକ୍ଷ ପାଣି ପ୍ୟାକେଟ ଓ ୧.୫ଲକ୍ଷ କ୍ଲୋରିନ ବଟିକା ବଣ୍ଟନ ହୋଇଛି।
ପ୍ରପୀଡ଼ିତଙ୍କୁ ସ୍ବାସ୍ଥ୍ୟସେବା ଠିକଣା ଭାବେ ଯୋଗାଇ ଦେବାଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ସ୍ବାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଛି। ୭୪୫ଟି ସ୍ବାସ୍ଥ୍ୟସେବା କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ୨୮୧ଟି ମୋବାଇଲ ୟୁନିଟ୍ ବୁଲୁଛି। ସେହିପରି ୧୯୪୫ଜଣ ଆସନ୍ନ ପ୍ରସବାଙ୍କୁ ମା’ଗୃହକୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ଅବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି।ପ୍ରପୀଡ଼ିତଙ୍କୁ ୨୮ଲକ୍ଷ ୫୪ହଜାର ଓଆରଏସ ପାଉଚ ବଣ୍ଟନ କରାଯାଇଥିବାବେଳେ ୮୪୭୮ କୂଅ ଜଳକୁ ବିଶୋଧନ କରାଯାଇଛି। ସବୁଠାରୁ ବଡ଼କଥା ହେଲା ସରକାରଙ୍କ ପକ୍ଷରୁ ପୁରୀ ଜିଲାରେ ୨୮୦୦କୁଇଣ୍ଟାଲ ଚୁଡା, ୪୭୦କୁଇଣ୍ଟାଲ ଗୁଡ଼ ୩୦୨୮୦ ପଲିଥିନ ସିଟ୍ ବଣ୍ଟନ କରାଯାଇଥିବା କୁହାଯାଉଛି। ଏହାବାଦ୍ ପ୍ରତ୍ୟେକ ଜିଲାରେ ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଉଥିବାବେଳେ ପାନୀୟ ଜଳ ଯୋଗାଣ ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.