ଆବର୍ଜନାରେ ଔଷଧ ଫିଙ୍ଗା ମାମଲା : ରାଜ୍ୟ ବାହାରକୁ ନା ଜିଲା ବାହାରକୁ ଚାଲାଣ !

ସମ୍ବଲପୁର (ବିରାଜ ମିଶ୍ର):  ନକଲି କରୋନା ଓ ଜୀବନରକ୍ଷାକାରୀ ଔଷଧ ଗତ ୧୧ ତାରିଖରେ କଟକରୁ ଧରା ପଡ଼ିବା ଏବଂ ରାଜ୍ୟ ସରକାର ଏହାକୁ ଗୁରୁତର ସହିତ ନେଇ କ୍ରାଇମ ବ୍ରାଞ୍ଚ ସମେତ ଡ୍ରଗ୍ସ ବିଭାଗ, ପୁଲିସ ଆଦି ଯାଞ୍ଚ ଏଜେନ୍ସି ମାନଙ୍କୁ ଖୋଳତାଡ କରିବା ଦ୍ୱାରା ସାରା ରାଜ୍ୟରେ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏବେ ରାଜ୍ୟ ସାରା ବିଭିନ୍ନ ଔଷଧ ଗୋଦାମ ଗୁଡିକରେ ଚଢ଼ଉ ଜାରି ରହିଥିବାରୁ ଅସାଧୁ ଔଷଧ ବ୍ୟବସାୟ ଓ ଚିକିତ୍ସକ ମାନେ ପାରୁ ପର୍ଯ୍ୟନ୍ତ ବର୍ତ୍ତିବା ପାଇଁ ଗୁପ୍ତରେ ବିଭିନ୍ନ ଫନ୍ଦି କରୁଛନ୍ତି। ଗତ ୧୧ ତାରିଖର କଟକ ଠାରେ ଚଢ଼ଉ ପରେ ତୁରନ୍ତ ସମ୍ବଲପୁର ସମେତ ଅନ୍ୟ ଜିଲା ଗୁଡିକରେ କରାଯାଇଥିବା ଯାଞ୍ଚରେ ମେକ୍ସ ରିଲିଫ ହେଲଥ କେୟାର ନାମକ ନକଲି କମ୍ପାନୀ ଦ୍ୱାରା ନିର୍ମିତ ଔଷଧ ମିଳିବା ପରେ ତନାଘନା ଆରମ୍ଭ ହୋଇଥିଲା। ରାଜ୍ୟବ୍ୟାପି ଚଢ଼ଉ ସମୟରେ ନକଲି ଓ ଭେଜାଲ କରୋନା ଔଷଧ ସମେତ ଅନେକ ଜୀବନ ରକ୍ଷାକାରୀ ଔଷଧ ଗୁଡିକ ମଧ୍ୟ କିଛି ନକଲି କମ୍ପାନୀ ବଜାରରେ ବିକ୍ରି କରୁଥିବାର ଜଣାପଡ଼ିଥିଲା। ଏହାକୁ ନେଇ ଗତ ୧୩ ତାରିଖରେ ସମ୍ବଲପୁରରେ ନକଲି ଔଷଧ ଜବତ ହୋଇଥିବା ଏବଂ ବିକ୍ରି କରୁଥିବା କିଛି ଅସାଧୁ ଔଷଧ ବ୍ୟବସାୟୀ ଗୁପ୍ତ ବୈଠକ ବସିଥିଲା। ନକଲି ଔଷଧ କାରବାରରେ ଆଜୀବନ କାରାଦଣ୍ଡର ପ୍ରାବଧାନ ଥିବା ବେଳେ ଗୁପ୍ତ ବୈଠକର ଗୁମର କଥା ପ୍ରଘଟ ହୋଇଯିବାରୁ ସେମାନେ ବେଶ ଚିନ୍ତିତ। ଏଣୁ କୌଣସି ମତେ ନକଲି ଓ ଭେଜାଲ ଔଷଧ ଗୁଡିକୁ ରଫାଦଫା କରିବାକୁ ପୁରା ଜୋର ଲଗାଇ ଦେଇଛନ୍ତି।

ଏଭଳି ଏକ ଘଟଣାରେ ସମ୍ବଲପୁରର ବରେଇପାଲି ଶିଳ୍ପାଞ୍ଚଳ ମଧ୍ୟରେ ରହିଥିବା ଏକ ରାସ୍ତା କଡରେ ୩ ବସ୍ତା ଔଷଧ ପଡ଼ିଥିବା ମାମଲାରେ ଡ୍ରଗ୍ସ ବିଭାଗ ବ୍ୟାପକ ତନାଘନା ଜାରି ରଖିଛି। ଏହି ଘଟଣା ଜଣାପଡ଼ିବା ପରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତଦନ୍ତରେ ଜବତ ହୋଇଥିବା କମ୍ପାନୀ ଗୁଡିକର ଔଷଧ ଗୁଡିକର ବ୍ୟାଚ ନମ୍ବର ସମ୍ବଲପୁରରେ ରହିଥିବା ବିତରକ ମାନଙ୍କ ନିକଟରେ ଥିବା ଷ୍ଟକ ସହିତ ମେଳ ଖାଉ ନାହିଁ। ଏବେ ଯାଞ୍ଚ ଏଜେନ୍ସି ମାନଙ୍କ ପକ୍ଷରୁ ଘନ ଘନ ଚଢ଼ଉ କରାଯାଉ ଥିବାରୁ କେହି ବିନା ବିଲ କିମ୍ବା ଜବତ ହୋଇଥିବା କମ୍ପାନୀ ଗୁଡିକ ନାମରେ ନକଲି ଔଷଧ ଆଣି ବିକ୍ରି କରୁଥିବା ବେଳେ ଧରା ପଡ଼ିଯିବା ଭୟରେ ଆବର୍ଜନାରେ ଫିଙ୍ଗି ଦେଇଥିବାର ଅନୁମାନ କରାଯାଉଛି। ଏହା ସହିତ କିଛି ଲାଭଖୋର ଚିକିତ୍ସକ ମାନେ ମଧ୍ୟ ବେଆଇନ ଭାବରେ ଚିକିତ୍ସା କରିବା ସହିତ ଔଷଧ ବିକ୍ରି କରୁଥିବାରୁ ସମ୍ଭବତଃ ସେହିଭଳି କେହି ଅସାଧୁ ବ୍ୟକ୍ତି ଧରାପଡ଼ିବା ଭୟରେ ବୈଧତା ଥିବା ଦାମୀ ଔଷଧ ଗୁଡିକୁ ଫିଙ୍ଗି ଦେଇ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଅପର ପକ୍ଷରେ ଜିଲା ଡ୍ରଗ୍ସ ବିଭାଗ ପକ୍ଷରୁ ବ୍ୟାପକ ତନାଘନା ପରେ ଏବେ ରାଜ୍ୟ ବ୍ୟାପି ସମସ୍ତ ଜିଲା ଓ ଔଷଧ ନିର୍ମାଣକାରୀ କମ୍ପାନୀ ଗୁଡିକରୁ ଜବତ ହୋଇଥିବା ଔଷଧ ସର୍ମ୍ପକରେ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି। ଅନେକ ସମୟରେ ବିନା ବିଲ ଓ ନାମୀଦାମୀ କମ୍ପାନୀ ଗୁଡିକ ନାମରେ ନକଲି ଔଷଧ ଚୋରା ଚାଲାଣ ରାଜ୍ୟ ବାହାରୁ ହେଉଥିବାର ପ୍ରାଥମିକ ସୂଚନା ଯାଞ୍ଚ ଏଜେନ୍ସି ମାନଙ୍କୁ ମିଳିଥିବାରୁ ସେହି ଦିଗରେ ମଧ୍ୟ ଯାଞ୍ଚ ଜାରି ରହିଥିବାର ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ବୁଧବାର ବରେଇପାଲି ଶିଳ୍ପାଞ୍ଚଳରେ ଏକ ଆବର୍ଜନା ସ୍ଥଳରେ ଦାମି ଓ ବୈଧତା ରହିଥିବା ପ୍ରାୟ ୩ ବସ୍ତା ଔଷଧ ଫିଙ୍ଗା ଯାଇଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ନକଲି ଔଷଧ କାରବାରର ପର୍ଦ୍ଦାଫାଶ ହେବା ପରେ ଲୋକେ ସଚେତନ ହୋଇଯାଇଥିବାରୁ କିଛି ବ୍ୟକ୍ତି ବସ୍ତାରେ ପଡ଼ିଥିବା ଔଷଧ ଗୁଡିକୁ ଯାଞ୍ଚ କରିବାରୁ ସେ ଗୁଡିକର ବୈଧତା ଆଗାମୀ ବର୍ଷ ପର୍ଯ୍ୟନ୍ତ ରହିଥିବାର ଜଣାପଡ଼ିବା ପରେ ଅଞ୍ଚଳରେ ତାହା ନକଲି ଔଷଧ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଆବର୍ଜନାରୁ ସଂଗୃହିତ ହୋଇଥିବା ଔଷଧ ଗୁଡିକ ମଧ୍ୟରେ ସମୁଦାୟ ୩ଟି କମ୍ପାନୀର ଔଷଧ ରହିଥିବା ବେଳେ କମ୍ପାନୀ ଗୁଡିକ ସରକାରୀ ଭାବରେ ପଞ୍ଜିକୃତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩ଟି କମ୍ପାନୀର ଔଷଧ ଗୁଡିକ ମଧ୍ୟରେ ଗୋଟିଏ କମ୍ପାନୀର ଭିଟାମିନ ଔଷଧ (ଭିଟାମିନ ବି ଓ ସି) ବଟିକା ର ବୈଧତା ଗତ ମେ ମାସରେ ଶେଷ ହୋଇଯାଇଛି। ସେହିଭଳି ଦ୍ୱିତୀୟ କମ୍ପାନୀର ଏକ ଭିଟାମିନ ସିରପ୍ ବୋତଲ ମିଳିଛି, ଯାହାର ବୈଧତା ରହିଛି। ଆବର୍ଜନା ମଧ୍ୟରୁ ମିଳିଥିବା ତୃତୀୟ କମ୍ପାନୀର ଔଷଧ ମାନଙ୍କ ମଧ୍ୟରେ ଚର୍ମ, ଜ୍ୱର, ଝାଡା ଆଦି ରୋଗ ଗୁଡିକ ପାଇଁ ଔଷଧ ବଟିକା ରହିଛି ଏବଂ ସେଗୁଡିକର ବୈଧତା ୨୦୨୨ ମସିହା ପର୍ଯ୍ୟନ୍ତ ରହିଛି। ଆବର୍ଜନାରୁ ମିଳିଥିବା ଔଷଧ କମ୍ପାନୀ ଗୁଡିକର ସମ୍ବଲପୁରର ଗୋଲବଜାର ଓ ବରେଇପାଲି ଅଞ୍ଚଳର ୨ଟି ହୋଲସେଲର ଓ ଗୋଟିଏ ରିଟେଲର ଅଛନ୍ତି। ସେମାନେ ଔଷଧ ଗୁଡିକୁ କଟକରୁ ଆଣିଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଔଷଧ ମିଳିବା ପରେ ଡ୍ରଗ ବିଭାଗ ପକ୍ଷରୁ ସେହି ଔଷଧ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଚଢ଼ଉ କରାଯାଇ ଯାଞ୍ଚ କରାଯାଇଥିଲା। ତେବେ ମିଳିଥିବା ଔଷଧ ଗୁଡିକ ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଦ୍ୱାରା ବିକ୍ରି କରାଯାଉ ନ ଥିବାରୁ ବିଭାଗ ପକ୍ଷରୁ କମ୍ପାନୀ ସହିତ ଯୋଗାଯୋଗ କରାଯାଇ ବିସ୍ତୃତ ତଥ୍ୟ ମଗାଯାଇଛି। ଏ ନେଇ ଗୁରବାର ସକାଳୁ ଦୈନିକ ଖବର କାଗଜ ‘ସମାଜ’ ରେ ଖବର ପ୍ରକାଶ ପରେ ଡ୍ରଗ ବିଭାଗ ତୁରନ୍ତ ସକ୍ରିୟ ହୋଇ ବିହିତ ପଦକ୍ଷେପ ନେଇ ଘନ ଘନ ଚଢ଼ଉ ଜାରି ରଖିଛି।

Comments are closed.