ବଜାରରେ ମହଙ୍ଗା ମାଡ : ୩୫ରେ ପହଞ୍ଚିଲା ଆଳୁ ଦର, ନିରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ

ଡାଲି ପାଞ୍ଚ, ତେଲ ଦଶ ଟଙ୍କା ବଢ଼ିଲା, ଯୋଗାଣ କମିବାକୁ ଦୋଷ ଦେଲେ ବ୍ୟବସାୟୀ

ଭୁବନେଶ୍ବର : ଥମୁନି କରୋନା ପ୍ରଭାବ । ତଥାପି କୋହଳ ହୋଇଛି କଟକଣା, ହେଲେ ଲୋକଙ୍କ ଦୁର୍ଦଶା କମିବାର ନାଁ ଧରୁନି । ଲକ୍‌ଡାଉନ୍‌ ଆଉ ଅନ୍‌ଲକ୍‌ ମଧ୍ୟ​‌ରେ ରୋଜଗାର ହରାଇ ଅନେକ ହା ହୁତାଶରେ ଦିନ କାଟୁଛନ୍ତି । କିଏ ହାତବାନ୍ଧି ଘରେ ବସିଛି ତ ଆଉ କିଏ ଦରମା ନ ପାଇ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ଭାଗ୍ୟ ସହ ସଂଘର୍ଷ କରୁଛି । ଏଭଳି ସମୟରେ ବଜାର ଦର ମହଙ୍ଗା ହେବା ଖାଉଟିଙ୍କ ଉପରେ ବେଡି ଉପରେ କୋରଡା ମାଡ ସଦୃଶ । ରାଜ୍ୟର ହାଟ ବଜାରଗୁଡିକରେ ଆଳୁ ସହ ତେଜରାତି ସାମଗ୍ରୀ ଦର ନାହିଁ ନ ଥିବା ବଢ଼ିବାରେ ଲାଗିଛି । ବଜାରରେ ବର୍ତ୍ତମାନ ଖାଇବାତେଲ, ଡାଲି, ମଟର ଏବଂ ଚା ଦର ବଢିଥିବାବେଳେ ସାବୁନ୍‌ ଏବଂ ବ୍ରାଣ୍ଡେଡ୍‌ ହ୍ୟାଣ୍ଡୱାଶ ଯୋଗାଣ କମୁଛି । ଏଭଳି ସମୟରେ ମହଙ୍ଗା ମାଡରେ ବିଚାରା ଖାଉଟି ଚେପା ହୋଇଯାଇଛି । ବଜାର ଦରରେ ଏଭଳି ବୃଦ୍ଧି ସମୟରେ ରାଜ୍ୟ ଯୋଗାଣ ବିଭାଗ ସତେ ଯେମିତି ନିରବଦ୍ରଷ୍ଟା ସାଜିଛି ।

ମୌସୁମି ଋତୁରେ ଲଗାଣ ବର୍ଷା ଦେଶର ବିଭିନ୍ନ ଭାଗରେ ବନ୍ୟା ତାଣ୍ଡବ ରଚିଥିବାବେଳେ ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବେଶ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ବଢ଼ିବାରେ ଲାଗିଛି ଖାଉଟି ସାମଗ୍ରୀ ଦର । ଫଳସ୍ବରୂପ ଦୁଇ ଦିନ ହେବ ବଜାରକୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହାର ପ୍ରଭାବ ସ୍ବରୂପ ବଜାରରେ ବଢ଼ିଛି ଆଳୁ ଦର । କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥବା ଆଳୁ ଏବେ ୩୫ ଟଙ୍କାକୁ ବୃଦ୍ଧି ହୋଇଛି । ଏହି ଦୁଇ ଦିନରେ ଆଳୁର ପାଇକାରୀ ଦର କୁଇଣ୍ଟାଲ ପିଛା ୨୩୦୦ ଟଙ୍କାରୁ ୨୬୦୦ ଟଙ୍କାକୁ ବୃଦ୍ଧି ଘଟିଛି । ମାତ୍ର ଦୁଇ ଦିନରେ କୁଇଣ୍ଟାଲ ପିଛା ୩୦୦ ଟଙ୍କା ବଢ଼ିବା ଯୋଗୁ ଖୁଚୁରା ବଜାରରେ ଆଳୁ ଦର ଢେର ମହଙ୍ଗା ହୋଇଛି । ବ୍ୟବସାୟୀମାନେ ଏଥିପାଇଁ ଯୋଗାଣକୁ ଦାୟୀ କରୁଛନ୍ତି । ବିିଭିନ୍ନ ରାଜ୍ୟରେ ବନ୍ୟା ପାଇଁ ଆଳୁ ଚାହିଦା ବଢ଼ିବା ଯୋଗୁ ପଶ୍ଚିମବଙ୍ଗରୁ ଏଠାକୁ ଯୋଗାଣ କମ୍‌ ହେଉଛି । ସୂଚନାଯୋଗ୍ୟ, ବିଗତ ଦୁଇ ମାସ ହେବ ଆଳୁ କିଲୋ ପିଛା ୩୦ ଟଙ୍କା ସ୍ତରରେ ରହିଛି । ଦର କମିବାର ନାଁ ଧରୁନାହିଁ । ପୂର୍ବରୁ କିଛି ମାସ ପିଆଜ ଦର ବୃଦ୍ଧି ଖାଉଟିଙ୍କୁ ଢ଼େର କନ୍ଦାଇଥିବାବେଳେ ଏବେ ଆଳୁ ଦର ବଢ଼ିବା ସମସ୍ତଙ୍କ ହୋସ ଉଡାଇଦେଇଛି ।

ଅନ୍ୟପକ୍ଷରେ ଖାଲି ଆଳୁ କାହିଁକି ଏହି କରୋନା କାଳରେ ବର୍ତ୍ତମାନ ତେଜରାତି ସାମଗ୍ରୀର ଦର ଯେଭଳି ଭାବେ ବଢ଼ିଛି ଏହା ସିଧାସଳଖ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳରେ ମାଡ ​‌ହୋଇଛି। ଏ ସମ୍ପର୍କରେ ଗୃହିଣୀ ବାସନ୍ତୀ ସ୍ବାଇଁ କହିଛନ୍ତି ଯେ, ଏବେ କରୋନା ପାଇଁ ଅର୍ଥାଭାବରୁ ଘର ଚଳାଇବା ବେଶ କଷ୍ଟକର ​ହୋଇଛି । ଆମକୁ ଲାଗୁଛି ସତେ ଯେମିତି ଯୋଗାଣ ବିଭାଗ ଦର ବୃଦ୍ଧି ପ୍ରତି ଆଖି ମୁଜିଦେଇଛି । ଗୋଟିଏ ସମୟରେ ପନିପରିବା ଆଉ ତେଜରାତି ସାମଗ୍ରୀ ଦର ବଢ଼ିବା ନଶ୍ଚିତ ଭାବେ କଷ୍ଟଦାୟକ ବୋଲି ସେ କହିଛନ୍ତି। ଏଭଳି ସମୟରେ ଆଳୁ ସହ ତେଲ, ଡାଲି, ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର ଘରର ରୋ​‌ଷେଇ ବଜେଟ୍ ବଢାଇଦେଇଛି ।

ଅନ୍ୟପକ୍ଷରେ ଦୁଇ ମାସ ପରେ ପୁଣି ଥରେ ବଜାରରେ ବଢିବାରେ ଲାଗିଛି ତେଜରାତି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର । ବିଶେ​‌ଷ କରି ଖାଇବାତେଲ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି । ପାମୋଲିନ୍‌ ହେଉ କି ସୂର୍ଯ୍ୟମୁଖୀ କିମ୍ବା ସୋରିଷ ତେଲ ସବୁର ବଜାର ଦର ବଢିଛି । ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥିବା ସୋରିଷତେଲ ଏବେ ୧୩୫ ଟଙ୍କା​‌ ହୋଇଛି । ସେହିଭଳି ୧୦୬ଟଙ୍କା ଲିଟର ପିଛା ବିକ୍ରି ହେଉଥିବା ସୂର୍ଯ୍ୟମୁଖୀ ତେଲ ଏବେ ୧୧୫ରୁ ୧୧୭ ଟଙ୍କା ଛୁଇଁଛି । ଏହାଛଡା ୮୦ ଟଙ୍କା ପଡୁଥିବା ଏକ ଲିଟରର ପାମୋଲିନ୍‌ ତେଲ ପାଇଁ ଖାଉଟିଙ୍କୁ ଏବେ ୯୦ ଟଙ୍କା ଦେବାକୁ ହେବ । ବର୍ତ୍ତମାନ କରୋନା କଟକଣା ପାଇଁ ଅଧିକାଂଶ କାରଖାନାରେ କମ୍ ଶ୍ରମିକଙ୍କୁ ନେଇ କାମ କରାଯାଉଥିବା ​‌ଯୋଗୁ ବଜାରକୁ କେତେକ ନିର୍ଦିଷ୍ଟ କମ୍ପାନୀର ସାବୁନ୍‌ ଏବଂ ହ୍ୟାଣ୍ଡ୍‌ୱାଶର ଯୋଗାଣ କମ୍‌ ହେଉଛି । ବିସ୍କୁଟ୍‌ ​‌ଯୋଗାଣ ପୂର୍ବାପେକ୍ଷା ସ୍ବାଭାବିକ ​‌ହୋଇଥିବାବେଳେ ଏବେ ବି ଛୋଟ ପ୍ୟାକେଟ୍‌ର ସାବୁନ୍‌ ବଜାରକୁ କମ୍‌ ଆସୁଛି ।

ଏଭଳିସ୍ଥଳେ ଏବେ ଖୁଚୁରା ବଜାରରେ ମଟର ଦର ଆକାଶଛୁଆଁ ହୋଇଛି । ପାଇକାରୀ ବଜାରରେ ମଟର କୁଇଣ୍ଟାଲ ପିଛା ୧୫୦୦ ଟଙ୍କା ବଢ଼ିଛି । ଅର୍ଥାତ୍‌ ଖୁଚୁରା ବଜାରରେ ୬୦ ଟଙ୍କା କିଲୋ ପିଛା ବିକ୍ରି ହେଉଥିବା ମଟର ଏବେ ୭୫ ଟଙ୍କା ହୋଇଛି । ସେହିଭଳି ୮୨ରୁ ୮୩ ଟଙ୍କାରେ ବିକ୍ରି ହେଉଥିବା ଚା’ ଦର ଏବେ ୮୯ ଟଙ୍କା ହୋଇଛି । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଏଭଳି ଦରବୃଦ୍ଧି ବର୍ତ୍ତମାନ ଖାଉଟିଙ୍କ ଚିନ୍ତା ବଢାଇଛି । ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନ ଅଧିକ ମାତ୍ରାରେ ଆଳୁ ବନ୍ୟା ଅଞ୍ଚଳକୁ ଯାଉଛି ଯାହା ଫଳରେ ଯୋଗାଣ କମ୍‌ ହେଉଛି । ଅନ୍ୟପକ୍ଷରେ ବଡ ବଡ କମ୍ପାନୀଗୁଡିକ ଦର ବଢ଼ାଇବା ଯୋଗୁ ଖୁଚୁରା ବଜାରରେ ତେଜରାତି ସାମଗ୍ରୀ ଦର ବୃଦ୍ଧି ଘଟୁଛି ।

Comments are closed.