MEllora 950×100

ଖାଦ୍ୟ ସୁରକ୍ଷାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବାଜରା

ଡେସ୍କ: ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏବେ ବିଶ୍ୱରେ ବାଜରାର ପ୍ରାସଙ୍ଗିକତା ବୃଦ୍ଧି ପାଇଥିବା ବୈଦେଶିକ ମନ୍ତ୍ରୀ ଡଃ ଏସ୍‌‌. ଜୟଶଙ୍କର କହିଛନ୍ତି। ୨୦୨୩କୁ ଆନ୍ତର୍ଜାତିକ ବାଜରା ବର୍ଷ ଭାବେ ପାଳନ ପାଇଁ ଭାରତର ପ୍ରସ୍ତୁତି ପୂର୍ବରୁ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ଓ ଆନ୍ତର୍ଜାତିକ ସମ୍ପର୍କ ବୃଦ୍ଧି ଦିଗରେ ମଧ୍ୟ ବାଜରା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ପ୍ରତି ମହାମାରୀର କେଉଁ ପ୍ରଭାବ ରହିଛି ତାହା କରୋନା ସମୟରେ ସ୍ପଷ୍ଟ ହୋଇଛି।

ଡଃ ଜୟଶଙ୍କର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ମଧ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ଉପରେ କୁ-ପ୍ରଭାବ ପକାଇଥିବା ବେଳେ ବାଣିଜ୍ୟକୁ ପ୍ରଭାବିତ କରିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ସମ୍ପର୍କରେ ଖାଦ୍ୟ ସୁରକ୍ଷା ଦିଗ ପ୍ରତି ଅଧିକ ଦୃଷ୍ଟିପାତ କରିବା ଆବଶ୍ୟକ। ଏହି ଅବସରରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଆନ୍ତର୍ଜାତିକ ବାଜରା ବର୍ଷ ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ସାଧନର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି କରିବ। ସେ କହିଛନ୍ତି ଯେ ଭାରତରେ ପ୍ରଚୁର ମାତ୍ରାରେ ବାଜରା ଉତ୍ପାଦିତ ହେଉଛି। ବାଜରା ଯେକୌଣସି ଜଳବାୟୁରେ ଚାଷ କରାଯାଇପାରିବ। ଏହାମଧ୍ୟ ମରୁଡ଼ି ପ୍ରବଣ ଅଞ୍ଚଳରେ ଚାଷ କରାଯାଇ ପାରିବ। ବାଜରାର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ପାଇଁ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ କରୁଥିବା ସେ ଜଣାଇଛନ୍ତି। ପ୍ରାୟ ୬୦ଟି ଦେଶର ହାଇକମିସନର ଓ ରାଷ୍ଟ୍ରଦୂତମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତରେ ଉତ୍ପାଦିତ ବାଜରା ବିଷୟରେ ସଚେତନତା ସୃଷ୍ଟି ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

୨୦୨୩କୁ ଆନ୍ତର୍ଜାତିକ ବାଜରା ବର୍ଷ ଭାବେ ପାଳନ କରିବାକୁ ବିଶ୍ୱର ଅନ୍ୟାନ୍ୟ ଦେଶକୁ ଉତ୍ସାହିତ କରିବାକୁ ସେ କହିଛନ୍ତି।ବିଶ୍ୱର ୧୩୧ଟି ଦେଶରେ ବାଜରା ଚାଷ କରାଯାଉଛି। ଏସିଆ ଓ ଆଫ୍ରିକାର ୫୯ କୋଟି ଲୋକ ବାଜରାକୁ ପାରମ୍ପରିକ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି।

Comments are closed.