ବୟସର ଅପରାହ୍ଣରେ ଗଛ ମଣିଷ

ରାଜରାଜୁଡ଼ା ଶାସନରେ ସୃଷ୍ଟି କରିଥିଲେ ଅନେକ ତୋଟା

ଜେନାପୁର: ରାଜରାଜୁଡା ଶାସନକାଳରୁ ବିଭିନ୍ନସ୍ଥାନରେ ଫଳବଗିଚା ଓ ତୋଟା ସୃଷ୍ଟି କରାଯାଉଥିଲା। ପ୍ରଦୂଷଣ ଓ ପରିବେଷକୁ ସନ୍ତୁଳନ ରଖିବା ଦିଗରେ ବୃକ୍ଷର ଆବଶ୍ୟକତା ରହିଛି। ରାଜାଙ୍କ ନିର୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଆମ୍ବ, ପିଜୁଳି, ପଣସ, ଜାମୁ, ବେଲ, କଇଥ, ନଡିଆ ଆଦି ଅନେକ ଫଳ ବଗିଚା (ତୋଟା) ସୃଷ୍ଟି କରାଯାଇଥିଲା। ବଗିଚାର ଏହି ଫଳକୁ ଲୋକମାନେ ସଂଗ୍ରହ କରି ଖାଇବା ସହ ବିକ୍ରିବଟା କରୁଥିଲେ। ଏଭଳି ବଗିଚା ଦ୍ୱାରା ପରିବେଶ ସନ୍ତୁଳିତ ରହିବା ସହ ଲୋକମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଲାଭବାନ ହେଉଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ପଞ୍ଚାୟତରେ ମଧ୍ୟ ତୋଟା ସୃଷ୍ଟି କରାଯାଇଥିଲା। ଏଥିରୁ ଲୋକମାନେ ବିଭିନ୍ନ କିସମର ଫଳ ଆହାର ଭାବେ ପାଉଥିଲେ। ତୋଟାର ଛାଇରେ ପଥିକ ଥକା ମେଣ୍ଟାଉଥିଲେ। ବିଭିନ୍ନ ପର୍ବପର୍ବାଣୀରେ ଏହି ତୋଟା ଗୁଡିକରେ ଜନସମାଗମ ହେଉଥିଲା। ଅନେକ ସମୟରେ ତୋଟାରେ ହାଟ ବସୁଥିଲା। ଇଂରେଜ ଶାସନ ବା ଗଡଜାତ ଆନ୍ଦୋଳନ ସମୟରେ ଏହି ତୋଟାମାନଙ୍କରେ ଗୁପ୍ତ ବୈଠକମାନ ବସୁଥିଲା। ବର୍ତ୍ତମାନ ତୋଟାଗୁଡିକ କାଁ ଭାଁ ଦେଖିବାକୁ ମିଳୁଛି। ସେହି ସମୟରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ରାଜଶାସନ ଅମଳରେ ଏଭଳି ଅନେକ ବଗିଚା ସମେତ କୂଅ, ପୋଖରୀ, ଚଉପାଢୀ ଓ ଖମାର ତିଆରି କରାଯାଉଥିଲା। ରାଜାଙ୍କ ଦ୍ୱାରା କରାଯାଉଥିବା ଏସବୁ ଜନହିତକର କାର୍ଯ୍ୟରେ ଅନେକ ପ୍ରଜା ନିୟୋଜିତ ହେଉଥିଲେ। ଏଭଳି ଜଣେ ପ୍ରଜା ହେଉଛନ୍ତି ମଧୁପୁର ଇଷ୍ଟେଟ ତଥା ଧର୍ମଶାଳା ବ୍ଲକ ଇମାମନଗର ଗ୍ରାମର ସ୍ୱର୍ଗତ ଗଜେନ୍ଦ୍ର ରାଉତଙ୍କ ପୁଅ ଚନ୍ଦ୍ରମଣି ରାଉତ (୯୦)। ସେ ୧୪ ବର୍ଷ ବୟସରୁ ରାଜବାଟିରେ ପାଇକ ଭାବେ ନିୟୋଜିତ ହୋଇଥିଲେ। ତାଙ୍କ ସହ ଅନେକ ପ୍ରଜା ମଧ୍ୟ ପାଇକ ଭାବେ ନିଯୁକ୍ତି ପାଇଥିଲେ। ଏମାନଙ୍କ ମଧ୍ୟରେ ବାସ ଜେନା, ଚୈତନ୍ୟ ରାଉତ, ପାଣ୍ଡବ ପାଳ, ବୈଷ୍ଣବ ଜେନା, ଧନ୍ଦ ପାଳ, ଲକ୍ଷ୍ମୀଧର ଜେନା ଓ କୃତି ରାଉତ ସମେତ ବହୁ ପ୍ରଜା ପାଇକ ଭାବେ ନିୟୋଜିତ ହୋଇଥିଲେ। ଏମାନେ ରଜାବାଟୀର ସୁରକ୍ଷା ସହ ବିଭିନ୍ନ ଜନହିତକର କାମରେ ନିୟୋଜିତ ହେଉଥିଲେ। ମଧୁପୁରଗଡ ରାଜାଙ୍କ ନିର୍ଦ୍ଦେଶକ୍ରମେ ଏମାନେ ଗଡମଧୁପୁର, ମଧୁବନ, କଲଣ, ପଦ୍ମପୁର, ଦନେଇପୁର, ବ୍ରାହ୍ମଣବାଡ ଆଦି ସ୍ଥାନରେ ବିଭିନ୍ନ କିସମର ଚାରାରୋପଣ କରି ବଗିଚା ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରୁ ଚନ୍ଦ୍ରମଣି ହେଉଛନ୍ତି ଅନ୍ୟତମ। ସେ ଏବେ ବୟସର ଅପରାହ୍ଣରେ ଉପନୀତ ହୋଇ ଘରେ ରହୁଛନ୍ତି। ସେ ଛାତ୍ର ବୟସରୁ ପାଇକ ଭାବେ ରାଜବାଟୀର ସୁରକ୍ଷା ସହିତ ବିଭିନ୍ନ ଜନହିତକର କାର୍ଯ୍ୟରେ ନିୟୋଜିତ ହେଉଥିଲେ। ମୁଖ୍ୟତଃ ବଗିଚା (ତୋଟା) ସୃଷ୍ଟି କରିବାରେ ତାଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ରହିଥିଲା। ବଗିଚା ସୃଷ୍ଟି ପାଇଁ ଚାରାରୋପଣ ସହ ଏହାର ସୁରକ୍ଷା ପାଇଁ ରାତି ଦିନ ସେଠାରେ ଜଗୁଆଳି ଭାବେ କାମ କରିବାକୁ ପଡୁଥିଲା। ରାଜାରାଜୁଡା ଶାସନ ସମାପ୍ତ ହେବା ପରେ ସେ ଖାଲି ପଡିଥିବା ନିଜର ପାଖାପାଖି ୧୦ ଏକର ଜମିରେ ଆମ୍ବ, ପଣସ, କାଜୁ, ବେଲ, ଜାମୁ, ଗମାରୀ, ନଡିଆ, ସାଗୁଆନ, ତାଳ ଆଦି ଗଛରେ ବଗିଚା ସୃଷ୍ଟି କରିପାରିଛନ୍ତି। ଏହି ବଗିଚାରୁ ସେ ବିଭିନ୍ନ ଋତୁରେ ଫଳମୁଳ ସଂଗ୍ରହ କରି ବଜାରରେ ବିକି ଲାଭବାନ ହୋଇପାରିଛନ୍ତି। ସମୟକ୍ରମେ ରାଜାଙ୍କ ଅମଳ ପରେ ତୋଟାଗୁଡିକ ଲୋପ ପାଇବାକୁ ବସିଲାଣି ହେଲେ ଚନ୍ଦ୍ରମଣି ନିଜ ବାଡିରେ ସୃଷ୍ଟି କରିଥିବା ତୋଟାରେ ଏବେ ବି ଅନେକ ଗଛ ରହିଛି। ରାଜାରାଜୁଡା ଶାସନ ସମୟରେ ବିଭିନ୍ନସ୍ଥାନରେ ବଡ ବଡ ତୋଟା ସୃଷ୍ଟି କରାଯାଇ ପାରୁଥିଲା ବେଳେ ଏବେ କିନ୍ତୁ ଏହା ସମ୍ଭବ ହେଉ ନାହିଁ। ଏ ସମ୍ପର୍କରେ ଚନ୍ଦ୍ରମଣିଙ୍କୁ ପଚାରିଲେ ସେ କହନ୍ତି ରାଜାଙ୍କ ଆଦେଶକୁ ମାନି ସେମାନେ ଖାଲିଥିବା ସ୍ଥାନ ମାନଙ୍କରେ ଚାରାରୋପଣ କରି ଏହାର ରକ୍ଷଣାବେକ୍ଷଣ କରୁଥିଲେ। ଏବେ ଲୋକମାନେ ଭୟଶୂନ୍ୟ ହୋଇ ଗଛ କାଟି ଜାଳେଣୀ ଭାବେ ବ୍ୟବହାର କରିବା ସହ ବିକ୍ରୟ କରୁଛନ୍ତି। ଯାହାକୁ ରୋକିବାରେ ପ୍ରଶାସନ ବିଫଳ ହେଉଛି। ସମାଜ ହିତ ଦୃଷ୍ଟିରୁ ଲୋକମାନେ ସଚେତନ ହେବାର ସମୟ ଆସିଛି ବୋଲି ସେ କହନ୍ତି।

Comments are closed.