ଭିରୁଡାରେ ଜୋରଦାର ଅବକାରୀ ଚଢାଉ, ୧୦ହଜାର ଲିଟର ପୋଚ ଜବତ

ଆଠଗଡ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଗ୍ରାମାଞ୍ଚଳ ଏସପି ବି ଯୁଗଳକିଶୋର ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଡଃ ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ସକାଳେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରେ ଅବକାରୀ ଓ ପୁଲିସ ପକ୍ଷରୁ ଜୋରଦାର ମିଳିତ ଚଢାଉ କରାଯାଇଥିଲା। ଭିରୁଡାର ପାହଡତଳି ଧାନକ୍ଷେତ ଓ ଝାଟି ଜଙ୍ଗଲ ମଧ୍ୟରେ ଇତଃସ୍ତତ ଭାବେ ଶହ ଶହ ପ୍ଲାଷ୍ଟିକ ଜାରକିନ୍ରେ ମଦପ୍ରସ୍ତୁତି ପାଇଁ ଲୁଚାଇ ରଖାଯାଇଥିବା ପ୍ରାୟ ୧୦ହଜାର ଲିଟର ଗୁଡପୋଚ ଜବତ କରାଯାଇ ଜାରକିନ ଓ ପୋଚକୁ ସେଠାରେ ନଷ୍ଟ କରାଯାଇଥିଲା। ତେବେ ରନ୍ଧା ଦେଶୀମଦ ମିଳିନଥିବା ବେଳେ ମଦ ମାଫିଆଙ୍କୁ ମଧ୍ୟ ଗିରଫ କରିବାରେ ଅବକାରୀ ବିଭାଗକୁ ସକ୍ଷମ ହୋଇନଥିବା ଜଣାପଡିଛି। ଆଠଗଡ ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓ ଏହି ଚଢାଉ ବେଳେ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିବାବେଳେ କଟକ ଅବକାରୀ ନିରୀକ୍ଷକ ପ୍ରବୀର କୁମାର ସାମଲ, ଆଠଗଡ ଅବକାରୀ ନିରୀକ୍ଷକ ସଞ୍ଜିତ ବାର୍ଲାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉରେ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ ବେଣୁଧର ସାମଲ, ଥାର୍ପା ମାରାଣ୍ଡି, ଟେଲିସ୍ଫୋର ଲାକ୍ରା, ଶୁଭେନ୍ଦୁ କୁମାର ପୁହାଣ, ମାଗୁଣି ଚରଣ ମାଝିଙ୍କ ସମେତ ବହୁ ଅବକାରୀ ଓ ତିଗିରିଆ ଥାନା ପୁଲିସ ଅଂଶଗ୍ରହଣ କରିଥିଲେ।

Comments are closed.