ଇଗ୍ନୋ ଶେଷ ସିମେଷ୍ଟର ପରୀକ୍ଷା ଆଜିଠୁ

ଭୁବନେଶ୍ୱର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଅନ୍ତିମ ବର୍ଷ ତଥା ଶେଷ ସିମେଷ୍ଟର ପରୀକ୍ଷା ଆଜିଠୁ ଆରମ୍ଭ ହେବ। ରାଜ୍ୟର ୩୦ଟି କେନ୍ଦ୍ର ଓ ୩ ଜେଲ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍‌ରେ ହେବାକୁ ଥିବା ଏହି ପରୀକ୍ଷା କୋଭିଡ୍‌-୧୯ ଯୋଗୁଁ ହୋଇପାରି ନ ଥିଲା। ଇଗ୍ନୋ ଭୁବନେଶ୍ବର ଆଞ୍ଚଳିକ କାର୍ଯାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ୧୬ରେ ଶେଷ ହେବ। ଜେଲ ଅନ୍ତେବାସୀଙ୍କ ପାଇଁ ମୋଟ ୩ଟି କେନ୍ଦ୍ର କରାଯାଇଛି। ମୋଟ ୩୩ କେନ୍ଦ୍ରରେ ମୋଟ ୧୩ ହଜାର ବିଦ୍ୟାର୍ଥୀ ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି), ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମ ପରୀକ୍ଷା ଦେବେ।
ଛାତ୍ରଛାତ୍ରୀ ହଲ୍ ଟିକଟ୍ ଇଗ୍ନୋ ୱେବସାଇଟ୍ www.ignou.ac.in ଲଗ୍‌ଇନ୍‌ କରି ପାଇପାରିବେ। ଯେଉଁ ବିଦ୍ୟାର୍ଥୀଙ୍କର ହଲ୍ ଟିକେଟ୍ ନାହିଁ କିନ୍ତୁ ନାମ, ସେହି କେନ୍ଦ୍ର ପାଇଁ ପରୀକ୍ଷାର୍ଥୀଙ୍କ ତାଲିକାରେ ରହିଛି ସେମାନେ ପରୀକ୍ଷା ଦେଇପାରିବେ। ପରୀକ୍ଷାର୍ଥୀଙ୍କୁ ଅନୁମତି ଦେବା ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକୁ ନିର୍ଦେଶ ଦିଆଯାଇଛି। ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ରରେ କୋଭିଡ୍‌-୧୯ ନିୟମ ପାଳନ କରାଯିବ। ଛାତ୍ରଛାତ୍ରୀ ହଲ୍‌ ଟିକଟ୍‌ ସହ ଯେ କୌଣସି ପରିଚୟ ପ୍ରମାଣପତ୍ର ଆଣିବା ପାଇଁ ପରାମର୍ଶ ଦିଆଯାଇଛି।

Comments are closed.