ରଡ୍‌ରେ ପିଟି ଗାଡ଼ି ଚଢ଼ାଇଥିଲେ

- ଅନୁପ ସାଏଙ୍କ ଅପରାଧ ଗୁମର ଖୋଲିଲା ଛତିଶଗଡ଼ ପୁଲିସ

ଝାରସୁଗୁଡ଼ା: ଅପରାଧ କେବେ ଛପି ରହିପାରେ ନାହିଁ। ଅପରାଧୀ ଯେତେ ଚାଲାକ ହେଲେ ମଧ୍ୟ କିଛିନା କିଛି ସୁରାକ ଛାଡ଼ିଯାଏ; ଆଉ ପ୍ରକୃତ ସତ ହିଁ ମାଟି ଚିରି ଆପେ ଆପେ ଉପରକୁ ଉଠିଆସେ। ସେଇ ସୁରାକକୁ ଆଧାର କରି ଛତିଶଗଡ଼ ପୁଲିସ ପୂର୍ବ ବିଧାୟକ ଅନୁପ ସାଏଙ୍କୁ କଳ୍ପନା-ବବ୍‌ଲି ହତ୍ୟା ଅଭିଯୋଗରେ ଗିରଫ କରି ଜେଲ୍‌ ପଠାଇଛି। ରାୟଗଡ଼ ଏସ୍‌ପି ସୁଶାନ୍ତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାରେ ଅନୁପଙ୍କ ସମ୍ପୃକ୍ତି ଥିବା ସୂଚନା ଦେବା ସହ ପ୍ରମାଣକୁ ଅଧିକ ସୁଦୃଢ଼ କରାଯିବା ପାଇଁ ତାଙ୍କ ନାର୍‌କୋ ଆନାଲିସିସ୍‌(ସତ-ମିଛ) ପରୀକ୍ଷା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ରାୟଗଡ଼ ଏସ୍‌ପି ସୂଚନା ଅନୁସାରେ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅନ୍ତର୍ଗତ ହମିରପୁର ରାସ୍ତା ସମ୍ବପୁରୀ ଗ୍ରାମର ନିକଟରେ ୨୦୧୬ ମସିହା ମଇ ୭ ତାରିଖରେ ଜଣେ ମହିଳା ଓ ଗୋଟିଏ ନାବାଳିକା ଝିଅର ମୃତଦେହ ଉଦ୍ଧାର କରିଥିଲା। ତତ୍‌କ୍ଷଣାତ୍‌ ସେମାନଙ୍କୁ ଚିହ୍ନଟ କରାଯାଇ ପାରି ନ ଥିଲା ଓ ସେମାନଙ୍କର ଫଟୋ ବିଭିନ୍ନ ରାଜ୍ୟକୁ ଚିହ୍ନଟ ପାଇଁ ପଠାଯାଇଥିଲା। ଏହି ଘଟଣା ପ୍ରାଥମିକ ତଦନ୍ତବେଳେ ଦୁର୍ଘଟଣା ପରି ଲାଗୁଥିଲେ ହେଁ ପରବର୍ତ୍ତୀ ସମୟରେ ଉଭୟଙ୍କୁ ହତ୍ୟା କରାଯାଇ ଗାଡ଼ି ମଡ଼ାଇ ଦିଆଯାଇଥିବା ଜଣାପଡ଼ିଥିଲା। ପ୍ରାୟ ବର୍ଷକ ପରେ ମୃତ ମହିଳା ଜଣକ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ଦାଶ ବୋଲି ଜଣାପଡ଼ିଥିଲା। ପୁଲିସ କନଷ୍ଟେବଳ ଥିବା ମୃତକଙ୍କର ଜଣେ ଦୂର ସମ୍ପର୍କୀୟ ଭାଇ କଳ୍ପନା ଓ ତାଙ୍କ ଝିଅ ବବ୍‌ଲିକୁ ଚିହ୍ନଟ କରିଥିଲେ। ଚକ୍ରଧରନଗର ପୁଲିସ ଏ ସମ୍ପର୍କରେ ଏକ ହତ୍ୟା ମାମଲା ୧୫୮/୨୦୧୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମମଲାର ତଦନ୍ତ ସମୟରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ନାମ ସମ୍ମୁଖକୁ ଆସିଥିଲା। ତେବେ ତଦନ୍ତ ବିଶେଷ ଅଗ୍ରଗତି କରି ପାରି ନ ଥିଲା।

ରାୟଗଡ଼ ଏସ୍‌ପି ରୂପେ ସୁଶାନ୍ତ ସିଂହ ଯୋଗଦେବାପରେ ଏହି ଡବଲ୍‌ ମର୍ଡର ମାମଲାର ଫାଇଲ୍‌ ପୁଣି ଖୋଲିଥିଲା। ଦୀର୍ଘଦିନ ଧରି ପୁଲିସ ଅନୁପଙ୍କୁ ଅନୁଧାବନ କରୁଥିଲା ଓ ତାଙ୍କ ଉପରେ ନଜର ରଖିଥିଲା। ଶେଷରେ ଗତ ବୁଧବାର ବ୍ରଜରାଜନଗର ଗାନ୍ଧିଛକ ନିକଟରୁ ଅନୁପଙ୍କୁ ଛତିଶଗଡ଼ ପୁଲିସ ଉଠାଇ ନେଇଥିଲା। ଏସ୍‌ପିଙ୍କ ସୂଚନା ଅନୁସାରେ, ଅନୁପ ପ୍ରଥମେ କଳ୍ପନା ଓ ବବ୍‌ଲିଙ୍କୁ ଚିହ୍ନି ନ ଥିବା ପୁଲିସକୁ କହିଥିଲେ। ମାତ୍ର କଳ୍ପନାଙ୍କ ସହ ମୋବାଇଲ୍‌ କଥାବାର୍ତ୍ତାର ପ୍ରମାଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଦସ୍ତାବିଜ୍‌ ଦେଖାଇବା ପରେ ଅନୁପ ଏହି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ସ୍ୱୀକାର କରିଥିବା

ଏସ୍‌ପି ଶ୍ରୀ ସିଂହ କହିଛନ୍ତି। ଏସ୍‌ପି ଘଟଣାର ପ୍ରେକ୍ଷାପଟ ଓ ଅନୁପଙ୍କ ସମ୍ପୃକ୍ତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ, କଳ୍ପନା ପୂର୍ବରୁ ବିବାହ କରିଥିଲେ ଓ ତାଙ୍କର ସ୍ୱାମୀଙ୍କ ନାମ ସୁନୀଲ ଶ୍ରୀବାସ୍ତବ ଥିଲା। ବବ୍‌ଲି ଦାଶ ଓରଫ୍‌ ବବ୍‌ଲି ଶ୍ରୀବାସ୍ତବ ସୁନୀଲଙ୍କ ଝିଅ ଥିଲା। କଳ୍ପନାଙ୍କ ସହ ସୁନୀଲଙ୍କ ମନୋମାଳିନ୍ୟ ପରେ ୨୦୦୫ଠାରୁ ଅଲଗା ରହୁଥିଲେ ଏବଂ ୨୦୧୧ରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ କଳ୍ପନା ଓ ତାଙ୍କ ଝିଅ ବବ୍‌ଲି ରାଜପୁରରେ ରହୁଥିଲେ। ଏହି ସମୟରେ ଅନୁପ ସାଏ ଓ କଳ୍ପନା ମଧ୍ୟରେ ମସିହାରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ୨୦୧୧ରେ ଅନୁପ କଳ୍ପନାଙ୍କୁ ପ୍ରଥମେ କଟକର ସିଡିଏ ଓ ପରେ ଭୁବନେଶ୍ୱରର ସୁନ୍ଦରପଦାରେ ଏକ ଫ୍ଲାଟ୍‌ରେ ରଖିଥିଲେ। ସେମାନେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ ଏବଂ କଳ୍ପନାଙ୍କ ଝିଅର ସ୍କୁଲ ନାମ ଲେଖାରେ ଅନୁପ ତାଙ୍କର ଅଭିଭାବକ ଥିଲେ।

ପ୍ରାୟ ୫ ବର୍ଷ ଏକାଠି ରହିବା ପରେ ଅନୁପଙ୍କ ଉପରେ ବିବାହ ପାଇଁ ଚାପ ପକାଇଥିଲେ କଳ୍ପନା। ମାତ୍ର ପୂର୍ବରୁ ବିବାହିତ ଥିବାରୁ ଓ ତାଙ୍କର ରାଜନୈତିକ ଜୀବନ କ୍ଷତିଗ୍ରସ୍ତ ହେବା ଆଶଙ୍କାରେ ଅନୁପ ଏହି ପ୍ରସ୍ତାବକୁ ଟାଳି ଚାଲିଥିଲେ। ମାତ୍ର କଳ୍ପନା ବାରମ୍ବାର ବାହା ପାଇଁ ଜିଦ୍‌ ଧରିବାରୁ ତାଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ଅନୁପ ଷଡ଼ଯନ୍ତ୍ର କରିଥିଲେ। ଯୋଜନା ଅନୁସାରେ କଳ୍ପନାଙ୍କୁ ଛତିଶଗଡ଼ର ଏକ ମନ୍ଦିରରେ ବିବାହ କରିବାକୁ ରାଜି କରାଇଥିଲେ ଓ ମା’-ଝିଅଙ୍କୁ ଭୁବନେଶ୍ୱରରୁ ରାୟଗଡ଼ ଯିବାକୁ ପ୍ରସ୍ତାବ ଦେଇଥିଲେ। କଳ୍ପନା ଏଥିରେ ରାଜି ହେବା ପରେ ତାଙ୍କୁ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବସ୍‌ ଯୋଗେ ଆସିବାକୁ କହିଥିଲେ। ଏହାସହ ସେ ନିଜ ଗାଡ଼ିରେ ବସ୍‌ ପଛେପଛେ ଆସିଥିଲେ। ଝାରସୁଗୁଡ଼ାରେ କଳ୍ପନା ଓ ବବ୍‌ଲି ପହଞ୍ଚିବା ପରେ ସେମାନଙ୍କୁ ହୋଟେଲ୍‌ ମେଘଦୂତରେ ରଖି ଘରକୁ ଯାଇଥିଲେ। ପରଦିନ ରାୟଗଡ଼ର ଏକ ମନ୍ଦିରରେ ବିବାହ କରିବାର ପ୍ରଲୋଭନ ଦେଖାଇ କଳ୍ପନା ଓ ତାଙ୍କ ଝିଅକୁ ନେଇ ଡ୍ରାଇଭର ବର୍ମନ ସହ ବ୍ରଜରାଜନଗର ରାସ୍ତା ଦେଇ ୨୦୧୬ ମଇ ୬ ତାରିଖ ରାତି ୯ଟାରେ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲାକୁ ଅନୁପ ବାହାରିଥିଲେ।

ରାୟଗଡ଼ରେ ବୁଲାବୁଲି କରିବା ପରେ କୌଣସି ହୋଟେଲ ଖାଲି ନ ଥିବା ଦର୍ଶାଇ ହମିରପୁର ନିକଟରେ ଜଣେ ସମ୍ପର୍କୀୟଙ୍କ ଘରେ ରହିବାକୁ କହି କଳ୍ପନା ଓ ବବ୍‌ଲିଙ୍କୁ ହମିରପୁର ଜଙ୍ଗଲ ରାସ୍ତାରେ ନେଇଥିଲେ। ଜଙ୍ଗଲ ରାସ୍ତାରେ ମା’ ଶାକମ୍ବରୀ କାରଖାନା ରାସ୍ତାରେ ବାହାନା କରି କଳ୍ପନା ଓ ବବ୍‌ଲିଙ୍କୁ ଗାଡ଼ିରୁ ଓହ୍ଲାଇବାକୁ କହିଥିଲେ। ସେମାନେ ଗାଡ଼ିରୁ ଓହ୍ଲାଇବା ପରେ ଅନୁପ ସେମାନଙ୍କ ଉପରେ ଲୁହା ଛଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ପଡ଼ିଯିବା ପରେ ତାଙ୍କ ଉପରେ ବାରମ୍ବାର ଗାଡ଼ି ମଡ଼ାଇ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ତାଙ୍କ ଗାଡ଼ିର ଡ୍ରାଇଭର ବର୍ମନ ସହଯୋଗ କରିଥିଲା ଏବଂ ଶବ ଚିହ୍ନଟ ହୋଇ ନ ପାରିବା ଲକ୍ଷ୍ୟରେ ମା’-ଝିଅଙ୍କ ଉପରେ ବାରମ୍ବାର ଗାଡ଼ି ମଡ଼ାଇ ଶରୀରକୁ ବୀଭତ୍ସ କରିଦେଇଥିଲା।

ଘଟଣା ପରେ ରାସ୍ତା ଉପରେ ମୃତଦେହ ଛାଡ଼ି ଅନୁପ ତାଙ୍କ ଡ୍ରାଇଭର ସହ ଓଡ଼ିଶା ଫେରି ଆସିିଥିଲେ। ଏହି ଘଟଣାରେ ଡ୍ରାଇଭର ବର୍ମନ ଟପ୍ପୋର ସମ୍ପୃକ୍ତି ଥିବା ଅନୁପ ସ୍ୱୀକାର କରିଥିବା ଏସ୍‌ପି କହିଛନ୍ତି। ତେବେ ଏହି ଘଟଣାରେ ଆଉ କେହିକେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ସମ୍ପର୍କରେ ତଦନ୍ତ ଚାଲିଛି। ଏହି ଘଟଣାର ଅନୁସନ୍ଧାନରେ ସହଯୋଗ ନିମନ୍ତେ ପୂର୍ବରୁ ଅନେକବାର ପୁଲିସ ଅନୁପଙ୍କ ସହ ଯୋଗାଯୋଗ କରିଥିଲା; ମାତ୍ର ସେ ନିଜର ରାଜନୈତିକ ପତିଆରା ଦେଖାଇ ବାରମ୍ବାର ଏହାକୁ ଟାଳି ଆସୁଥିଲେ। ଶେଷରେ ବାଧ୍ୟ ହୋଇ ଛତିଶଗଡ଼ ପୁଲିସ ତାଙ୍କୁ ଗିରଫ କରିଛି ବୋଲି ଏସ୍‌ପି କହିଛନ୍ତି।

Comments are closed.