ବରପୁତ୍ର ବୀରେନ୍

ଡା. ରବିରଞ୍ଜନ ସାହୁ

ସାଧାରଣ ଜନତା, କୃଷକ, ଶ୍ରମିକ ଓ ଅସହାୟ ମଣିଷଙ୍କର ଉତ୍‌ଥାନ ପାଇଁ ଯେଉଁ କେତେଜଣ ଉଲ୍ଲେଖନୀୟ କାର୍ୟ୍ୟ କରିଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଅନ୍ୟତମ। ତାଙ୍କର ସମଗ୍ର ଜୀବନକାଳ ଲୋକସେବାରେ ସମର୍ପିତ ଥିଲା। ଅତ୍ୟନ୍ତ ଦାନଶୀଳ ଥିଲେ ସେ, ଏପରିକି ନିଜ ପାଇଁ ​‌େ​‌ସ କିଛି ରଖିଯାଇ ନ ଥିଲେ। ସାଧାରଣ ଲୋକଙ୍କ ପଇସାରେ ତାଙ୍କର ସଂସ୍କାର କାର୍ୟ୍ୟ ହୋଇଥିଲା। ଅନେକ ବିବାଦରେ ଥାଇ ମଧ୍ୟ ନିଜର ବ୍ୟକ୍ତିତ୍ବକୁ ଜନଜୀବନରେ ସଦା ଉନ୍ନତ ରଖିବାରେ ସକ୍ଷମ ହୋଇପାରିଥିଲେ।

ଅବିଭକ୍ତ କଟକ ଜିଲା ରଘୁନାଥପୁର ଅଞ୍ଚଳର ଏକ ସମ୍ଭ୍ରାନ୍ତ ବଙ୍ଗାଳି ପରିବାରରେ ବୀରେନ୍‌ ମିତ୍ରଙ୍କ ଜନ୍ମ। ତାଙ୍କ ପିତା ବିପିନ ବିହାରୀ ମିତ୍ର କଟକରେ ଜଣେ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଓ ବିଶିଷ୍ଟ ଆଇନଜୀବୀ ଭାବେ ଜଣାଶୁଣା। ଶିକ୍ଷାରେ ସ୍ନାତକ ଲାଭ କରିଥିବା ବୀରେନ୍‌ ମିତ୍ର ୧୯୧୭ ମସିହା ନଭେମ୍ବର ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୫୨ ମସିହା ବିଧାନସଭା ନିର୍ବାଚନରେ ବୀରେନ୍‌ ମିତ୍ର କଟକ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଉଲ୍ଲେଖନୀୟ ଘଟଣା ଯେ ଏହି ନିର୍ବାଚନରେ ତାଙ୍କ ବିପକ୍ଷରେ କୌଣସି ଅନ୍ୟ ରାଜନୀତିକ ଦଳ ପ୍ରାର୍ଥୀ ଦେବାକୁ ଭୟ କରିଥିଲେ। ସେ ୧୯୫୬, ୧୯୬୧ ଏବଂ ୧୯୬୭ ମସିହା ବିଧାନସଭା ନିର୍ବାଚନରେ ମଧ୍ୟ ବିଜୟ ଲାଭ କରିଥିଲେ। ୧୯୬୧ ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଥିଲେ। ବୀରେନ୍ ମିତ୍ର ଏହି ସରକାରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ୟ୍ୟ କଲେ। କିଛିଦିନ ପରେ କଂଗ୍ରେସରେ କାମରାଜ ଯୋଜନା କାର୍ୟ୍ୟକାରୀ ହେବା ଫଳରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଂଗଠନ କାମର ନେତୃତ୍ବ ନେଇଥିଲାବେଳେ ବୀରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ।

୧୯୬୩ ମସିହାରେ ଓଡ଼ିଶାର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବୀରେନ୍ ମିତ୍ର କିନ୍ତୁ ବିବାଦୀୟ ହୋଇପଡ଼ିଲେ। ତାଙ୍କ ବିରୋଧରେ ରାଜସ୍ବ ଲୁଟ୍ ଅଭିଯୋଗ ହେଲା। ବିରୋଧୀମାନେ ଏପରି ପ୍ରଚାର କରିବାରୁ ଶେଷରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ୧୯୬୫ ମସିହା ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆୟକର ବିଭାଗର ତଦନ୍ତରୁ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଜୋରିମାନା ଦେବାକୁ ପଡ଼ିଥିଲା। ତାଙ୍କର ବାସଗୃହ ନିଲାମ ହୋଇଯାଇଥିଲା। ଦିନେ ଯେଉଁମାନେ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁ ଥିଲେ ସେମାନେ ମଧ୍ୟ କେହି ତାଙ୍କ ପାଖରେ ପହଞ୍ଚି ନ ଥିଲେ କି ସହଯୋଗ କରି ନ ଥିଲେ। ଏକପ୍ରକାର ନିଃସ୍ବ ପାଲଟି ଯାଇଥିବା ଜଣେ ରାଜନେତାଙ୍କ ଜୀବନ ଦୟନୀୟ ହୋଇଯାଇଥିଲା।

ବୀରେନ୍‌ ମିତ୍ରଙ୍କ ଶେଷ ଜୀବନ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଥିଲା। ସମସ୍ତଙ୍କର ସେ ‘ଦାଦା’ ହୋଇଯାଇଥିଲେ। ଓଡ଼ିଶା ଇତିହାସରେ ସେ ଏହି ପରିଚୟ ନେଇ ଜନସାଧାରଣଙ୍କ ପାଖରେ ରହିଥିବେ। ୧୯୭୮ ମସିହା ମଇ ୨୫ ତାରିଖରେ ବୀରେନ୍‌ ମିତ୍ର ଶେଷ ନିଃଶ୍ବାସ ତ୍ୟାଗ କଲେ। ତାଙ୍କ ସ୍ମୃତି​‌େ​‌ର ଅନେକ କିଛି ହୋଇଛି, ମାତ୍ର ସମସ୍ତଙ୍କର ‘ଦାଦା’ ଭାବରେ ସେ ମନେ ପଡ଼ିଯାଆନ୍ତି।

Comments are closed.