ୟୁରୋ କପ୍‌ : ଉଭୟ ମ୍ୟାଚ୍‌ ଅମୀମାଂସିତ; ଲିଗ୍ ପର୍ଯ୍ୟାୟ ଶେଷ

ମ୍ୟୁନିକ୍‌/ବୁଦାପେଷ୍ଟ : ୟୁରୋ କପ୍‌ ଫୁଟବଲ ଚମ୍ପିଆନସିପ୍‌ର ଲିଗ୍ ପର୍ଯ୍ୟାୟ ବୁଧବାର ରାତିରେ ସମ୍ପନ୍ନ ହୋଇଛି। ବୁଧବାର ଗ୍ରୁପ୍‌ ‘ଏଫ୍‌’ର ଶେଷ ୨ ଲିଗ୍‌ ମ୍ୟାଚ୍‌ ବିନା ହାରଜିତ ଫଇସଲାରେ ଶେଷହୋଇଛି। ଜର୍ମାନୀ-ହଙ୍ଗେରୀ ଓ ପର୍ତ୍ତୁଗାଲ-ଫ୍ରାନ୍‌ସ ମ୍ୟାଚ୍‌ ଡ୍ର ରହିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି।
ଜର୍ମାନୀ-ହଙ୍ଗେରୀ ମୁକାବିଲା ୨-୨ ଗୋଲ୍‌ରେ ଶେଷହୋଇଛି। ପର୍ତ୍ତୁଗାଲ ବିପକ୍ଷ ମ୍ୟାଚକୁ ୪-୨ରେ ଜିତିଥିବା ଜର୍ମାନୀ ଉପରେ ହଙ୍ଗେରୀର ପ୍ରଭାବ ଦେଖିବାକୁ ମିଳିଥିଲା। ୧୧ ମିନିଟ୍‌ରେ ହଙ୍ଗେରୀର ଆଡାମ୍ ଜାଲାଇ ଗୋଲ୍‌ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ହଙ୍ଗେରୀ ୧-୦ ଗୋଲରେ ଆଗୁଆ ରହିଥିଲା। ୬୬ ମିନିଟ୍‌ରେ ଜର୍ମାନୀର କାଇ ହାଭର୍ଜ ଗୋଲ୍‌ଦେଇ ସ୍କୋର୍‌କୁ ୧-୧ କରିଥିଲେ। ୬୮ ମିନିଟ୍‌ରେ ହଙ୍ଗେରୀ ୨ୟ ଗୋଲ୍‌ଦେଇ ଜର୍ମାନୀକୁ ଚକିତ କରିଥିଲା। ଆଣ୍ଡ୍ରାସ୍ ସ୍କାଫର ଏହି ଗୋଲ୍‌ ଦେଇଥିଲେ। ୮୪ ମିନିଟ୍‌ରେ ଜର୍ମାନୀର ଲିଓନ ଗୋରେଜ୍‌କା ଗୋଲ ଦେଇ ସ୍କୋର୍‌କୁ ୨-୨ କରିଥିଲେ। ଜର୍ମାନୀ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ୨ୟ ସ୍ଥାନରେ ରହି ଶେଷ ୧୬ରେ ପ୍ରବେଶ କରିଥିବାବେଳେ ହଙ୍ଗେରୀ ୩ଟି ମ୍ୟାଚରୁ ୨ ପଏଣ୍ଟ ପାଇ ବିଦାୟ ନେଇଛି।
କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ୨ଟି ପେନାଲ୍‌ଟି ଗୋଲ୍‌ ବଳରେ ବୁଦାପେଷ୍ଟରେ ଫ୍ରାନ୍‌ସ-ପର୍ତ୍ତୁଗାଲ ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷହୋଇଛି। ଗତଥରର ଚମ୍ପିଆନ ପର୍ତ୍ତୁଗାଲ ବିଶ୍ବ ଚମ୍ପିଆନ ଫ୍ରାନ୍‌ସକୁ କଡ଼ା ଟକ୍କର ଦେଇଥିଲା। ୩୦ ମିନିଟ୍‌ରେ ପର୍ତ୍ତୁଗାଲକୁ ଏକ ପେନାଲ୍‌ଟି ମିଳିଥିଲା। ଏହାକୁ କ୍ରିଷ୍ଟିଆନୋ ରୋନାଲଡୋ ଗୋଲ୍‌ରେ ପରିଣତ କରିଥିଲେ। ମଧ୍ୟାନ୍ତରର କିଛି ସେକେଣ୍ଡ ପୂର୍ବରୁ ଫ୍ରାନ୍‌ସ ପକ୍ଷରୁ କରିମ୍‌ ବେଞ୍ଜିମା ଗୋଲ୍‌ଦେଇ ସ୍କୋର୍‌କୁ ୧-୧ କରିଥିଲେ। ୪୭ ମିନିଟ୍‌ରେ ଫ୍ରାନ୍‌ସକୁ ପେନାଲ୍‌ଟି ମିଳିଥିଲା। ଏଥିରୁ କରିମ୍‌ ବେଞ୍ଜିମା ଗୋଲ୍‌ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୬୦ ମିନିଟ୍‌ରେ ପର୍ତ୍ତୁଗାଲକୁ ଆଉ ଏକ ପେନାଲ୍‌ଟି ମିଳିଥିଲା। ଏଥିରୁ କ୍ରିଷ୍ଟିଆନୋ ରୋନାଲ୍‌ଡୋ ବ୍ୟକ୍ତିଗତ ତଥା ଦଳଗତ ୨ୟ ଗୋଲ୍‌ ଦେବାରୁ ସ୍କୋର୍ ୨-୨ ହୋଇଥିଲା। ଫ୍ରାନ୍‌ସ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ପାଇ ଶୀର୍ଷରେ ଥିବା ବେଳେ ପର୍ତ୍ତୁଗାଲ ୩ଟି ମ୍ୟାଚରୁ ୪ ପଏଣ୍ଟ ପାଇ ୩ୟ ସ୍ଥାନରେ ରହି ପ୍ରିକ୍ବାର୍ଟରରେ ପହଞ୍ଚିଛି।

ପ୍ରିକ୍ବାର୍ଟରଫାଇନାଲ ଖେଳସୂଚୀ

୨୬।୬: ୱେଲ୍‌ସ-ଡେନ୍‌ମାର୍କ ରାତି ୯.୩୦
୨୬।୬: ଇଟାଲୀ-ଅଷ୍ଟ୍ରିଆ ରାତି ୧୨.୩୦
୨୭।୬: ନେଦରଲାଣ୍ଡ୍‌ସ-ଚେକ୍‌ ଗଣରାଜ୍ୟ ରାତି ୯.୩୦
୨୭।୬: ବେଲ୍‌ଜିୟମ୍‌-ପର୍ତ୍ତୁଗାଲ ରାତି ୧୨.୩୦
୨୮।୬: କ୍ରୋଏସିଆ-ସ୍ପେନ୍ ରାତି ୯.୩୦
୨୮।୬: ଫ୍ରାନ୍‌ସ-ସ୍ବିଜରଲାଣ୍ଡ ରାତି ୧୨.୩୦
୨୯।୬: ଇଂଲଣ୍ଡ-ଜର୍ମାନୀ ରାତି ୯.୩୦
୨୯।୬: ସ୍ବିଡେନ୍‌-ୟୁକ୍ରେନ୍ ରାତି ୧୨.୩୦

Comments are closed.