ୟୁରୋକପ୍‌ ଫୁଟବଲ – ବେଲ୍‌ଜିୟମକୁ ହରାଇ ଇଟାଲୀ ସେମିରେ

ସେଣ୍ଟ ପିଟର୍ସବର୍ଗ ୩।୭: ୟୁରୋ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଇଟାଲୀ ଓ ସ୍ପେନ୍‌ ପ୍ରବେଶ କରିଛନ୍ତି। ପ୍ରଥମ ସେମିଫାଇନାଲ ମ୍ୟାଚ ମଙ୍ଗଳବାର ଲଣ୍ଡନର ୱେମ୍ବଲିରେ ଖେଳାଯିବ। ଶୁକ୍ରବାର ମିନ୍ୟୁକ୍‌ରେ ଖେଳା ଯାଇଥିବା ୨ୟ କ୍ବାର୍ଟରଫାଇନାଲ ମ୍ୟାଚରେ ଇଟାଲୀ ୨-୧ ଗୋଲରେ ବେଲ୍‌ଜିୟମକୁ ପରାସ୍ତକରି ସେମିଫାଇନାଲକୁ ଉନ୍ନୀତ ହୋଇଛି।ଏହି ପରାଜୟ ସହ ବିଶ୍ବର ଏକ ନମ୍ବର ଦଳ ବେଲଜିୟମ ଚଳିତ ୟୁରୋ କପ୍‌ରୁ ବିଦାୟ ନେଇଛି। ଇଟାଲୀ ପାଇଁ ନିକୋଲୋ ବାରେଲା ଓ ଲୋରେଞ୍ଜୋ ଇନ୍‌ସାନ୍ୟେ ଗୋଲ୍ ଦେଇଥିଲେ। ରୋମେଲୁ ଲୁକାକୁ ପେନାଲ୍‌ଟିରୁ ବେଲ୍‌ଜିୟମ୍‌ ପାଇଁ ଏକମାତ୍ର ଗୋଲ୍‌ ଦେଇଥିଲେ।

ମ୍ୟାଚ୍‌ର ପ୍ରଥମ ଅଧଘଣ୍ଟା ଗୋଲଶୂନ୍ୟ ରହିଥିଲା। ୩୧ ମିନିଟ୍‌ରେ ଇଟାଲୀ ପ୍ରଥମ ଗୋଲ୍‌ ଦେଇଥିଲା। ଭିରାଟିଙ୍କ ଏକ ପାସ୍‌କୁ ନିକୋଲୋ ବାରେଲା ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲେ। ୪୪ ମିନିଟ୍‌ରେ ଇଟାଲୀ ୨ୟ ଗୋଲ ଦେଇଥିଲା। ଲୋରେଞ୍ଜୋ ଇନ୍‌ସାନ୍ୟେ କର୍ଣ୍ଣରକୁ ଚମତ୍କାର ଢଙ୍ଗ​‌େ​‌ର ଗୋଲ୍‌ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ମଧ୍ୟାନ୍ତରର କିଛି ସେକେଣ୍ଡ ପୂର୍ବରୁ ବେଲଜିୟମ ଗୋଟିଏ ଗୋଲ୍‌ ସୁଝାଇ ପାରିଥିଲା। ଇଟାଲୀ ଖେଳାଳି ଜିଓଭାନି ଡି ଲୋରେଞ୍ଜୋ ଡି ଏରିଆରେ ବେଲ୍‌ଜିୟମର ଜରେମି ଡୋକୁଙ୍କୁ ଫାଉଲ ମାରି ପକାଇଦେବାରୁ ବେଲ୍‌ଜିୟମ୍‌କୁ ରେଫରୀ ପେନାଲ୍‌ଟି ଦେଇଥିଲେ। ତାରକା ଷ୍ଟ୍ରାଇକର ରୋମେଲୁ ଲୁକାକୁ ପେନାଲ୍‌ଟିରୁ ଗୋଲ୍‌ ଦେଇ ପାରିଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ କିଛି ସୁଯୋଗ ଛାଡ଼ିଥିଲେ। ୬୭ ମିନିଟ୍‌ରେ ବେଲଜିୟମ ଗୋଲ୍‌ର ସୁଯୋଗ ପାଇଥିଲେ ମଧ୍ୟ ଲୁକାକୁ ବିଫଳ ହୋଇଥିଲେ। ୭୨ ମିନିଟ୍‌ରେ ବେଲଜିୟମ୍‌ର ନାସେର୍‌ ଚାଡ୍‌ଲି ଗୋଲ ଦେବାରେ ବିଫଳ ହୋଇଥିଲେ। ୭୫ ମିନିଟ୍‌ରେ ଇଟାଲୀର ଇମ୍‌ମୋବିଲେ ଓ ୭୯ ମିନିଟ୍‌ରେ ଡମିନିକୋ ବାରାଡି ଗୋଲ୍‌ ହାତଛଡ଼ା କରିଥିଲେ। ପ୍ରଥମ କ୍ବାର୍ଟରଫାଇନାଲରେ ସ୍ପେନ ପେନାଲ୍ଟି ସୁଟ୍‌ଆଉଟ୍‌ରେ ସ୍ବିଜରଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିସାରିଛି।

Comments are closed.