ୟୁରୋ କପ୍‍ – ତୁର୍କୀକୁ ୩-୦ରେ ହରାଇଲା ଇଟାଲୀ

ରୋମ୍‍: ଚମତ୍କାର ପ୍ରଦର୍ଶନ ଓ ସହଜ ବିଜୟ ସହ ଇଟାଲୀ ୟୁରୋ କପ୍‍ ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟରେ ତା’ର ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ରାତିରେ ଗ୍ରୁପ୍‍ ‘ଏ’ର ମ୍ୟାଚ୍‍ରେ ତୁର୍କୀକୁ ୩-୦ ଗୋଲ୍‍ରେ ଇଟାଲୀ ପରାସ୍ତ କରିଛି। ମ୍ୟାଚ୍‍ର ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ୩ଟିଯାକ ଗୋଲ୍‍ ଇଟାଲୀ ଦେଇଥିଲା। ପୁଣି ୟୁରୋ କପ୍‍ ଇତିହାସରେ ପ୍ରଥମଥର ପାଇଁ ଇଟାଲୀ ଏକ ମ୍ୟାଚ୍‍ରେ ୩ଟି ଗୋଲ୍‍ ସ୍କୋର୍‍ କରିପାରିଛି।

ମ୍ୟାଚ୍‍ର ପ୍ରଥମାର୍ଦ୍ଧରେ ଇଟାଲୀ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିବା ବେଳେ ଦୁର୍ବଳ ଫିନିସିଂ ଏବଂ ତୁର୍କୀ ରକ୍ଷାପନ୍ଥୀ ଓ ଗୋଲ୍‍ରକ୍ଷକଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ କୌଣସି ଗୋଲ୍‍ ହୋଇଥିଲା। ଇଟାଲୀ ପାଇଁ ଗୋଲ୍‍ଦେବାର ସର୍ବଶ୍ରେଷ୍ଠ ସୁଯୋଗ ପାଇଥିଲେ ଜର୍ଜିଓ ଚେଲିନି। ତାଙ୍କର ଅତ୍ୟନ୍ତ ଶକ୍ତିଶାଳୀ ହେଡରକୁ ତୁର୍କୀ ଗୋଲ୍‍ରକ୍ଷକ ଉଗୁରକାନ୍‍ ସାକିର ରୋକି ଦେଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍‍ ବେଶି ସମୟ ଗୋଲ୍‍ଶୂନ୍ୟ ରହିନଥିଲା। ୫୩ ମିନିଟରେ ଇଟାଲୀ ଖାତା ଖୋଲିଥିଲା। ଇଟାଲୀ ମିଡ୍‍ଫିଲ୍‍ଡର ଗୋଲ୍‍ ଏରିଆ ମଧ୍ୟରେ ପ୍ରବେଶ କରି ଏତେ ଜୋର୍‍ରେ ସଟ୍‍ ମାରିଥିଲେ ହେଁ ଏହାକୁ ବାହାର କରିବା ପ୍ରୟାସରେ ତୁର୍କୀର ରକ୍ଷଣାତ୍ମକ ଖେଳାଳି ମେରି ଡେମିରାଲ ବଲ୍‍କୁ ନିଜ ଗୋଲ୍‍ ମଧ୍ୟକୁ ପଠାଇ ଦେଇଥିଲେ। ୬୬ ମିନିଟରେ ଇଟାଲୀ ୨ୟ ଗୋଲ୍‍ ଦେଇଥିଲା। ଏକ ଲୁଜ୍‍ ବଲ୍‍ ପାଇ ଇଟାଲୀର ତାରକା ଖେଳାଳି ସିର୍କୋ ଇମୋବାଇଲ୍‍ ଏହି ଗୋଲ୍‍ଟି ଦେଇଥିଲେ। ୭୯ ମିନିଟରେ ଇଟାଲୀର ଲରେଞ୍ଜୋ ଇନ୍‍ସାନ୍‍ୟେ ୩ୟ ଗୋଲ୍‍ ଦେଇଥିଲେ। ଇଟାଲୀର ଲିଓନାର୍ଡୋ ସ୍ପିନାଜୋଲା ମ୍ୟାଚ୍‍ର ସର୍ବଶ୍ରେଷ୍ଠ ଖେଳାଳି ଥିଲେ।

Comments are closed.