୬ ମାସର ଇପିଏଫ୍ ଜମା କରିବେ ସରକାର; ଛୋଟ କମ୍ପାନୀ-କର୍ମଚାରୀଙ୍କୁ ଫାଇଦା

୨୫୦୦ କୋଟି ଟଙ୍କା ଆର୍ଥିକ ସହାୟତା, ଲାଭବାନ ହେବେ ୪ ଲକ୍ଷ କ୍ଷୁଦ୍ରଶିଳ୍ପ

ନୂଆଦିଲ୍ଲୀ: ଛୋଟ କମ୍ପାନୀ ଓ ଏହି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଆଜି ଘୋଷଣା କରିଛନ୍ତି । ୧୦୦ରୁ କମ୍ କର୍ମଚାରୀ କାମ କରୁଥିବା ସଂସ୍ଥାର ଇପିଏଫ୍ ସରକାର ଭରଣା କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଏଥିରେ କିଛିଟା ନିର୍ଦିଷ୍ଟ ସର୍ତ ରହିଛି । ୧୦୦ରୁ କମ୍ କର୍ମଚାରୀ କାମ କରୁଥିବା କମ୍ପାନୀ ଏବଂ ଏହାର ୯୦% କର୍ମଚାରୀଙ୍କ ବେତନ ୧୫୦୦୦ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ । ଏପରି କ୍ଷେତ୍ରରେ ପୂର୍ବରୁ ସରକାର ୩ ମାସ ପାଇଁ ଇପିଏଫ୍ ଜମା କରିବାକୁ ଘୋଷଣା କରିଥିଲେ ଏବଂ ଏବେ ତାହାକୁ ୬ ମାସ ଅର୍ଥାତ୍ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଦେଶରେ ସଂଗଠିତ କ୍ଷେତ୍ରକୁ ଧ୍ୟାନରେ ରଖି ସରକାର ଅଗଷ୍ଟ ପର୍ଯ୍ୟନ୍ତ କମ୍ପାନୀ ଓ କର୍ମଚାରୀଙ୍କ ପକ୍ଷରୁ ନିଜ ଆଡୁ ଇପିଏଫଓରେ ୧୨-୧୨% ଜମା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଯୋଗେ ୪ ଲକ୍ଷରୁ ଅଧିକ ସଂସ୍ଥାକୁ ଲାଭ ମିଳିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏହାଫଳରେ ସରକାରଙ୍କୁ ୨୫୦୦ କୋଟି ଟଙ୍କା ବହନ କରିବାକୁ ପଡ଼ିବ ଓ ୭୫ ଲକ୍ଷରୁ ଅଧିକ କର୍ମଚାରୀ ଏହାଦ୍ବାରା ଲାଭବାନ ହେବେ ।

Comments are closed.