ବନୀକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଗଲେ ଜୈବବିବିଧତାର ସୁରକ୍ଷା ସହ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ

ଦେଶର ଅର୍ଥନୈତିକ ବିକାଶ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲର ଭୂମିକା ଯଥେଷ୍ଟ ରହିଛି

ଭୂବନେଶ୍ୱର: ବହୁ ପୁରୁଣା ଯୁଗରୁ ପୃଥିବୀ, ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ପ୍ରାଧାନ୍ୟ ଦିଆଯାଇଛି। ଓଡିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଦାରୁ ଦେବତା ଭାବେ ପୂଜା ପାଇ ଆସୁଥିବା ବେଳେ ବର, ଅଶ୍ୱତ୍ଥ, ଅଁଳା ଆଦି ବୃକ୍ଷକୁ ଆମ ପୂର୍ବପୁରୁଷମାନେ ପୂଜା କରିଆସୁଛନ୍ତି। କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି। ମନୁଷ୍ୟ ଉଭୟ ପରିବେଶ ଓ ପ୍ରକୃତିକୁ ଧ୍ୱଂସ କରିଚାଲିଛି। ପ୍ରଗତି ଓ ଶିଳ୍ପାୟନ ନାମରେ ବ୍ୟାପକ ଭାବେ ଜଙ୍ଗଲ କ୍ଷୟ ହୋଇ ତା’ ସ୍ଥାନରେ କଂକ୍ରିଟ୍ ଜଙ୍ଗଲମାନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଦୂଷଣରୁ ହିଁ ପ୍ରଳୟର ସୃଷ୍ଟି। ସୃଷ୍ଟିର ଆରମ୍ଭରୁ ଇତି ମଧ୍ୟରେ ୬୫ରୁ ୧୦୦ନିୟୁତ ବର୍ଷ ବ୍ୟବଧାନରେ ଘଟି ଯାଇଥିବା ୫ଟି ମହାପ୍ରଳୟର କାରଣ ପରିବେଶ ଅବକ୍ଷୟ ବୋଲି ବୈଜ୍ଞାନିକମାନେ ପ୍ରମାଣ ପାଇଛନ୍ତି। ଦେଶର ଅର୍ଥନୈତିକ ବିକାଶ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲର ଭୂମିକା ଯଥେଷ୍ଟ ରହିଛି। ଏକ ପଟେ ମନୁଷ୍ୟ ତା’ର ବିଳାସବ୍ୟସନ ପାଇଁ ଜଙ୍ଗଲକୁ କାଟି ପଦା କରୁଥିବା ବେଳେ ଅନ୍ୟପଟେ ତାପମାତ୍ରା ବୃଦ୍ଧି ଘଟୁଛି। ପ୍ରକୃତି ଭାରସାମ୍ୟ ହରାଇବା ଯୋଗୁଁ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ହେଉଛି। ବିଶ୍ୱ ପରିବେଶ ଦିବସ ପାଳନର ତାତ୍ପର୍ଯ୍ୟ ହେଉଛି ଜନସାଧାରଣଙ୍କୁ ପ୍ରକୃତି ଓ ପରିବେଶର ଅବକ୍ଷୟ ଉପରେ ଅବଗତ କରାଇବା। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ବଷୟବସ୍ତୁ ରହିଛି- “ପରିସଂସ୍ଥାର ପୁନରୁଦ୍ଧାର”। ସେହିପରି ଜଙ୍ଗଲ କ୍ଷୟ ହେବା ଦ୍ୱାରା ବିଶେଷକରି ବନ୍ୟପ୍ରାଣୀମାନେ ବହୁତ ପ୍ରଭାବିତ ହେଉଛନ୍ତି। ଆମ ପରିବେଶରେ ଦେଖାଯାଇଥିବା ସାଧାରଣ ତୃଣଠାରୁ ଆରମ୍ଭ କରି ବିଶାଳ ଦ୍ରୁମ ପର୍ଯ୍ୟନ୍ତ ଓ ପିମ୍ପୁଡିଠାରୁ ଆରମ୍ଭ କରି ବିଶାଳକାୟ ହାତୀ ପର୍ଯ୍ୟନ୍ତ ସମସ୍ତେ ଅଙ୍ଗାଙ୍ଗୀଭାବେ ପରସ୍ପର ନିର୍ଭରଶାଳ। ଗୋଟିଏ ଜୀବଜାତିର ବିଲୁପ୍ତିରେ ସମଗ୍ର ପ୍ରକୃତି ତା’ର ଭାରସାମ୍ୟ ହରାଇ ବସିଥାଏ।

୨୦୦୦ରୁ ୨୦୧୩ମସିହା ମଧ୍ୟରେ ଓଡିଶାରେ ପ୍ରାୟ ୭୧୮ ହାତୀ ମୃତ୍ୟୁବରଣ କରିବା ବଡ କ୍ଷୋଭର ବିଷୟ। ଆଗକାଳରୁ ଜଙ୍ଗଲ ଏବଂ ଏହାର ଚତୁପାର୍ଶ୍ୱରେ ଦେଖାଯାଇଥିବା ବାଘ, ସିଂହ, ହାତୀ, କୁଟୁରା, ବରାହ, ସମ୍ବର,ହରିଣ, ଗୟଳ, ବାଦୁଡି ଏବଂ ବିଭିନ୍ନ ପକ୍ଷୀ ଯଥା ଶାଗୁଣା, ମୟୂର, ହଳଦୀବସନ୍ତ, ବାୟା ଚଢେଇ, ପେଚା ଏବଂ ଘରଚଟିଆ ଆଦି ବିଭିନ୍ନ ମନୁଷ୍ୟକୃତ ଦୂର୍ବିପାକ କାରଣରୁ ଓ ଜଳବାୟୁର ପରିବର୍ତନ ଯୋଗୁଁ ଏମାନଙ୍କର ସଂଖ୍ୟା ଉଦ୍ବେଗଜନକ ଭାବେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏପରିକି ଏମାନଙ୍କ ମଧ୍ୟରୁ କିଛି ପ୍ରଜାତି ସମ୍ପୂର୍ଣ୍ଣ ଭାବେ ଲୋପ ପାଇଗଲେଣି। ଚାଷ ଜମିରେ ଅଧିକ ଫସଲ ଉତ୍ପାଦନ କରିବା ପାଇଁ ଅଧିକ ମାତ୍ରାରେ ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ପ୍ରୟୋଗ ଦ୍ୱାରା ଗୋସମ୍ପଦ ଆଜି ବିପଦଗ୍ରସ୍ତ। ଦୁଗ୍ଧ ଉତ୍ପାଦନ ହ୍ରାସ ହେବା ଦ୍ୱାରା ମଣିଷ ଖାଦ୍ୟର ପୃଷ୍ଟିକରତା କମିଛି। ମୋଟାମୋଟି ଭାବେ କହିବାକୁ ଗଲେ, ପୃଥିବୀର ସମଗ୍ର ପରିବେଶ ନଷ୍ଟ ହୋଇଛି। ସମ୍ପ୍ରତି ପରିବେଶର ବନ୍ଧୁ ବାଦୁଡିମାନଙ୍କର ଏଥିଯୋଗୁଁ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଠିକ୍ ସେହିପରି ମଣିଷ ପାଇଁ ଅମୃତ ସମାନ ମହୁ ତିଆରି କରୁଥିବା ଏବଂ ପରାଗସଙ୍ଗମ ଦ୍ୱାରା ସମସ୍ତ ପ୍ରକାର ଫସଲ ଉତ୍ପାଦନରେ ସାହାଯ୍ୟ କରୁଥିବା ମହୁମାଛି ଆଜି ବିପନ୍ନ। ଏତଦ୍ ବ୍ୟତୀତ ଜଙ୍ଗଲ ସହ ଆଦିବାସୀମାନଙ୍କ ସଂସ୍କୃତି ଓ ପରମ୍ପରାର ଘନିଷ୍ଠ ସମ୍ପର୍କ ରହିଛି। ତେଣୁ ଜଙ୍ଗଲ ଓ ପଶୁସମ୍ପଦର ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ଆମର ଏକାନ୍ତ ଆବଶ୍ୟକ ହୋଇପଡିଛି। ପରିବେଶ ଅବକ୍ଷୟକୁ ରୋକିବାକୁ ହେଲେ ଆମକୁ ଜୈବିକ କୃଷିକୁ ଆପଣେଇବାକୁ ପଡିବ। ସେହିଭଳି ପୁରାତନ ଜଙ୍ଗଲ, ପାହାଡ,ନଦୀ,ନାଳ ଓ ସବୁଜିମା ଭରା ବୃଷରାଜିକୁ ଯଥାବିଧି ସଂରକ୍ଷଣ କରିବାକୁ ପଡିବ। ପଞ୍ଚାୟତସ୍ତର ଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ବନୀକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଗଲେ, ଜୈବବିବିଧତାର ସୁରକ୍ଷା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ। ଏଥିପାଇଁ ଜନସଚେତନତାର ଆବଶ୍ୟକତା ରହିଛି। ତା’ହେଲେ ଆମର ଏହି ଦିବସ ପାଳନର ମହତ୍ୱ ବଜାୟ ରହିବ ବୋଲି ପୂର୍ବତନ ନିର୍ଦ୍ଦେଶକ, ଜଙ୍ଗଲ ଓ ପରିବେଶ ବିଭାଗର ପୂର୍ବତନ ନିର୍ଦେଶକ ଭାଗୀରଥି ବେହେରା ପ୍ରକାଶ କରିଛନ୍ତି।

Comments are closed.