ଅଶ୍ବିନଙ୍କ ଘାତକ ବୋଲିଂ; ୨ୟ ଇନିଂସରେ ଇଂଲଣ୍ଡ ଧରାଶାୟୀ, ଭାରତକୁ ୪୨୦ ରନ୍‌ର ଟାର୍ଗେଟ

ଚେନ୍ନାଇ: ପ୍ରଥମ ଇନିଂସରେ ଇଂଲଣ୍ଡର ଧମାକାଦାର ବ୍ୟାଟିଂ ପରେ ୨ୟ ଇନିଂସରେ ଭ୍ରମଣକାରୀ ଦଳ ଚିତ୍‌ପଟାଙ୍ଗ ମାରିଛି। ଭାରତକୁ ବଡ଼ ଟାର୍ଗେଟ ଦେବାକୁ ଯୋଜନା କରିଥିବା ଇଂଲଣ୍ଡ ଦଳ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଇଂଲଣ୍ଡ ଟିମ୍‌ ୧୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ଇନିଂସର ଅଗ୍ରଣୀ ସହିତ ଘରୋଇ ଟିମ୍‌କୁ ଇଂଲଣ୍ଡ ୪୨୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି।

ଭାରତ ୪ର୍ଥ ଦିନରେ ଏହାର ଅସମାପ୍ତ ଇନିଂସରୁ ଖେଳ ଆରମ୍ଭ କରିଥିଲା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଘରୋଇ ଦଳ କଷ୍ଟେମଣ୍ଟେ ୩୩୭ ରନ୍‌ କରିବାରେ ସଫଳ ହୋଇଥିଲା। ଫଳରେ ଦଳ ପ୍ରଥମ ଇନିଂସରେ ୨୪୧ ରନରେ ପଛୁଆ ରହିଥିଲା। ଏହା ପରେ ଭ୍ରମଣକାରୀ ଦଳ ୨ୟ ଇନିଂସ ଖେଳ ଆରମ୍ଭ କରିଥିଲା। କିନ୍ତୁ ଇଂଲଣ୍ଡ ଖେଳାଳିମାନେ ଭାରତୀୟ ବୋଲରଙ୍କୁ ଭଲ ଭାବେ ସାମ୍ନା କରିପାରି ନ ଥିଲେ। ବିଶେଷ କରି ଅଶ୍ବିନଙ୍କ ବୋଲିଂ ସେମାନଙ୍କୁ ଅକଳରେ ପକାଇ ଦେଇଥିଲା। ଅଶ୍ବିନ ୧୭.୩ ଓଭର ବୋଲି କରି ୬୧ ରନ୍‌ ବିନିମୟରେ ୬ ଉଇକେଟ ହାସଲ କରିଥିଲେ। ନଦୀମ ୨ଟି ଏବଂ ଇଶାନ୍ତ ଶର୍ମା ଗୋଟିଏ ଉଇକେଟ୍‌ ନେଇଥିଲେ।

ଏହା ପରେ ଭାରତ ୪୨୦ ରନ୍‌ର ଟାର୍ଗେଟକୁ ପିଛା କରି ୨ୟ ଇନିଂସ ଖେଳ ଆରମ୍ଭ କରିଛି। ଅପରାହ୍ନ ୪ଟା ୪୫ ସୁଦ୍ଧା ଟିମ ଇଣ୍ଡିଆ ୭.୩ ଓଭରରେ ୧ ଉଇକେଟ୍‌ ବିନିମୟରେ ୩୪ ରନ୍‌ ସଂଗ୍ରହ କରିନେଇଛି। ଆସନ୍ତା କାଲି ଗୋଟିଏ ଦିବସର ଖେଳ ବାକି ରହିଥିବାବେଳେ ଏହା ନିର୍ଣ୍ଣାୟକ ହେବ ବୋଲି ଆଶା କରାଯାଉଛି।

Comments are closed.