ବୃକ୍ଷ ପ୍ରେମରେ ଯୁବଯନ୍ତ୍ରୀ : ସୃଷ୍ଟି କଲେଣି ୨୦ରୁ ଊର୍ଦ୍ଧ୍ବ ଗ୍ରାମ୍ୟ ଜଙ୍ଗଲ

କଟକ : ପେସାରେ ଜଣେ ଯନ୍ତ୍ରୀ। ନିଶା କିନ୍ତୁ ସବୁଜ ପରିବେଶ ସୃଷ୍ଟି କରିବା। ରାଜ୍ୟର ଅନ୍ୟତମ ପ୍ରଦୂଷିତ ସହର ପାରାଦ୍ବୀପ ଏବଂ ଏହାର ସନ୍ନିକଟ ଅଞ୍ଚଳରେ ବ୍ୟାପକ ଚାରାରୋପଣ କରି ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ଜଣେ ଯୁବଯନ୍ତ୍ରୀ ହେଉଛନ୍ତି ଅମରେଶ ନରେଶ ସାମନ୍ତ।
ପାରାଦ୍ବୀପ ସମେତ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାରେ ୨୦ରୁ ଊର୍ଦ୍ଧ୍ବ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିସାରିଲେଣି। କେବଳ ଜଙ୍ଗଲ ସୃଷ୍ଟି କରିବା ନୁହେଁ, ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ୭୧୫କିଲୋମିଟର ଯାତ୍ରା କରି ଅମରେଶ ଏକ ନିଆରା ଉଦାହରଣ ତିଆରି କରିଛନ୍ତି। ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକର ବିଶ୍ବାଳୀ ଗ୍ରାମରେ ଅମରେଶଙ୍କ ଘର। ଗଛପ୍ରତି ତାଙ୍କର ଛୋଟଟି ବେଳୁ ବିଶେଷ ଦୁର୍ବଳତା ରହିଥିଲା। ଛୋଟବେଳେ ସାଙ୍ଗସାଥୀ ଖେଳ କୁଦରେ ସମୟ କାଟୁଥିବା ବେଳେ ଅବସରବେଳେ ଗାଁ ରାସ୍ତାରେ ଗଛଟିଏ ଲଗାଇବାକୁ ଭୁଲୁ ନଥିଲେ ଅମରେଶ। ଅମେରଶଙ୍କ ଏପ୍ରକାର ଚାରାରୋପଣ ନିଶା ଦେଖି ପରିବାର ଲୋକ ଅନେକ ସମୟରେ ଅସନ୍ତୋଷ ପ୍ରକାଶ କରନ୍ତି, କିନ୍ତୁ ତାଙ୍କୁ ସେଥିରୁ ରୋକି ପାରନ୍ତି ନାହିଁ। ବୟସ ବଢିବା ସହିତ ଅମରେଶଙ୍କ ପରିବେଶ ସୁରକ୍ଷା ନିଶା ବି ବଢିଚାଲିଲା।
ଉଚ୍ଚଶିକ୍ଷା ଗ୍ରହଣ କରିବା ପରେ ୧୯୯୭ରେ ପାରାଦ୍ବୀପ ବନ୍ଦରରେ ଜଣେ ଯନ୍ତ୍ରୀଭାବେ ଚାକିରି କରିଥିଲେ। ଚାକିରି ପରେ ଅମରେଶଙ୍କ ପରିବେଶ ସୁରକ୍ଷା ଚିନ୍ତା ବଢିଯାଇଥିଲା। ଏକାକୀ ବିଭିନ୍ନ ଅଞ୍ଚଳରେ ଚାରାରୋପଣ କରିବା ସହିତ ତାଙ୍କ ସ୍ବପ୍ନକୁ ସଫଳ କରିବା ପାଇଁ ବାବା ବାଲୁଙ୍କେଶର ଗ୍ରାମ୍ୟ ବିକାଶ ପରିଷଦ ଗଢିଥିଲେ। ପରିଷଦ ସହାୟତାରେ ଏବେ ଗୋଟିଏ ପରେ ଗୋଟିଏ ଗ୍ରାମରେ ଜଙ୍ଗଲ ସୃଷ୍ଟି କରିଚାଲିଛନ୍ତି। ପରିବେଶ ସେବା​‌େର​‌ ନିଜ ଜୀବନକୁ ସମର୍ପି ଦେଇଛନ୍ତି। ସେଥିପାଇଁ ନିଜର ସଂସାର ନ ଗଢି, କାହାକୁ ଜୀବନସାଥୀ ନ କରି ପରିବେଶ ସହିତ ସମ୍ପର୍କ ଗଢିଦେଇଛନ୍ତି। ନିଃସଙ୍ଗତାରେ ହିଁ ତାଙ୍କ ହାତ ଗଢା ଜଙ୍ଗଲର ଗଛମାନଙ୍କ ସହିତ ସମୟ କାଟନ୍ତି। ସେଥିପାଇଁ ସକାଳରୁ ସଞ୍ଜ ଯାଏଁ ଗଛମାନଙ୍କ ଗହଣରେ ରହନ୍ତି। ଗଛର କଥା ବୁଝନ୍ତି, ତା’ଦୁଃଖ ଶୁଣନ୍ତି, ପାଣି ଦେଇ ତା’ର ତୃଷ୍ଣା ମେଣ୍ଟାନ୍ତି। ପବନ କି ବର୍ଷାରେ ଗଛଟି ଭାଙ୍ଗିପଡିଲେ କି ମରିଗଲେ ସେ ମନଦୁଃଖ କରନ୍ତି। ମଲା ଗଛ ସ୍ଥାନରେ ଆଉ ଏକ ଚାରା ଲଗାନ୍ତି। ପାଣି ଦିଅନ୍ତି, ତା’ ସୁରକ୍ଷା ପାଇଁ ବି ଦୃଷ୍ଟି ଦିଅନ୍ତି।

୧୯୯୯ମହାବାତ୍ୟାରେ ଛିନ୍ନଛତ୍ର ହୋଇଯାଇଥିଲା ପାରାଦ୍ବୀପ ସମେତ ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲା। ଉଜୁଡି ଯାଇଥିଲା ଶହଶହ ଗଛ। ସବୁଜିମା ହୋଇଥିଲା ଧ୍ବଂସ୍ତବିଧୋସ୍ତ। ପରିବେଶ ଏକପ୍ରକାର ନଷ୍ଟ ହୋଇଯାଇଥିଲା। ପ୍ରକୃତିପ୍ରେମୀ, ପରିବେଶପ୍ରେମୀ ଅମରେଶଙ୍କୁଏହା ଅସ୍ଥିର କରିଦେଇଥିଲା। ଉଜୁଡା ପରିବେଶକୁ ସଜାଡି ପାଇଁ ଅମରେଶ ଶପଥ ନେଇଥିଲେ। ପୂର୍ବରୁ ଆରମ୍ଭ କରିଥିବା ଚାରାରୋପଣ କାର୍ଯ୍ୟକ୍ରମକୁ ସେ ଆହୁରି ବ୍ୟାପକ କରିଥିଲେ। ନିଜ ହାତଗଢା ଅନୁଷ୍ଠାନ ମାଧ୍ୟମରେ ପାରାଦ୍ବୀପ ସମେତ, ପାରାଦ୍ବୀପଗଡ, ବିଶ୍ବାଳୀ, କୋଠି, ଲୁଣୁକୁଆ ସମେତ କେନ୍ଦ୍ରାପଡା ଜିଲାର ମହାକାଳପଡା, ରାଜକନିକା ପ୍ରଭୃତି ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ବ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିଛନ୍ତି। ଜଙ୍ଗଲରେ ବିଭିନ୍ନ ମୂଲ୍ୟବାନ ଗଛ ରହିଛି। ଏହିସବୁ ଜଙ୍ଗଲରେ ଚଢେଇଙ୍କ ପାଇଁ ବସା ଓ ଖାଦ୍ୟ ପାନୀୟ ବ୍ୟବସ୍ଥା ମଧ୍ୟ ସେ କରିଛନ୍ତି। ଆମେ ଜୀବନରେ ସମସ୍ତଙ୍କ ଋଣ ଶୁଝିପାରିବା; କିନ୍ତୁ ପ୍ରକୃତି ଓ ପରିବେଶ ମଣିଷ ସମାଜକୁ ଦେଇଥିବା ଦାନକୁ କେବେ ବି ଭରଣା କରିବା ପାରିବା ନାହିଁବୋଲି କହନ୍ତି ଅମରେଶ।
ଅମରେଶଙ୍କ ପରିବେଶପ୍ରତି ନିଷ୍ଠା ଓ ସମର୍ପିତ ସେବା ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭକରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମେତ ପୁରସ୍କୃତ କରିଛନ୍ତି। ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଅମେରଶଙ୍କ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ ପାଇଁ ସମ୍ମାନିତ କରିଛନ୍ତି। ପ୍ରକୃତିବନ୍ଧୁ, ପ୍ରକୃତିମିତ୍ର, ବିଜୁ ପଟ୍ଟନାୟକ ୱାଇଲଡ ଲାଇଫ ସମ୍ମାନ, ଶ୍ରେଷ୍ଠ ସାମାଜିକ ସଂଗଠନ-୨୦୧୭, କଳିଙ୍ଗଶ୍ରୀ ସମ୍ମାନ, ଗାନ୍ଧୀ-ବିନୋବା ସମ୍ମାନ ଭଳି ଶହ ଶହ ସମ୍ମାନ ଓ ସମ୍ବର୍ଦ୍ଧନା ମିଳିଛି ଅମରେଶଙ୍କୁ। କେବଳ ଗଛ ଲଗାଇବାରେ ସେ ସିମୀତ ହୋଇନାହାନ୍ତି। ଗଛ ଲଗାଇ ପରିବେଶ ସୁରକ୍ଷା କରିବା ସହିତ ଲୋକଙ୍କ ମଧ୍ୟରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସେ ରାଜ୍ୟର ୮ଟି ଜିଲାରେ ୭୧୫କିଲୋମିଟ ଦୂରତା ସାଇକଲରେ ଯାତ୍ରା କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୯ରେ ଅମରେଶ ପରିବେଶ ସଚେତନତା ଉଦ୍ଦେଶ୍ୟରେ ଏହି ସାଇକଲ ଯାତ୍ରା ପାରାଦ୍ବୀପରୁ ଆରମ୍ଭକରି କେନ୍ଦ୍ରାପଡା, ଜଗତସିଂହପୁର, ବ୍ରହ୍ମପୁର,ଖୋର୍ଦ୍ଧାର ସମେତ ୮ଟି ଜିଲାର ବିଭିନ୍ନ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କୁ ପରିବେଶ ସୁରକ୍ଷା ପାଇଁ ଶପଥ କରାଯାଇଥିଲେ। ଏଥିସହିତ ୬୦ଜଣ ପରିବେଶବିତ, ପରିବେଶବିଜ୍ଞାନୀ, ପ୍ରଶାସନିକ ଅଧିକାରୀଙ୍କୁ ଭେଟି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ। ଯେଉଁଥିପାଇଁ ଅନେକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ରାଜ୍ୟପାଳ ଡଃ ଗଣେଣୀ ଲାଲ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ।

Comments are closed.