ଇଞ୍ଜିନିୟରିଂ ନାମଲେଖା ଅବଧି ୫ ଦିନ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯାଇଛି। ଶନିବାର ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ୧୨ ହଜାର ୫୩୬ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଗତବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇ ଥିବା ଛାତ୍ରଛାତ୍ରୀଙ୍କଠାରୁ ଚଳିତ ବର୍ଷ ୪ ହଜାର ଅଧିକ ବିଦ୍ୟାର୍ଥୀ ନାମଲେଖାଇଥିଲେ ମଧ୍ୟ ୬୦.୩୭ ପ୍ରତିଶତ ସ୍ଥାନ ଖାଲି ରହିଛି। ଏହାକୁ ଦୃଷ୍ଟିରେ ରଖି ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ନାମଲେଖାଇବାର ସୁଯୋଗ ଦେବା ପାଇଁ ନାମଲେଖା ଅବଧିକୁ ୫ଦିନ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରୀ ଇଞ୍ଜିନିୟରିଂ କଲେଜରେ ୮୦.୮୮ ପ୍ରତିଶତ ସ୍ଥାନ ପୂରଣ ହୋଇ ସାରିଥିବାବେଳେ ଘରୋଇ ଇଞ୍ଜିନିୟରିଂ କଲେଜରେ ୩୩.୮୭ ପ୍ରତିଶତ ସ୍ଥାନ ପୂରଣ ହୋଇଛି। ଆସନ୍ତା ସପ୍ତାହରେ ନାମଲେଖା ଫି ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଏବଂ ଏହା ଆସନ୍ତା ତିନୋଟି ଶିକ୍ଷା ବର୍ଷ ନିମନ୍ତେ ଲାଗୁ କରାଯିବ ବୋଲି ଆଲୋଚନାରୁ ଜଣାପଡ଼ିଛି। ବୈଠକରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ବୈଷୟିକ ଶିକ୍ଷା ନିର୍ଦେଶକ ରେଘୁ ଜିଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.