ବଟ୍‌ଲରଙ୍କ ଶତକ ; ଶ୍ରୀଲଙ୍କାକୁ ହରାଇ ସେମିରେ ଇଂଲଣ୍ଡ

ଦୁବାଇ : ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି ଇଂଲଣ୍ଡ। ସୋମବାର ଗ୍ରୁପ୍‌-୧ର ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୨୬ ରନ୍‌ରେ ଇଂଲଣ୍ଡ ପରାସ୍ତ କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଜୋସ୍ ବଟ୍‌ଲରଙ୍କ ଅପରାଜିତ ଶତକ ଓ ଅଧିନାୟକ ଇଓନ୍ ମୋର୍ଗାନ୍‌ଙ୍କ ଉପଯୋଗୀ ଇନିଂସ ବଳରେ ଇଂଲଣ୍ଡ ୪ ୱିକେଟ ହରାଇ ୧୬୩ ରନ୍‌ କରିଥିଲା। ପରେ କୌଣସି ବ୍ୟାଟ୍‌ସମ୍ୟାନ୍ ବଡ଼ ସ୍କୋର୍ କରି ନପାରିବାରୁ ଶ୍ରୀଲଙ୍କା ୧୯ ଓଭରରେ ୧୩୭ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ତା’ର ୪ଟିଯାକ ଲିଗ୍‌ ମ୍ୟାଚ୍‌ ଜିତି ସର୍ବାଧିକ ୮ ପଏଣ୍ଟ ପାଇ ଇଂଲଣ୍ଡ ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି। ୪ର୍ଥ ମ୍ୟାଚ୍‌ରେ ୩ୟ ପରାଜୟ ଭୋଗିବା ପରେ ଶ୍ରୀଲଙ୍କା ଦଳ ସେମିଫାଇନାଲରୁ ବାଦ୍‌ପଡ଼ିବା ଦ୍ବାରରେ ପହଞ୍ଚି ଯାଇଛି।
୧୬୪ ରନ୍‌ ଲକ୍ଷ୍ୟରେ ଶ୍ରୀଲଙ୍କା ପ୍ରଥମ ଓଭରରେ ପାଥୁମ୍ ନିଶଙ୍କା (୧)ଙ୍କ ୱିକେଟ ହରାଇଥିଲା। କ୍ରିଜ୍‌କୁ ଆସିବା ମାତ୍ରେ କିଛି ଦର୍ଶନୀୟ ସଟ୍‌ ଖେଳିଥିବା ଚରିତ ଆସାଲଙ୍କା ୧୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୧ ରନ୍‌କରି ଆଉଟ ହୋଇଥିଲେ। କୁଶଳ ପରେରା ତାଙ୍କ ଖରାପ ଫର୍ମ ବଜାୟରଖି ୭ ଓ ଅଭିକ୍ଷା ଫର୍ଣ୍ଣାଣ୍ଡୋ ୧୩ ରନ୍‌କରି ବିଦାୟ ନେଇଥିଲେ। ଭାନୁକା ରାଜପକ୍ଷ ୧୮ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍‌ କରିଥିଲେ। ୭୬ ରନ୍‌ରେ ଶ୍ରୀଲଙ୍କା ୫ଟି ୱିକେଟ ହରାଇବା ପରେ ଅଧିନାୟକ ଦାସୁନ୍ ଶନକ ଓ ୱାନିନ୍ଦୁ ହସରଙ୍ଗା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ୫୩ ରନ୍‌ ଯୋଡ଼ିବା ପରେ ହସରଙ୍ଗା ୨୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଶନକ ୨୫ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୬ ରନ୍‌କରି ରନ୍‌ଆଉଟ ହେବା ସହ ଶ୍ରୀଲଙ୍କାର ବିଜୟ ଆଶା ମଉଳି ଯାଇଥିଲା। ୮ ରନ୍‌ରେ ଶ୍ରୀଲଙ୍କା ଶେଷ ୫ଟି ୱିକେଟ ହରାଇଥିଲା। ମୋଇନ୍ ଅଲୀ, ଆଦିଲ ରସିଦ୍ ଓ କ୍ରିସ୍ ଜୋର୍ଡାନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଦୁଇ ପୂର୍ବତନ ଚମ୍ପିଆନ୍‌ଙ୍କ ଏହି ମୁକାବିଲାରେ ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂ କରିଥିଲା। ଆରମ୍ଭରୁ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୬ଷ୍ଠ ଓଭରରେ ୩୫ ରନ୍‌ରେ ଇଂଲଣ୍ଡର ୩ଟି ୱିକେଟ ପଡ଼ି ଯାଇଥିଲା। ଜେସନ୍ ରୟ ୯, ଡାୱିଡ୍‌ ମଲାନ୍ ୬ ଓ ଜନି ବେୟାରଷ୍ଟୋ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୱାନିନ୍ଦୁ ହସରଙ୍ଗା ଏହି ୩ଟି ୱିକେଟ ନେଇଥିଲେ। ପରେ ଜୋସ୍ ବଟ୍‌ଲର ଓ ଇଓନ୍‌ ମୋର୍ଗାନ୍ ଜଗିରଖି ଖେଳି ଇନିଂସ ଗଢ଼ିଥିଲେ। ୧୨ ଓଭରରେ ଇଂଲଣ୍ଡ ମାତ୍ର ୬୧ ରନ୍‌ କରିଥିବା ବେଳେ ଶେଷ ୮ ଓଭରରୁ ବଟ୍‌ଲରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ୧୦୨ ରନ୍‌ କରି ପାରିଥିଲା। ବଟ୍‌ଲର ଓ ମୋର୍ଗାନ୍ ୪ର୍ଥ ୱିକେଟ ପାଇଁ ୧୩ ଓଭରରେ ୧୧୨ ରନ୍‌ ଯୋଡ଼ିବାରୁ ଇଂଲଣ୍ଡ ପ୍ରଭାବଶାଳୀ ସ୍କୋର୍‌ରେ ପହଞ୍ଚି ପାରିଥିଲା। ୪୫ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ବଟ୍‌ଲର ପରବର୍ତ୍ତୀ ୨୨ ବଲ୍‌ ଖେଳି ଶତକରେ ପହଞ୍ଚି ପାରିଥିଲେ। ବାମହାତି ମୋର୍ଗାନ୍ ୩୬ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୪୦ ରନ୍‌ କରି ଆଉଟ ହୋଇଥିଲେ। ଇନିଂସର ଅନ୍ତିମ ବଲ୍‌ରେ ଛକାମାରି ବଟ୍‌ଲର ଶତକ ପୂରଣ କରିଥିଲେ। ବଟ୍‌ଲର ଜୀବନର ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ଶତକ ହାସଲ କରିଥିବା ବେଳେ ଇଂଲଣ୍ଡର ୪ର୍ଥ ଖେଳାଳି ଭାବେ ଏହି କୃତିତ୍ବ ହାସଲ କରିଛନ୍ତି। ଚଳିତ ବିଶ୍ବକପ୍‌ରେ ଏହା ପ୍ରଥମ ଶତକ। ପ୍ଲେୟର ଅଫ୍ ଦି ମ୍ୟାଚ୍‌ ବଟ୍‌ଲର ୬୭ ବଲ୍‌ରୁ ୬ଟି ଲେଖାଏଁ ଛକା ଓ ଚୌକା ସହ ୧୦୧ ରନ୍‌କରି ଅପରାଜିତ ଥିଲେ।

Comments are closed.