ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ : ଇଂଲଣ୍ଡ ସ୍ପିନରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ : ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡ ଦଳର ସ୍ପିନରମାନେ କିପରି ପ୍ରଦର୍ଶନ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଇଂଲଣ୍ଡ କ୍ରିକେଟ୍‌ ଦଳ ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍ ଜିତିଛି। ଗଲ୍‌ ଟେଷ୍ଟର ୨ୟ ଇନିଂସରେ ଇଂଲଣ୍ଡ ଦଳର ଅଫ୍‌ସ୍ପିନର ଡୋମ୍‌ ବେସ୍‌ ଓ ବାମହାତୀ ସ୍ପିନର ଜ୍ୟାକ୍‌ ଲିଚ୍‌ ୧୦ଟିଯାକ ୱିକେଟ ଭାଗ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଏହି ଦୁଇ ସ୍ପିନର ୧୪ଟି ୱିକେଟ୍ ପାଇଥିଲେ। ଦଳରେ ୩ୟ ସ୍ପିନର ଭାବେ ମୋଇନ୍ ଅଲୀ ଅଛନ୍ତି।
ଗତଥର ଇଂଲଣ୍ଡ ଦଳ ଭାରତଠାରୁ ୪-୦ରେ ଟେଷ୍ଟ ସିରିଜ୍‌ ହାରିଥିଲା। ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ଭାରତୀୟ ସ୍ପିନରମାନେ ୬୮ଟି ୱିକେଟ୍ ହାସଲ କରିଥିବା ବେଳେ ଇଂଲଣ୍ଡ ଦଳ ୪୦ଟି ୱିକେଟ୍ ହାସଲ କରିଥିଲେ। ଚଳିତଥର ଇଂଲଣ୍ଡ ଦଳ ସହ ମୋଇନ୍‌ ଅଲ୍ଲି, ଡୋମ୍‌ ବେସ୍‌ ଓ ଜ୍ୟାକ୍‌ ଲିଚ୍‌ ଭାରତ ଗସ୍ତରେ ଆସିବେ। ଭାରତରେ ଟେଷ୍ଟ ମ୍ୟାଚ୍‌ ଖେଳିବା ନେଇ ମୋଇନ୍‌ଙ୍କ ନିକଟରେ ପୂର୍ବ ଅଭିଜ୍ଞତା ରହିଥିବା ବେଳେ ବାକି ଦୁଇ ସ୍ପିନରଙ୍କ ନିକଟରେ କୌଣସି ଅଭିଜ୍ଞତା ନାହିଁ। ଗତଥର ମୋଇନ୍‌ ଭାରତ ଗସ୍ତରେ ଆସି ବିଶେଷ ସଫଳତା ହାସଲ କରିପାରିନଥିଲେ। ସେ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ମାତ୍ର ୧୦ଟି ୱିକେଟ୍ ହାସଲ କରିଥିଲେ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡ ସ୍ପିନରମାନେ ବିଶେଷ ସଫଳତା ପାଇବେନାହିଁ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ସ୍ପିନର ମନିନ୍ଦର ସିଂହ। ଏକ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ମନିନ୍ଦର କହିଥିଲେ ଭାରତୀୟ ପିଚ୍‌ରେ ବଲ୍‌ ଟର୍ଣ୍ଣ କରିଥାଏ। ତେଣୁ ଏ ସବୁ ପିଚ୍‌ରେ କିପରି ବୋଲିଂ କରି ସଫଳତା ହାସଲ କରିବାକୁ ହୁଏ ସେ ସଂପର୍କରେ ଇଂଲଣ୍ଡ ସ୍ପିନରଙ୍କ ନିକଟରେ ଜ୍ଞାନ କମ୍‌। କେଉଁ ଲାଇନ୍‌-ଲେନ୍‌ଥରେ ବୋଲିଂ କରିବାକୁ ହେବ ତାହା ଇଂଲଣ୍ଡ ସ୍ପିନର ମାନେ ଭଲ ଭାବେ ବୁଝିପାରନ୍ତି ନାହିଁ। ସେହିପରି ଇଂଲଣ୍ଡର ପାଣିପାଗ ଓ ପରିବେଶ ଭାରତଠାରୁ ସଂପୂର୍ଣ୍ଣ ଭିନ୍ନ। ଭାରତର ଶୁଖିଲା ପିଚ୍‌ରେ ସ୍ପିନ ବୋଲିଂ କରି ସଫଳତା ପାଇବା କଳା ଇଂଲଣ୍ଡ ସ୍ପିନରଙ୍କ ନିମନ୍ତେ ବୋଧଗମ୍ୟ ନୁହେଁ ବୋଲି ମନିନ୍ଦର ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଥାଉକି ବର୍ତ୍ତମାନ ସୁଦ୍ଧା ବେସ୍‌ ଓ ଲିଚ୍‌ ଇଂଲଣ୍ଡ ତରଫରୁ ୧୨ଟି ଲେଖାଏଁ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଲିଚ୍‌ ୪୦ଟି ଓ ବେସ୍‌ ୨୭ଟି ୱିକେଟ୍‌ ହାସଲ କରିଛନ୍ତି। ମୋଇନ୍‌ ଅଲ୍ଲି ୬୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୮୧ଟି ୱିକେଟ୍‌ ହାସଲ କରିଥିବାରୁ ଭାରତ ବିପକ୍ଷ ସିରିଜ୍‌ରେ ଇଂଲଣ୍ଡ ଦଳ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବ।

Comments are closed.