ପୁରୀରେ ଶକ୍ତିମନ୍ତ୍ରୀଙ୍କ ସମୀକ୍ଷା; ଅନେକ ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି

ପୁରୀ: ବାତ୍ୟା ‘ଫନି’ ପୁରୀକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଛି। ଏଥିରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଜିଲାରେ ବିଦ୍ୟୁତ ସେବା ସ୍ବାଭାବିକ ହେବା ଲାଗି ଆହୁରି ଏକ ମାସ ସମୟ ଲାଗିବ ବୋଲି ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି। ବୁଧବାର ଶକ୍ତିମନ୍ତ୍ରୀ ପୁରୀରେ ଏକ ବୈଠକରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ବୈଠକ ପରେ ସେ କହିଥିଲେ, ପାନୀୟ ଜଳ, ପରିମଳ, ବିଦ୍ୟୁତ ସେବା ସମ୍ପର୍କରେ ଆଲୋଚନା ହୋଇଛି। ବାତ୍ୟା ପରେ ଅନେକ ସ୍ଥାନରେ ଜଳ ପ୍ରଦୂଷିତ ହୋଇଯାଇଛି। ଜଳ ପ୍ରଦୂଷଣ ଦ୍ବାରା ମହାମାରୀ ବ୍ୟାପିପା ଆଶଙ୍କା ରହିଛି। ଭାର୍ଗବୀ ନଦୀ ଦଳ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଛି। ତେଣୁ ମହାନଦୀରୁ ଭାର୍ଗବୀକୁ ଜଳ ଛଡ଼ାଯିବ। ପୁରୀ ଜିଲାରେ ବିଦ୍ୟୁତ ପୁନରୁଦ୍ଧାର ଲାଗି ମାସେ ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ବାତ୍ୟା ପରେ ବିଭିନ୍ନ ଜଳାଶୟ ଯଥା ନଦୀ ଏବଂ ପୋଖରୀର ଜଳ ପ୍ରଦୂଷିତ ହୋଇଛି। ପାଣିରେ ଗଛ ଡାଳ ଏବଂ ପତ୍ର ପଡ଼ିବା ଫଳରେ ତାହା ପଚିଯାଇ ଚାରିଆଡ଼େ ଦୁର୍ଗନ୍ଧ ସୃଷ୍ଟି କରୁଛି। ବର୍ତ୍ତମାନ ସୁଦ୍ଧା ଜିଲାର ଅଧିକାଂଶ ସ୍ଥାନରେ ପ୍ରଶାସନ ପକ୍ଷରୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

Comments are closed.