ଅନନ୍ତନାଗରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ବୁଧବାର ସକାଳେ ଯବାନମାନେ କେତେଜଣ ଆତଙ୍କବାଦୀଙ୍କୁ ଘେରିଯିବା ପରେ ଏହି ଗୁଳିବିନିମୟ ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ସେଠାରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି। କୌଣସି ଆତଙ୍କବାଦୀଙ୍କ ମୃତାହତ ନେଇ ତଥ୍ୟ ମିଳିନାହିଁ।

ଗତ ମଙ୍ଗଳବାର ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଲଗାତର ୨ୟ ଦିନ ପାଇଁ ଆକ୍ରମଣ କରିଥିଲେ। ସୋମବାର ସୋପିଆନରେ ଜଣେ ଟ୍ରକ ଚାଳକଙ୍କୁ ହତ୍ୟା କରିବା ପରେ ମଙ୍ଗଳବାର ସନ୍ଧ୍ୟାରେ ପୁଲୱାମାରେ ଥିବା ଯବାନଙ୍କ ଶିବିର ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। କିନ୍ତୁ ଗ୍ରେନେଡ ବିସ୍ଫୋରଣ ନ ଘଟିବାରୁ କୌଣସି ଅଘଟଣ ଘଟି ନ ଥିଲା। ଏହା ପରେ ଯବାନମାନେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଅନ୍ୟପଟେ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା ଘଟଣାରେ ପୁଲିସ ୧୫ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରିଛି। ଘଟଣାରେ ହିଜବୁଲ ମୁଜାହିଦ୍ଦିନର ୪ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି।

Comments are closed.