ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲା ଲଶ୍କର ଆତଙ୍କୀ; ଏକେ ୪୭ ସମେତ ଅସ୍ତ୍ରଶସ୍ତ୍ର ଜବତ

ଶୋପିଆଁ: କାଶ୍ମୀର ଡିଭିଜନର ଶୋପିଆଁ ଜିଲାରେ ରବିବାର ସକାଳେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଜିଲ୍ଲାର ବସ୍କୁଚାନ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ପୁଲିସ କହିଛି। ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ବସ୍କୁଚାନ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏକ କର୍ଡନ ଏବଂ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଯେତେବେଳେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଖୋଜାଖୋଜି କରୁଥିଲେ ସେତେବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷା ବାହିନୀ ଏହାର ଜବାବ ଦେଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା।

କାଶ୍ମୀର ଏଡିଜିପି କହିଛନ୍ତି, ନିହତ ଆତଙ୍କବାଦୀ ନସୀର ଅହମ୍ମଦ ଭଟ ବୋଲି ଜଣାପଡିଛି। ସେ ନୌପୋରା ବସ୍କୁଚାନ ଶୋପିଆଁର ବାସିନ୍ଦା ଏବଂ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୈୟବା ସହିତ ଜଡିତ ଥିଲା। ପୁଲିସ ତା’ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ, ଏକେ ୪୭ ରାଇଫଲ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ସେ ଅନେକ ଆତଙ୍କବାଦୀ ଅପରାଧରେ ଜଡିତ ଥିଲା।

Comments are closed.