କୋଇଲା ଖଣିରେ ନିଯୁକ୍ତି ଦାବୀରେ ଅନଶନ

ରେଙ୍ଗାଲି: ଖିଣ୍ଡା ପଞ୍ଚାୟତରେ ଥିବା ଏନଏଲସି କମ୍ପାନୀର କୋଇଲା ଖଣି ଜମି ହରାଇଥିବା ଯୁବକଙ୍କ ହେଭି ଡ୍ରାଇଭିଂ ଲାଇସେନ୍ସ ଥିବା ସତ୍ୱେ ନିଯୁକ୍ତି ଦିଆଯାଉ ନଥିବାରୁ ଆଜି ଏହାର ପ୍ରତିବାଦରେ ଖଣି ଫାଟକ ସାମ୍ନାରେ ବିକାଶଚନ୍ଦ୍ର ଦାସ, ଶଶିଭୂଷଣ ନାଥ, ତ୍ରିନାଥ ନାଏକ ଏବଂ ରଞ୍ଜିତ ନାଥ ସକାଳ ୧୦ଟାରୁ ଅନଶନରେ ବସିଥିଲେ। ତେବେ ଅପରାହ୍ନ ୨ଟା ସମୟରେ ଅଦାନୀ କମ୍ପାନୀ ମାନବ ସମ୍ବଳ ବିଭାଗ ମୁଖ୍ୟ ପନଓାର ଠେଲକୁଲି ଆଇଆଇସି ପ୍ରକାଶ କୁମାର କର୍ଣଙ୍କ ସହିତ ଅନଶନ ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଜମିହରାଙ୍କୁ ଆଗାମୀ କିଛି ଦିନ ମଧ୍ୟରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା।

ଏନଏଲସି କୋଇଲା ଖଣି ଖନନ ଏବଂ ପରିଚାଳନା ଦାୟିତ୍ୱ ସମ୍ପାଦନ କରୁଥିବା ଅଦାନୀ କମ୍ପାନୀ ଖଣି ଯୋଗୁଁ ଜମି ହରାଇଥିବା ଏବଂ ପ୍ରଭାବିତ, କ୍ଷତିଗ୍ରସ୍ତ ହୋଇଥିବା ପରିବାରର ବେକାର ଯୁବକମାନଙ୍କୁ ଏଭଳି ପ୍ରତିଶ୍ରୁତି ଦେଇ ପରେ ଭୁଆଁ ବୁଲେଇ ନିଯୁକ୍ତି ନଦେଇ ଆଜି ଆସ କାଲି ଆସ ବୋଲି କହି ଟାଳଟୁଳ ନୀତି ଅବଳମ୍ବନ କରୁଥିବା ଅଭିଯୋଗ ହେଉଛି।

 

Comments are closed.