ଦାନା ବାନ୍ଧୁଛି ଛାତ୍ର ଅଶାନ୍ତି, ଶହ ଶହ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାମନ୍ତ୍ରୀ ଓ ପ୍ରଶାସନକୁ ଇମେଲରେ ଅଭିଯୋଗ

ଫୁଲବାଣୀ: ରାଜ୍ୟ ସରକାର ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା କରାଇବାକୁ ନିଷ୍ପତ୍ତି କରିଥିବା ବେଳେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ୫୦ କିମି ଦୂରରୁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ହିଁ ହଷ୍ଟେଲ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିବାରୁ ଏହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିରୋଧ କରିଛି। ମହାମାରୀ କରୋନା ଯୋଗୁଁ ବସ ଚଳାଚଳ ସ୍ୱାଭାବିକ ହୋଇ ନାହିଁ। ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାତାୟତରେ ଅସୁବିଧା ହେବ। ତେଣୁ ୫୦ କିମି ପରିବର୍ତେ ୧୦ କିମି ଦୂରରୁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ହଷ୍ଟେଲ ସୁବିଧା ଯୋଗାଇ ଦେବାକୁ ପରିଷଦ ଦାବି କରିଥିବା ବେଳେ ଏହାକୁ ସ୍ୱାଗତ କରି କନ୍ଧମାଳ ଜିଲାର ଶହ ଶହ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ଜିଲା ପ୍ରଶାସନକୁ ଇମେଲ୍‍ ମାଧ୍ୟମରେ ତାଙ୍କର ଅଭିଯୋଗ ପତ୍ର ଦାଖଲ କରିଥିବାର ଜଣାଯାଇଛି। ଏଥିସହ ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ପ୍ରଶାସନ କରିଥିବା ଲକଡାଉନ ଯୋଗୁଁ କନ୍ଧମାଳର ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇ ପଡିଛି। ତେଣୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାର ୭ ଦିନ ପୂର୍ବରୁ ହଷ୍ଟେଲରେ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ଦାବିକରି ଇମେଲ ମାଧ୍ୟମରେ ଅଭିଯୋଗ ଦର୍ଶାଇଛନ୍ତି। ଏହାକୁ ନେଇ ଦିନକୁ ଦିନ ଜିଲାରେ ଛାତ୍ର ଅଶାନ୍ତି ଦାନା ବାନ୍ଧୁଥିବା ବେଳେ ଜିଲା ପ୍ରଶାସନ ଓ ରାଜ୍ୟସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ନେବା ଜରୁରି ହୋଇ ପଡିଛି। ପ୍ରକାଶଯେ, ଛାତ୍ରଛାତ୍ରୀମାନେ ଇମେଲ୍‍ ମାଧ୍ୟମରେ ଚଳିତ ବର୍ଷ ହେବାକୁ ଯାଉଥିବା ଶେଷବର୍ଷ ପରୀକ୍ଷା ଆଧାରିତ କିଛି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରୁଥିବା ପ୍ରକାଶ।

Comments are closed.