ପଇଡ଼ ମଦ ପିଇ ୧୧ ମୃତ, ୩୦୦ ଅସୁସ୍ଥ

ମାନିଲା : ଫିଲିପାଇନ୍ସରେ ଆୟୋଜିତ ଏକ ବଡ଼ ଦିନ ଉତ୍ସବରେ ପଇଡ଼ ପ୍ରସ୍ତୁତ ମଦ ପିଇ ୧୧ଜଣଙ୍କ ପ୍ରାଣହାନି ଘଟିଛି ଓ ଅନ୍ୟ ୩୦୦ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜଧାନୀ ମାନିଲାର ଦକ୍ଷିଣରେ ଅବସ୍ଥିତ ଲାଗୁନା ଓ ​‌େ​‌କ୍ବଜନ୍‌ଠାରେ ଗତ ଦୁଇ ତିନି ଧରି ଆୟୋଜିତ ଉତ୍ସବରେ ସାମିଲ ଲୋକମାନେ ‘ଲାମ୍ବାନଗ’ ପାନୀୟ ପିଇଥିଲେ। ପଇଡ଼ରୁ ପ୍ରସ୍ତୁତ ଏହି ପାନୀୟ ସମ୍ପୃକ୍ତ ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ଏବଂ ଉତ୍ସବାନୁଷ୍ଠାନ ସମୟରେ ସମସ୍ତେ ଏହାକୁ ପାନ କରନ୍ତି। ଏହାର ପ୍ରସ୍ତୁତି ଓ ବିକ୍ରୟ ଉପରେ କୌଣସି ସରକାରୀ ନିୟନ୍ତ୍ରଣ ନ ଥାଏ। ଅନେକ ସମୟରେ ଏହା ଅପମିଶ୍ରଣ କାରଣରୁ ବିଷାକ୍ତ ହୋଇଯାଇଥାଏ। ଏହି କାରଣରୁ ସାମ୍ପ୍ରତିକ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୃତକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

Comments are closed.