ଓଡ଼ିଶା ପାଲଟିଛି ହାତୀଙ୍କ ମୃତ୍ୟୁକ୍ଷେତ୍ର

ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କଲେ ପରିବେଶବିତ୍‌

ଭୁବନେଶ୍ବର :  କେରଳରେ ଏକ ଗର୍ଭବତୀ ହାତୀକୁ ସପୁରିରେ ବାଣ ଖୁଆଇ ହତ୍ୟା ଘଟଣା ସମଗ୍ର ଦେଶରେ ପ୍ରତିବାଦର ସ୍ବର ସୃଷ୍ଟି କରିଥିଲା। ଓଡ଼ିଶାରେ ମଧ୍ୟ ଅନେକ ହାତୀ ଏପରି ଦୁର୍ଦଶା ଭୋଗି ଆସୁଛନ୍ତି। ପ୍ରତ୍ୟେକ ବର୍ଷ ବିଭିନ୍ନ କାରଣ ପାଇଁ ହାତୀଙ୍କ ମୃତ୍ୟୁ ଉଭୟ ସରକାର ଓ ପରିବେଶବିତ୍‌ଙ୍କ ପାଇଁ ଉଦ୍‌ବେଗର କାରଣ ହୋଇଛି।
ଚଳିତ ବର୍ଷ ଜାନୁଆରୀ ମାସରୁ ଅଦ୍ୟାବଧି ରାଜ୍ୟରେ ୧୨ ହାତୀଙ୍କ ଜୀବନ ଯାଇସାରିଲାଣି। ଗତବର୍ଷ ୫୬ ହାତୀ ମୃତ୍ୟୁବରଣ କରିଥିବା ବେଳେ ସେଥିରୁ ୧୬ ହାତୀଙ୍କୁ ଶିକାର କରାଯାଇଥିଲା। ଓଡ଼ିଶା ବନ୍ୟପ୍ରାଣୀ ସମିତି ପକ୍ଷରୁ କୁହାଯାଇଛି ଯେ ଗତକାଲି କେନ୍ଦୁଝର ଜିଲା ଚମ୍ପୁଆ ବନଖଣ୍ଡରେ ଦୁଇଟି ବୟସ୍କ ହାତୀଙ୍କ ମୃତଦେହ ମିଳିଥିଲା। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ଆଘାତ କିମ୍ବା ବିଷ ଦେଇ ସେମାନଙ୍କୁ ହତ୍ୟା କରାଯାଇ ଥିବା ଆଶଙ୍କା କରାଯାଉଛି। ହତ୍ୟା ପରେ ସେମାନଙ୍କ ଦାନ୍ତ ବାହାର କରି ନିଆଯାଇ ଥିବା ଜଣାପଡ଼ିଛି। ସେହିପରି ଗତ ୧୨ ତାରିଖରେ ରାଉରକେଲାର କୁଆଁରମୁଣ୍ଡା ବନଖଣ୍ଡରେ ଏକ ହାତୀ ଛୁଆର ମୃତଦେହ ମିଳିଥିଲା। କିନ୍ତୁ ଦାୟିତ୍ବରେ ଥିବା ଡିଏଫ୍‌ଓଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବା ପରିବର୍ତ୍ତେ ବିଭାଗ ପକ୍ଷରୁ କିଛି ତଳିଆ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଦାୟିତ୍ବ ସାରି ଦେଇଛନ୍ତି। ଗତବର୍ଷ ଏପ୍ରିଲ ୧ ତାରିଖରୁ ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ରାଜ୍ୟରେ ୮୫ଟି ହାତୀ ଆଖି ବୁଜିଲେଣି। ଏଥିରୁ ୩୮ଟି ହାତୀଙ୍କ ମୃତ୍ୟୁ ସ୍ବାଭାବିକ ଥିବା ବେଳେ ୧୫ଟି ହାତୀଙ୍କ ଶିକାର କରାଯାଇଛି। ସେହିପରି ୧୭ ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ ଆଘାତ ଦେଇ ୧୦ ହାତୀ, ସଡ଼କ ଦୁର୍ଘଟଣାରେ ୪ ଓ ଟ୍ରେନ୍ ଧକ୍କାରେ ୧ ହାତୀର ମୃତ୍ୟୁ ହୋଇଛି। ଓଡ଼ିଶା ବନ୍ୟପ୍ରାଣୀ ସମିତିର ସମ୍ପାଦକ ଡ଼ଃ ବିଶ୍ବଜିତ ମହାନ୍ତି କହିଛନ୍ତି, ୩୫% ହାତୀଙ୍କ ମୃତ୍ୟୁ ଅସ୍ବାଭାବିକ କାରଣ ପାଇଁ ହୋଇଥିବା ବେଳେ ଅସ୍ତ୍ରଶସ୍ତ୍ର, ତାରବାଡ଼, ବିଦ୍ୟୁତ ଆଘାତ ଓ ବିଷ ଦେଇ ୨୯ ପ୍ରତିଶତ ହାତୀଙ୍କୁ ହତ୍ୟା କରାଯାଇଛି। ବିଳମ୍ବରେ କିମ୍ବା ଗଳିତ ମୃତଦେହ ମିଳିବା କାରଣରୁ ୨୦ ପ୍ରତିଶତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁ ନାହିଁ। କହିବାକୁ ଗଲେ ରାଜ୍ୟରେ ୫୦ ପ୍ରତିଶତ ହାତୀ ମୃତ୍ୟୁ ଅସ୍ବାଭାବିକ କାରଣ ପାଇଁ ହେଉଛି। ସମଗ୍ର ଦେଶରେ ହାତୀ ମୃତ୍ୟୁ ହାରରେ ଓଡ଼ିଶା ଆଗୁଆ ରହିଛି। ଦାୟିତ୍ବରେ ଥିବା ବନ ବିଭାଗ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଉ ନଥିବାରୁ ହାତୀ ମୃତ୍ୟୁକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ନିଜ କ୍ଷେତ୍ରରେ ପ୍ରତ୍ୟେକ ଅସ୍ବାଭାବିକ ହାତୀ ମୃତ୍ୟୁ ପାଇଁ ଡିଏଫ୍‌ଓ ଅବା ରେଞ୍ଜ ଅଧିକାରୀଙ୍କୁ ଜବାବ ତଲବ କରିବା ପାଇଁ ୨୦୧୧ ମସିହାରେ ବିଭାଗ ପକ୍ଷରୁ ଜାରି ସର୍କୁଲାର୍‌ରେ ସ୍ପଷ୍ଟ କରାଯାଇଛି। ତେବେ ବାସ୍ତବ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଡ଼ଃ ମହାନ୍ତି ଅଭିଯୋଗ କରିଛନ୍ତି। ଗତ ୯ ବର୍ଷ ମଧ୍ୟରେ ଓଡ଼ିଶାରେ ୧୭୦ ହାତୀ ଶିକାରୀଙ୍କ ହାତରେ ପ୍ରାଣ ହରାଇଥିବାବେଳେ ଆଜି ଯାଏ କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ହେଲେ ବି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କାମ୍ପା ବଜେଟ୍‌ରେ ଓଡ଼ିଶାକୁ ୪୦୦ କୋଟିରୁ ଅଧିକ ଟଙ୍କା ମିଳୁଥିବା ବେଳେ ବନ ବିଭାଗ ହାତୀ ସୁରକ୍ଷା ପାଇଁ ପାଣି ଭଳି ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ଓଡ଼ିଶା ଏବେ ହାତୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିଣତ ହେଲାଣି। ଏପରି ଅବସ୍ଥାରେ ହାତୀଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବାକୁ ଆମେ ରାଜ୍ୟ ସରକାରଙ୍କୁ ପୁଣି ଥରେ ଅନୁରୋଧ କରୁଛୁ ବୋଲି ଡ଼ଃ ମହାନ୍ତି କହିଛନ୍ତି।

Comments are closed.