ହାତୀ ମୃତ୍ୟୁ ଲୁଚାଇବାକୁ ବନ ଅଧିକାରୀଙ୍କ ‘ଆନ୍ଥ୍ରାକ୍ସ’ ବାହାନା: ସୂଚନା ଅଧିକାର ତଥ୍ୟରୁ ଫିଟୁଛି ଗୁମର

୬ ମାସ ହେଲା ମୃତ୍ୟୁର କାରଣ ଅନୁଧ୍ୟାନ ଲାଗି ପରୀକ୍ଷାଗାରକୁ ଆସିନାହିଁ କୌଣସି ନମୁନା

ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଓଡ଼ିଶା  ୱାଇଲ୍ଡ଼ ଲାଇଫ୍ ସୋସାଇଟିର ଦାବି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହାତୀ ମୃୃତ୍ୟୁ ସଂଖ୍ୟା ବଢ଼ୁଛି । ହାତୀ ସଂଖ୍ୟା କମିବାରେ ଲାଗିଛି ।  ହାତୀ ସୁରକ୍ଷା ଲାଗି ସରକାର କୋଟିକୋଟି ଟଙ୍କା ବ୍ୟୟ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ହାତୀ ସୁରକ୍ଷା ଯୋଜନା  ଅନେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ନିଜ ମୁଣ୍ଡରୁ ଦୋଷ ଛଡାଇବା ଲାଗି ହାତୀ ମୃତ୍ୟୁକୁ ଅପ୍ରାକୃତିକ ମୃତ୍ୟୁ ବୋଲି ଦର୍ଶାଉଛନ୍ତି। ଏପରିକି ଶିକାରୀଙ୍କ ଦ୍ବାରା ହତ୍ୟା କରାଯାଇଥିବା ହାତୀକୁ ଆନ୍ଥ୍ରାକ୍ସରେ ମୃତ୍ୟୁ ଘଟିଥିବା କହୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଏପରି ଏକ ଷଡଯନ୍ତ୍ର ପଦାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଅନୁସାରେ ବିଭାଗୀୟ ଅଧିକାରୀଙ୍କ ତଥ୍ୟରେ ତାଳମେଳ ରହୁନାହିଁ। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ ମାତ୍ର ଦୁଇଟି ହାତୀର ମୃତ୍ୟୁ ଘଟିଛି।
ରାଜ୍ୟରେ ହାତୀ ଶିକାର ବୃଦ୍ଧି ପାଉଥିବାରୁ ଏ ଦିଗରେ ପଦକ୍ଷେପ ନେବାକୁ ୱାଇଲ୍ଡ ଲାଇଫ ସୋସାଇଟି ଅଫ ଓଡିଶା (ଡବ୍ଲ୍ୟୁଏସଓ) ପକ୍ଷରୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ସମେତ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଶେଷ କରି ଶିକାରୀମାନେ ଖାଦ୍ୟରେ ବିଷଦେଇ, ବିଦ୍ୟୁତ ତାର ବିଛାଇ ହାତୀ ଶିକାର କରି ଆସୁଛନ୍ତି। ହାତୀ ଶିକାର ରୋକିବା ଲାଗି ନିୟମିତ ପାଟ୍ରୋଲିଂ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଉତ୍ତରଦାୟୀ କରିବାକୁ ଡବ୍ଲ୍ୟୁଏସଓ ପକ୍ଷରୁ ଦାବି କରାଯାଇଥିଲା। ଅନେକ ସମୟରେ ଶିକାରୀମାନେ ହାତୀକୁ ହତ୍ୟାକରି ଦାନ୍ତ ନେଇଯିବା ପରେ ବିଭାଗୀୟ ଅଧିକାରୀମାନେ ଗଳିତ ଅବସ୍ଥାରେ ମୃତଦେହକୁ ଠାବ କରିଥାନ୍ତି। ଘଟଣାର ତଦନ୍ତ ନ କରି ଆନ୍ଥ୍ରାକ୍ସ ଯୋଗୁଁ ହାତୀର ମୃତ୍ୟୁ ଘଟିଥିବା ଦର୍ଶାଇଥାନ୍ତି। ମାତ୍ର ଅପ୍ରାକୃତିକ ମୃତ୍ୟୁ କିମ୍ବା ଶିକାରୀଙ୍କ ଦ୍ବାରା ମୃତ୍ୟୁ ଘଟିଥିଲେ ମାମଲା ରୁଜୁ କରିବା ସହ ବିଭିନ୍ନ ରିପୋର୍ଟ ଦେବାକୁ ପଡ଼ିଥାଏ। ଏହାଛଡା ଶିକାରୀଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ସମ୍ପର୍କ ରହୁଥିବାରୁ ଆନ୍ଥ୍ରାକ୍ସ କିମ୍ବା ରୋଗରେ ମୃତ୍ୟୁ ଘଟିବା ଦର୍ଶାଇ ଚୁପ ରହିଥାନ୍ତି।

ଡବ୍ଲ୍ୟୁଏସଓ ପକ୍ଷରୁ ଗତ ତିନିବର୍ଷରେ ରୋଗରେ କେତେ ହାତୀଙ୍କ ମୃତ୍ୟୁ ଘଟିଛି ସେନେଇ ତଥ୍ୟ ମଗାଯାଇଥିଲା। ଫୁଲନଖରାସ୍ଥିତ ପଶୁ ରୋଗ ଗବେଷଣା ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ପାଖକୁ ଆସିଥିବା ୨୦ଟି ନମୂନା ମଧ୍ୟରୁ ୨ଟିର ରିପାର୍ଟ ପଜିଟିଭ ଥିବା ଦର୍ଶାଯାଇଛି। ମାତ୍ର ଯେଉଁହାତୀଙ୍କର ଆନ୍ଥ୍ରାକ୍ସ ଜନିତ ମୃତ୍ୟୁ ଘଟିଥିବା ଦର୍ଶାଇ ବିଭାଗୀୟ ଅଧିକାରୀମାନେ ଗଭୀର ଗାତରେ ପୋତି ଦେଇଥିଲେ ସେହି ହାତୀଗୁଡ଼ିକର ରିପୋର୍ସଟ ଆନ୍ଥ୍ରାକ୍ସ ମୃତ୍ୟୁ ନୁହେଁ ଓ ରିପୋର୍ଟ ନେଗେଟିଭ୍ ବୋଲି କୁହାଯାଇଛି।  ସ୍ବାଭାବିକ ଭାବରେ ଯେଉଁ ଅଞ୍ଚଳରେ   ହାତୀ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଥାଆନ୍ତି, ସେହି ଅଞ୍ଚଳର ଅନ୍ୟ ପଶୁଙ୍କଠାରେ ଏହି ରୋଗ ଦେଖିବାକୁ ମିଳିବା ସ୍ବାଭାବିକ। ମାତ୍ର ସେଠାରେ ଅନ୍ୟ ପଶୁଙ୍କଠାରେ ଆନ୍ଥ୍ରାକ୍ସ ଲକ୍ଷଣ ଦେଖିବାକୁ ମିଳିନାହିଁ ।  ୨୦୧୯ ଅକ୍ଟୋବର ୨୩ ତାରିଖରେ ରେଢାଖୋଲ ଡିଭିଜନ ବଡମାଳ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ୨୦୨୦ ଜାନୁୟାରୀ ୧୯ ତାରିଖରେ ବଡମାଳ ଜଙ୍ଗଲରୁ ଏକ ହାତୀଛୁଆର ମୃତଦେହ ମିଳିଥିଲା ବେଳେ ଫେବ୍ରୁଆରୀ ୧୯ ତାରିଖରେ କେନ୍ଦୁଝର ରେଞ୍ଜ  ଭୂୟାଁ ଜୁଆଙ୍ଗ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ମୃତଦେହ ମିଳିଥିଲା। ଜୁନ ୨୦ ତାରିଖରେ ଅନୁଗୁଳ ଛେଣ୍ଡିପଦା ଜଙ୍ଗଲରୁ ଏକ ହାତୀର ମୃତଦେହ ମିଳିଥିଲା। ଏସବୁ ହାତୀ ଆନ୍ଥ୍ରାକ୍ସରେ ମରିଥିବା ଦର୍ଶାଇ ବନ ବିଭାଗ ଅଧିକାରୀମାନେ ପୋତି ଦେଇଥିଲେ ।  ମାତ୍ର ଏହାର ନମୂନା ପରୀକ୍ଷା ଲାଗି ପଠାଇ ନ ଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ େହଉଛି ବିଭାଗୀୟ ଅଧିକାରୀମାନେ ଜାଣିଶୁଣି ମୃତ୍ୟୁର ପ୍ରକୃତ କାରଣ ଲୁଚାଉଛନ୍ତି। ଯେଉଁଠାରେ ରୋଗରେ ହାତୀ ମୃତ୍ୟୁ ଘଟିଥିବା ଦର୍ଶାଇ ମାମଲା ରୁଜୁ କରାଯାଇ ନାହିଁ ସେହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ମାମଲା ରୁଜୁ କରି ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡବ୍ଲ୍ୟୁଏସଓ ସମ୍ପାଦକ ବିଶ୍ବଜିତ ମହାନ୍ତି ଦାବି କରିଛନ୍ତି।

Comments
Loading...