ଗୋଠ ଛଡ଼ା ଦନ୍ତାର ଆତଙ୍କ, ଭାଙ୍ଗିଲା ୧୨ ଘର

କେନ୍ଦୁଝର : ବାଂଶପାଳ ବ୍ଲକ ତଥା ଭୁୟାଁ-ଜୁଆଙ୍ଗ-ପୀଢ଼ ରେଞ୍ଜରେ ଏବେ ଗୋଟିକିଆ ଦନ୍ତାହାତୀ ଆତଙ୍କ ସୃଷ୍ଟିି କରିଥିବାବେଳେ ଏହାକୁ ନେଇ ପାହାଡ-ପର୍ବତ ଘେରା ବାଂଶପାଳ ବ୍ଲକ ଅଞ୍ଚଳରେ ଭୟ ସଞ୍ଚାର ହୋଇଛି। ଏହି ଦନ୍ତା ହାତୀଟି ବିଜେପି ରେଞ୍ଜରେ ବ୍ୟାପକ କ୍ଷୟକ୍ଷତି କରିଛି। ଧାନ କଟା ସରି ଯିବା ପରେ ଖାଦ୍ୟ ଅନ୍ୱେଷଣରେ ଏହି ଦନ୍ତା ହାତୀ ଘର ଭିତରେ ଥିବା ଚାଉଳ,ଧାନ ଖାଇବା ପାଇଁ ପ୍ରତ୍ୟେକ ଦିନ ଘର ଭାଙ୍ଗୁଛି। ଗୋଟିକିଆ ଦନ୍ତାକୁ ଦେଖି ଲୋକମାନେ ଭୟଭୀତ ହୋଇପଡିଥିବାବେଳେ ତାର ଗତି ବିଧି ଉପରେ ବନ ବିଭାଗ ନଜର ରଖିବାରେ ବିଫଳ ହୋଇଛି। ଦିନରେ ହାତୀକୁ ଟ୍ରାକିଂ କରିବାରେ ବିଭାଗ ବିଫଳ ହେଉଥିବାବେଳେ ରାତିରେ ଗରିବ ଲୋକଙ୍କ ଚାଳଛପର ଘର ଭାଙ୍ଗି ଚାଉଳ ଖାଉଛି। ଶୀତରେ ଗରିବ ଆଦିବାସୀ ଲୋକ ଅସହାୟ ହେଉଥିବାବେଳେ

ବନ ବିଭାଗ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି। ବିଜେପି ରେଞ୍ଜରେ ମୋଟ ୧୬ଟି ହାତୀ ଅଛନ୍ତି। ବାୟାକୁମୁଟିଆରେ ୬ଟି ହାତୀ, ନଣ୍ଡାପାଣିରେ ୯ ଟି ହାତୀ, ପଣସୁଆରେ ଗୋଟିଏ ଦନ୍ତାହାତୀ ଅଛନ୍ତି। ଧାନ ଫସଲ କଟାଯିବା ପରେ ହାତୀପଲ ଘରଦ୍ୱାର ନଷ୍ଟ କରିବା ସହ ପନିପରିବା ଫସଲ ମଧ୍ୟ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ସଂଧ୍ୟା ସମୟରେ ଏହି ହାତୀଟି ଚଳପ୍ରଚଳ କରୁଥିବାରୁ ଲୋକେ ଭୟଭୀତ ହୋଇ ଘରେ ରହିବାକୁ ଭୟ କରୁଛନ୍ତି। ୨୮ତାରିଖ ରାତିରେ ବାଂଶପାଳ ବ୍ଲକ କଲଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣସୁଆଁ ଗାଁରେ ପୁରୁଷୋତ୍ତମ ମହାନ୍ତ,ଲକ୍ଷ୍ମୀଧର ମହାନ୍ତ,ସହଦେବ ମହାନ୍ତ,ଉର୍ମିଳା ମହାନ୍ତଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଚାଉଳ ଖାଇ ଦେଇଛି। ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜଙ୍ଗଲ ପାଖ ଗାଁରେ ଯେପରି କ୍ଷୟକ୍ଷତି ନ କରିବେ ସେଥିପାଇଁ ପଦକ୍ଷେପ ନିଆଯାଉ ନଥିବାରୁ ପ୍ରତ୍ୟେକ ଦିନ ଘରଦ୍ୱାର ଭାଙ୍ଗୁଛି। ଘର ଭାଙ୍ଗୁଥିବା ଲୋକଙ୍କୁ ସଠିକ୍‍ କ୍ଷତିପୂରଣ ମିଳୁ ନଥିବାବେଳେ ବିଳମ୍ବରେ ବିଭାଗ ପକ୍ଷରୁ କ୍ଷତିପୂରଣ ବହୁତ କମ ପରିମାଣର ମିଳୁଛି। ସେଥିପାଇଁ ଗରିବ ଲୋକଙ୍କ ଅସନ୍ତୋଷ ବଢୁଛି।

Comments are closed.