ଉପକଣ୍ଠରେ ହାତୀ ଉପଦ୍ରବ, ଜଙ୍ଗଲ ଛାଡ଼ି ଜନବସତି ମୁହାଁ

ଚନ୍ଦକା/ନନ୍ଦନକାନନ/ଯାଁଳା,୧୦ା୧୨(ନି.ପ୍ର): ଏକଦା ଭୁବନେଶ୍ବର ଉପକଣ୍ଠରେ ଚନ୍ଦକା ଅଭୟାରଣ୍ୟ ଥିଲା ହାତୀଙ୍କର ନିରାପଦ ବାସସ୍ଥଳୀ। ଘଞ୍ଚ ଅରଣ୍ୟରେ ହାତୀପଲଙ୍କ ବିଚରଣ ଓ ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଚନ୍ଦକା ଜଙ୍ଗଲକୁ ହସ୍ତୀ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଜଙ୍ଗଲ ସୁରକ୍ଷିତ ରହିବା ସହ ପ୍ରାକୃତିକ ପରିବେଶରେ ଭାରସାମ୍ୟ ରକ୍ଷା ହୋଇପାରିବ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇପାରିବ। ବେଶ୍‌ କିଛିବର୍ଷ ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ହାତୀଙ୍କୁ ସୁରକ୍ଷିତ ରଖିବା ପାଇଁ ଖାଇ ନିର୍ମାଣ, ସେମାନଙ୍କ ପାଇଁ ଖାଦ୍ୟ ଚାରାରୋପଣ, ପାନୀୟ ଜଳ ପାଇଁ ପୋଖରୀ ଖନନ ସହ ହାତୀପଲ ଯେପରି ସମସ୍ତ ସୁବିଧା ପାଇ ଜଙ୍ଗଲ ଭିତରେ ନିରାପଦରେ ବିଚରଣ କରିପାରିବେ ସେ ନେଇ ବିପୁଳ ଅର୍ଥ ବ୍ୟୟ ହୋଇ ପାଚେରି ଓ ସୌର ଶକ୍ତିସମ୍ପନ୍ନ ତାରବାଡ଼ ମଧ୍ୟ ନିର୍ମାଣ ହେଲା। ସବୁ ସୁବିଧା ସତ୍ତ୍ବେ ହାତୀପଲ ଜଙ୍ଗଲରେ ରହିଲେନାହିଁ। ଅନ୍ୟ ଜଙ୍ଗଲକୁ ଯିବା ପାଇଁ ଚେଷ୍ଟା କଲେ ଓ ସଫଳ ମଧ୍ୟ ହେଲେ। ପ୍ରଶାସନର ସୁପରିଚାଳନାର ଅଭାବ ଓ କର୍ମଚାରୀ ନଥିବା ସୁଯୋଗ ନେଇ ଚନ୍ଦକା ଅଭୟାରଣ୍ୟ​‌େ​‌ର କାଠଚୋରି ବୃଦ୍ଧି ପାଇଲା। ଚୋରାକାଠ ବ୍ୟବସାୟୀ ଖାଇ ପୋତି ଜଙ୍ଗଲରୁ କାଠ ଚୋରି କଲେ। ଏହାଫଳରେ ଜଙ୍ଗଲ ନଷ୍ଟ ହେଲା, ହାତୀପଲ ଜନବସତି ମୁହାଁ ହେବା ପାଇଁ ସୁଯୋଗ ପାଇଲେ। ଜଙ୍ଗଲ ନଷ୍ଟ ଫଳରେ ଖାଦ୍ୟାଭାବ, ହାତୀପଥ ବା କରିଡର ବନ୍ଦ ହେବା, ସହରୀକରଣ ଫଳରେ କୋଳାହଳ ବୃଦ୍ଧି ପାଇବା, ଆଧୁନିକୀକରଣ, ରାସ୍ତା ନିର୍ମାଣ, କଳକାରଖାନା ନିର୍ମାଣ ଫଳରେ ହାତୀ ଅନ୍ୟ ଜଙ୍ଗଲକୁ ପଳାୟନ କଲେ। ଚନ୍ଦକା ଅଭୟାରଣ୍ୟ ଚାରିପଟେ ଥିବା ୧୦୫ଟି ଗ୍ରାମର ଫସଲ ନଷ୍ଟ କରିବା, ଉତ୍ପାତ କରିବା କ୍ରମଶଃ ବୃଦ୍ଧି ପାଇଲା।

ମାତିଛନ୍ତି ରାମୁ, ମାକେନା:
ଚନ୍ଦକା ଅଭୟାରଣ୍ୟରେ ବର୍ତ୍ତମାନ ଦୁଇଟି ହାତୀପଲ ଥିବାବେଳେ ଭରତପୁର ସଂରକ୍ଷିତ ଜଙ୍ଗଲରେ ୧୪ଟି ହାତୀ ଓ ଶାବକ ଅଛନ୍ତି। ଦୀର୍ଘବର୍ଷ ଧରି ଚନ୍ଦକା ଓ ଭରତପୁର ଜଙ୍ଗଲରେ ରାମୁ, ମାକେନା ସାନ, ମାକେନା ବଡ଼ ଓ ବାହୁବଳୀ ପ୍ରଭୃତି ଅଛନ୍ତି। ତେବେ ରାମୁ ଏବେ ବିଭିନ୍ନ ଅଞ୍ଚଳରେ ଚାଷଜମି, ବାଡ଼ିରେ ପଶି ଫସଲ ନଷ୍ଟ କରିବା ସହ ଅନେକ ପାଚେରି ଭାଙ୍ଗିଥିବା ସୂଚନା ମିଳିଛି। ଚନ୍ଦକା ଏସିଏଫ୍‌ ହିମାଂଶୁ ମହାନ୍ତିଙ୍କ ସୂଚନା ଅନୁଯାୟୀ ଦୁଇଟି ପଲ ହାତୀ ଅଛନ୍ତି। ରାମୁ ଓ ମାକେନା ସମୟ ସମୟରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରୁଛନ୍ତି। ହାତୀ ଘଉଡ଼ାଇବା ପାଇଁ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି। ଯେଉଁ ଜାଗାରେ ହାତୀ ଉପଦ୍ରବ କରୁଥିବା ସୂଚନା ମିଳୁଛି ତୁରନ୍ତ ସେଠାକୁ କର୍ମଚାରୀଙ୍କୁ ପଠାଯାଇ ହାତୀକୁ ଜଙ୍ଗଲକୁ ଫେରାଇ ଆଣିବା ବ୍ୟବସ୍ଥା ହେଉଛି। ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ା।
ଚନ୍ଦକା ଓ ହଳଦିଆ ରେଞ୍ଜର ବିଭିନ୍ନ ଗ୍ରାମରେ ହାତୀ ଫସଲ ନଷ୍ଟ କରୁଥିବା ଜଣାପଡ଼ିଛି। ଚନ୍ଦକା ଅଞ୍ଚଳର ଦାରୁଠେଙ୍ଗ, ଅନ୍ଧାରୁଆ, ଚନ୍ଦକା, କଣ୍ଟାବାଡ଼, ଅଳିପଡ଼ା ଓ ମେଣ୍ଢାଶାଳ ପଞ୍ଚାୟତର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ କରୁଥିବାବେଳେ ଅଙ୍ଗାରପଡ଼ା, ଛତାବର ପଞ୍ଚାୟତର ବିଭିନ୍ନ ଗ୍ରାମ ଯଥା- ପାଣିଓରା, ପଳାସପୁର, ଅଙ୍ଗାରପଡ଼ା, ଛତାବରର ହରପୁର, କାଶୀପୁର, ଗଙ୍ଗପଡ଼ାର ଗ୍ରାମଡିହ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି। ହାତୀ ଫସଲ ଖାଇବା ସହ ଯିବା ଆସିବା ଫଳରେ ହାତୀ ଖୋଜରେ ବି ଫସଲ ନଷ୍ଟ ହେଉଛି। ବିଶେଷକରି ଗୋଟିକିଆ ହାତୀ ରାମୁ ଗତ ୪ଦିନ ହେବ ଅଙ୍ଗାରପଡ଼ା, ପାଣିଓରା, ପଳାସପୁର, କାଶୀପୁର, ଇନ୍‌ଫୋସିଟି ହରପୁର, ଅରିଶଲ, ପାଇକେରାପୁର, ଗୋଠପାଟଣା, ମଳିପଡ଼ା, ଦାସପୁର ଓ ଅନ୍ଧାରୁଆ ଆଦି ଅଞ୍ଚଳରେ ଫସଲ ଖାଇବା ସହ ବାଡ଼ି ଓ ଘର ପାଚେରି ଭାଙ୍ଗିଛି।
ମିଳୁନି କ୍ଷତିପୂୂରଣ:
ପଳାସପୁରର ଚାଷୀ ବିମଳଚନ୍ଦ୍ର ବେହେରା କହିଛନ୍ତି, ହାତୀ ଯେଉଁ ପରିମାଣରେ ଫସଲ ନଷ୍ଟ କରୁଛି ସେହି ପରିମାଣରେ କ୍ଷତିପୂରଣ ମିଳୁନାହିଁ। ବହୁତ କମ୍‌ ଲୋକଙ୍କୁ କ୍ଷତିପୂରଣ ମିଳୁଛି। ଭାଗଚାଷ କରିଥିବା ଚାଷୀଙ୍କୁ କ୍ଷତିପୂରଣ ମିଳୁନାହିଁ। ଜମି ମାଲିକ ଓ ସରପଞ୍ଚମାନେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହଯୋଗ କରୁନାହାନ୍ତି। ଅନ୍ଧାରୁଆର ଚାଷୀ ଭଗବାନ ଓଝା କହିଛନ୍ତି ଯେ ଗତ ବୁଧବାର ରାତିରେ ହାତୀ ଖଳାରେ ଥିବା ଧାନଗଦାରୁ ଖାଇ ନଷ୍ଟ କରିଦେଇଛି। ଗତବର୍ଷ ମଧ୍ୟ ହାତୀ ମୋର ଫସଲ ନଷ୍ଟ କରିଥିଲା ଆଜିପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ।


ଗତ ୫ମାସ ମଧ୍ୟରେ ହାତୀ ଏହି ଅଞ୍ଚଳରେ ଆନୁମାନିକ ୧୦୦ ଏକରରୁ ଊର୍ଦ୍ଧ୍ବ ଧାନ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ହାତୀ ଧାନ ଫସଲ ସମୟରେ ଜମିରେ ପଶି ଫସଲ ନଷ୍ଟ କରୁଥିବାବେଳେ ବାଡ଼ି ବା କ୍ଷେତରେ ଅମଳ ଧାନ ଖାଇବା ସହ ନଷ୍ଟ କରୁଛି। ଏପରିକି ଦାରୁଠେଙ୍ଗର ରବିନାରାୟଣ ମିଶ୍ରଙ୍କ ଫାର୍ମ ହାଉସ ବାରଣ୍ଡାରେ ଧାନ ବସ୍ତା ଟେକି ନେଇଯିବା,ପନିପରିବା,ଫସଲ ନଷ୍ଟ କରିବା ସହ ପାଚେରି ଭାଙ୍ଗିବା ନଜିର ରହିଛି।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଯାହାର ଫସଲ ନଷ୍ଟ ହେଉଛି ସେ ସ୍ଥାନୀୟ ରେଞ୍ଜରଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥାଆନ୍ତି। ସେଥିପାଇଁ ଜମିପଟ୍ଟା, କ୍ଷୟକ୍ଷତିର ଆନୁମାନିକ ମୂଲ୍ୟ ଦର୍ଶାଇଥିଲେ ମଧ୍ୟ ତାହା ମିଳୁନାହିଁ। ହାତୀ ଗୋଟିଏ ଜମିରେ ଫସଲ ଖାଇଥାଏ କିନ୍ତୁ ଯେଉଁ ଜମି ବାଟ ଦେଇ ଯାଇଥାଏ ସେଥିରେ ମଧ୍ୟ ଫସଲ ନଷ୍ଟ ହୋଇଥାଏ। ସେ କ୍ଷେତ୍ରରେ କ୍ଷତିପୂରଣ ମିଳେନାହିଁ। ଗତ ୫ମାସ ଭିତରେ ଯେଉଁ ଫସଲ ନଷ୍ଟ ହୋଇଛି ସେଥିରେ କ୍ଷତିପୂରଣ ମିଳିନାହିଁ।
ଚନ୍ଦକା ଅଭୟାରଣ୍ୟର ଜଣେ ଅଧିକାରୀ କହିଛନ୍ତି, ଏକାଧିକ ବନ୍ୟପ୍ରାଣୀ କର୍ମଚାରୀ ପଦ ଖାଲି ପଡ଼ିଛି। ପଦକ୍ଷେପ ନେବାରେ ଏହାହିଁ ମୁଖ୍ୟ ବାଧକ ହେଉଛି। କେତେକ କ୍ଷେତ୍ରରେ ହାତୀ ଘଉଡ଼ାଇବାକୁ ଗଲେ ସାଧାରଣ ଲୋକଙ୍କ ସହଯୋଗ ମିଳୁନାହିଁ।
ବର୍ତ୍ତିନି ପ୍ରାଣୀ ଉଦ୍ୟାନ:


ଚନ୍ଦକା ଅଭୟାରଣ୍ୟ ହାତୀ ଆତଙ୍କରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବି ବର୍ତ୍ତିପାରିନାହିଁ। ଉକ୍ତ ଅଭୟାରଣ୍ୟରୁ ଆସି ଗତ ମାସରେ ହାତୀ ନନ୍ଦନକାନନ ସୁରକ୍ଷା ପାଚେରି ଭାଙ୍ଗିଥିଲା। ଅନେକ ସମୟରେ ନନ୍ଦନକାନନ ପାର୍ଶ୍ବ ରାସ୍ତା ଓ ଦାରୁଠେଙ୍ଗ ରାସ୍ତାରେ ହାତୀ ଚଳପ୍ରଚଳ ଫଳରେ ଜନସାଧାରଣ ବିପଦର ସମ୍ମୁଖୀନ ହୋଇଥାଆନ୍ତି। ଚନ୍ଦକା ଜଙ୍ଗଲର ହାତୀ ନନ୍ଦନକାନନ ପାଇଁ ବିପଦ ସୃ‌ଷ୍ଟି କରିଥାଆନ୍ତି।

Comments are closed.