ଦଶ ଦୁର୍ଗମ ଆଦିବାସୀ ଗ୍ରାମରେ ବିଜୁଳିର ଚକାଭଉଁରୀ ଖେଳ

ପାତ୍ରପୁର: ପାତ୍ରପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଦୁର୍ଗମ ଅଂଚଳରେ ଦୁଇ ପଂଚାୟତର ପନ୍ଦରରୁ ଊର୍ଦ୍ଧ୍ବ ଗ୍ରାମ ରହିଛି। ଏହିସବୁ ଆଦିବାସୀ ଗ୍ରାମର ଲୋକମାନେ ଡ଼ିବିରି ଭରସାରେ ରାତି କାଟିବା ନେଇ ବିଭିନ୍ନ ସମୟରେ ସମାଜରେ ଖବର ପ୍ରକାଶ ପରେ ତିନି ବର୍ଷତଳେ ପନ୍ଦର କିଲୋମିଟର ଗଜପତି ଜିଲ୍ଲାରୁ ଏହି ଗ୍ରାମକୁ ବିଦ୍ୟୁତ ଯୋଗାଣ ହୋଇଥିଲା। ଏହି ବିଜୁଳି ସମସ୍ତ ଗ୍ରାମକୁ ପହଞ୍ଚି ନ ଥିବା ବେଳେ ଦଶ ଗୋଟିରୁ ଅଧିକ ଗ୍ରାମ ବିଜୁଳି ସେବା ପ୍ରଥମଥର ପାଇଁ ପାଇଥିଲେ। ତେବେ ଆରମ୍ଭରୁ ବ୍ୟତିକ୍ରମ ଦେଖାଦେବା ସହ ବର୍ତ୍ତମାନସୁଦ୍ଧା ତାହାର ସମାଧାନ ନ ହେବା ଯୋଗୁଁ ଲୋକମାନେ ଠିକ ଭାବେ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଗଛ ହଲିଲେ ବିଜୁଳି ଚାଲିଯିବା ସହ ଦିନେ ଆସିଲେ ଦୁଇ ଦିନ ବନ୍ଦ ରହୁଛି। ଏହି ବିଜୁଳି ଯୋଗାଣ କାର୍ଯ୍ୟ ତଦାରଖ ପାଇଁ ପ୍ରଥମରୁ କର୍ମଚାରୀ ଅଂଚଳରେ ନଥିବା ବେଳେ ଲୋକମାନେ ବିଭିନ୍ନ କାର୍ୟ୍ୟ କରୁଥିବା ଦେଖିବାକୁ ମିଳୁଛି। ଅଂଚଳକୁ ସଂଯୋଗ ପ୍ରାୟ ବାର କିଲୋମିଟର ଦୁର୍ଗମ ବିଦ୍ୟୁତ ପଥକୁ ଆଦିବାସୀମାନେ ପାଳିକରି ଲଟାବୁଦା ସଫା କରୁଛନ୍ତି। ଏହିସବୁ ଗ୍ରାମମାନଙ୍କରେ ଆଦିବାସୀ ବର୍ଗର ଲୋକମାନେ ବସବାସ କରୁଛନ୍ତି। ଓଡିଶା ପଥରେ ଏହି ସବୁ ଗ୍ରାମକୁ ଯିବାକୁ ରାସ୍ତାଟିଏ ନାହିଁ। ଯାହାରି ଫଳରେ ଲୋକମାନେ ଦୁଇ ତିନୋଟି ନଦୀ ନାଳ ପାର ହୋଇ ବିଭିନ୍ନ କାମ ପାଇଁ ପାତ୍ରପୁର ଏବଂ ପଂଚାୟତକୁ ଆସି ଥାଆନ୍ତି। ଏହିସବୁ ଗ୍ରାମ ମଧ୍ୟରୁ ବୁରାତାଲ ପଞ୍ଚାୟତର ଗୁଡିଖଳା ଗ୍ରାମକୁ ଦଶ ବର୍ଷ ପୂର୍ବେ ଆନ୍ଧ୍ର ପ୍ରଦେଶ ସରକାର ତରଫରୁ ବିଜୁଳି ଯୋଗା ଯାଇଥିଲା। ତେବେ ଅନ୍ୟ ସମସ୍ତ ଗ୍ରାମର ଲୋକମାନଙ୍କ ପାଖରେ ବିଜୁଳି ସାତ ସପନ ପଲୋଟିଥିବା ନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ସରକାରୀ ଦୃଷ୍ଟି ପଡିଥିଲା। ପାତ୍ରପୁର ଅଂଚଳରୁ ଏହିସବୁ ଅଂଚଳକୁ ପଥରେ ଆନ୍ଧ୍ର ସୀମା ପଡ଼ୁଥିବାରୁ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଗଙ୍ଗବ।ଡ ପଞ୍ଚାୟତ ସଗଡ଼ିଆଠାରୁ କଣ୍ଟାକୁମ୍ଭ ଦେଇ ଦୁର୍ଗମ ଜଙ୍ଗଲ ମଧ୍ୟରେ ବିଦ୍ୟୁତ ଲାଇଡା ଗ୍ରାମକୁ ତିନିବର୍ଷ ତଳେ ପହଞ୍ଚିଥିଲା। ଏହି ଗ୍ରାମରୁ ଗୁଡିପଦର, ଡ।ବୁଥଳି, ବାତରାସହି, ବିଲୁଗାଁ, କାନ୍ତିଗାଁ, ତଳବ।ଡ, ଅର୍ଜୁବା ପ୍ରଭୃତି ଗ୍ରାମକୁ ବିଜୁଳି କେବୁଲ ଟାଣି ଘରକୁ ସଂଯୋଗ ଦିଆଯାଇଥିଲା। ତେବେ ବିଦ୍ୟୁତ ଯୋଗଣର ଚାରିବର୍ଷ ପରେ ମଧ୍ୟ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇ ପାରିନାହିଁ। ତେବେ ଦଶରୁ ଊର୍ଦ୍ଧ୍ବ ଗ୍ରାମକୁ ବିଜୁଳି ତଦାରଖ ପାଇଁ କର୍ମଚାରୀ ନାହାନ୍ତି। ବିଭିନ୍ନ ସମୟରେ ବିଜୁଳି କାଟ ବେଳେ ପଥ ତଦାରଖଠାରୁ ଆରମ୍ଭ କରି ରାସ୍ତାରେ ପୋଲ୍‌ (ବିିଦୁତ ଖୁଣ୍ଟ)କୁ ଡାଳ ଲଟା ମାଡ଼ିଗଲେ ଲୋକମାନେ ପାଳିକରି ସଫା କରୁଛନ୍ତି। ପୂର୍ବରୁ ବିଭିନ୍ନ ଗ୍ରାମର ଲୋକମାନେ ବାର କିଲୋମିଟର ଦୁର୍ଗମ ଇଲାକାର ବିଦ୍ୟୁତ ପଥ ସଫା କରୁଛନ୍ତି। ଏବେ ଠିକ ଭବେ ବିଦ୍ୟୁତ ଯୋଗାଣ ପାଇଁ ଟାଟାକୁ ଦାୟିତ୍ୱ ମିଳିବାପରେ ନୂତନ ଭାବେ ବହୁ ଲୋକଙ୍କୁ ନିଯୁକ୍ତି ମିଳିଛି। ତେବେ ଏହିସବୁ ଆଦିବାସୀ ଗ୍ରାମର ବିଦ୍ୟୁତ ଯୋଗାଣ ଠିକ କରିବା ପାଇଁ ଜଣେ କର୍ମଚାରୀ ଯୋଗାଇବା ବ୍ୟବସ୍ଥା କଲେ ଠିକ ଭାବେ ଲୋକମାନେ ସେବା ପାଇପାରିବେ।

Comments are closed.