ଅଧା ବିଜୁଳି ବାଟରେ ଚଳୁ

ଭୁବନେଶ୍ବର: ବିଜୁଳି ଗୋଲକ ଧନ୍ଦାରେ ଖାଉଟି। ବିଜୁଳି ଶୁଳ୍କ ବୋଝ ବଢ଼ୁଛି, ହେଲେ ଗୁଣାତ୍ମକ ବିଜୁଳି ସେବା ମିଳୁନାହିଁ। ବିଡ଼ମ୍ବନା ହେଉଛି ଭିତ୍ତିଭୂମିର ଅଭାବ ଓ ଚୋରି ରୋକିବାରେ ବିଜୁଳି ଯୋଗାଣକାରୀ ସଂସ୍ଥା (ଡ଼ିସକମ୍)ଗୁଡ଼ିକର ଅକ୍ଷମତା ଯୋଗୁଁ ବାଟରେ ଅଧା ବିଜୁଳି ଚଳୁ ହୋଇ ଯାଉଛି। ଯାହାକୁ କୁହାଯାଉଛି ଏଟି ଏଣ୍ଡ ସି କ୍ଷତି। ବାସ୍ତବରେ ଏହି କ୍ଷତି ହେଉଛି କି ନାହିଁ, କିମ୍ବା ଏହି ବାହାନାରେ ବିଜୁଳି ଯୋଗାଣକାରୀ ସଂସ୍ଥା ଶୁଳ୍କ ବୃଦ୍ଧି ଲାଗି ବାଟ ଖୋଲୁଛନ୍ତି ତାହା ତ ଭିନ୍ନ କଥା। ମାତ୍ର ବାସ୍ତବରେ ଯଦି ଏତେ ମାତ୍ରାରେ କ୍ଷତି ହେଉଥିବ ତାହା ଅତ୍ୟନ୍ତ ଉଦବେଗର ବିଷୟ। ବିଭିନ୍ନ ବିଜୁଳି ଯୋଗାଣକାରୀ ସଂସ୍ଥା ଓଡ଼ିଶା ବିଜୁଳି ନିୟାମକ ସଂସ୍ଥା (ଓଇଆରସି)ଙ୍କ ନିକଟରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୩୨% ବିଜୁଳି ବାଟରେ ଗାଏବ ହୋଇଯାଉଛି। ୨୦୧୬-୧୭ ମସିହାରେ ଏହା ୩୮%ରୁ ଅଧିକ ଥିଲା ମାତ୍ର ଏବେ ତାହା ୩୨%କୁ ହ୍ରାସ ପାଇଛି। ଓଇଆରସି ୨୦୧୯-୨୦ ଆର୍ଥିକ ବର୍ଷ ସୁଦ୍ଧା ବିଜୁଳି ପରିବହନ ଓ ବିତରଣ କ୍ଷତି ୨୩.୬୯%ରେ ପହଞ୍ଚାଇବାକୁ ଯେଉଁ ଲକ୍ଷ୍ୟ ଦେଇଥିଲେ ତାହାକୁ କମ୍ପାନୀମାନେ ପୂରଣ କରିବାରେ ସମର୍ଥ ହୋଇ ନାହାନ୍ତି। କେଉଁଠି ଲୋକମାନେ ଚୋରି କରୁଛନ୍ତି ତ କେଉଁଠି ଚୋରିରେ କମ୍ପାନୀର ଲୋକମାନେ ବି ଭାଗୀଦାର। ଏପରିକି କିଛି ସ୍ଥାନରେ ସ୍ଥାନୀୟ ବିଜୁଳି କର୍ମଚାରୀଙ୍କ ଜ୍ଞାତସାରରେ ଚୋରା ବିଜୁଳିରେ କାରଖାନା ବି ଚାଲୁଛି । ବିଜୁଳି ଚୋରି କଲେ ଜେଲ ଓ ଜୋରିମାନା ରାଜନୈତିକ ଚାପ ଭିତରେ କେଉଁଠି ହଜି ଯାଉଛି। ଏହା ନ ହୋଇଥିଲେ ସମସ୍ତଙ୍କ ଘରେ ବିଜୁଳି ପହଞ୍ଚିଥିବା ସରକାର ଦାବି କରୁଥିବାବେଳେ ରାଜ୍ୟର ମୋଟ ୯୯ ଲକ୍ଷ ପରିବାର ମଧ୍ୟରୁ ମାତ୍ର ୬୯ ଲକ୍ଷ ଉପଭୋକ୍ତା ପଞ୍ଜିକୃତ ହୋଇଛନ୍ତି। ବାକି ୩୦ ଲକ୍ଷ ପରିବାରରେ ବିଜୁଳି ସଂଯୋଗ ହୋଇଛି କି ନା ସେ ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ମିଳୁନାହିଁ।

ସୂଚନା ଅନୁସାରେ ୨୦୧୩-୧୪ରେ ଓଡ଼ିଶାରେ ୪ ବିଜୁଳି କମ୍ପାନୀର ହାରାହାରି କ୍ଷତି ଥିଲା ୩୫.୮୮% । ମାତ୍ର ବିଡ଼ମ୍ବନା ହେଉଛି ୨୦୧୬-୧୭ରେ ଏହା ବୃଦ୍ଧି ପାଇ ୩୯.୩୯%ରେ ପହଞ୍ଚିଥିଲା । ୱେସ୍କୋ କର୍ତ୍ତୃପକ୍ଷ ଓଇଆରସିଙ୍କ ନିକଟରେ ରଖିଥିବା ତଥ୍ୟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ କମ୍ପାନୀର ବିତରଣ ଓ ପରିବହନ କ୍ଷତି ସର୍ବାଧିକ ୫୪.୬% । ରାଉରକେଲା ସର୍କଲରେ ସର୍ବନିମ୍ନ ୨୬% କ୍ଷତି ହୋଇଥିବାବେଳେ ବରଗଡ଼ ସର୍କଲରେ ୭୪% କ୍ଷତି ଘଟିଥିବା କମ୍ପାନୀ ରିପୋର୍ଟ ଦେଇଛି । ସେହିପରି ବଲାଙ୍ଗୀର-ସୋନପୁର-ଟିଟିଲାଗଡ଼କୁ ନେଇ ଗଠିତ ସର୍କଲରେ ଏହି କ୍ଷତି ୬୫% ବୋଲି କୁହାଯାଇଛି।

୨୦୧୭-୧୮ ବର୍ଷରେ ନେସ୍କୋର ୧୬ଟି ସର୍କଲ ମଧ୍ୟରୁ ୬ଟି ସର୍କଲରେ ଏହି କ୍ଷତି ୪୦%ରୁ ଊର୍ଦ୍ଧ୍ବ ଓ ହାରାହାରି କ୍ଷତି ୩୭.୭୮%। ସାଉଥକୋ ଅଧୀନରେ ରହିଛି ୧୯ଟି ସର୍କଲ ଏବଂ ଏହାମଧ୍ୟରୁ ୬ଟି ସର୍କଲରେ ୫୦%ରୁ ଅଧିକ ଓ ୪ଟି ସର୍କଲରେ ୬୦%ରୁ ଅଧିକ ଏଟି ଏଣ୍ଡ ସି କ୍ଷତି ଘଟିଥିବା କମ୍ପାନୀ ଉଲ୍ଲେଖ କରିଛି। ସବୁଠାରୁ ଅଧିକ ଗ୍ରାହକ ଥିବା ସେସୁ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ୩ଟି ଡ଼ିଭିଜନରେ ବିଜୁଳି କ୍ଷତି ୨.୬୮%ରୁ ୯.୧୩% ମଧ୍ୟରେ ସୀମିତ ଥିବାବେଳେ ଏସଇଡ଼ି ଡ଼ିିଭିଜନରେ କ୍ଷତି ୭୨% ପର୍ୟ୍ୟନ୍ତ ପହଞ୍ଚିଛି। ସେହିପରି ୩ଟି ଡ଼ିଭିଜନରେ ୬୦%ରୁ ଅଧିକ ଓ ୪ଟି ଡ଼ିଭିଜନରେ କ୍ଷତି ୫୦%ରୁ ଅଧିକ ବୋଲି କମ୍ପାନୀ ଦର୍ଶାଇଛି। କମ୍ପାନୀର ହାରାହାରି କ୍ଷତି ଏହି ବର୍ଷ (୨୦୧୭-୧୮)ରେ ୪୦.୮୩% ବୋଲି କୁହାଯାଇଛି।

ବିଡ଼ମ୍ବନା ହେଉଛି ଦେଶର ହାରାହାରି ବିଦ୍ୟୁତ୍ କ୍ଷତିଠାରୁ ଓଡ଼ିଶାର ବିଦ୍ୟୁତ୍ କ୍ଷତି ଯଥେଷ୍ଟ ଅଧିକ। ‘ବିଜଲ୍ ବଚାଓ’ର ୨୦୧୭ ରିପୋର୍ଟ ଅନୁସାରେ ଲାକ୍ଷାଦ୍ବୀପରେ ବିଦ୍ୟୁତ୍ ପରିବହନ ଓ ବିତରଣକ୍ଷତି ସବୁଠୁ କମ୍, ମାତ୍ର ୭%। ଏହାବ୍ୟତୀତ ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ନାଗାଲାଣ୍ଡ, ପୁଡ଼ୁଚେରୀ, ପଞ୍ଜାବ, ତାମିଲନାଡ଼ୁ ଓ ତେଲଙ୍ଗାନାରେ ବିଜୁଳି ପରିବହନ କ୍ଷତି ୨୦% ମଧ୍ୟରେ ସୀମିତ।

ସେହିପରି ପଶ୍ଚିମବଙ୍ଗରେ ୨୨%, ସିକିମରେ ୨୩%, ହିମାଚଳ ପ୍ରଦେଶରେ ୨୨%, ଆସାମରେ ୨୫%, ଛତିଶଗଡ଼ରେ ୨୬%, ହରିଆଣାରେ ୩୩%, ମଧ୍ୟପ୍ରଦେଶରେ ୨୬.୮%, ରାଜସ୍ଥାନରେ ୨୯% ବିଦ୍ୟୁତ୍ କ୍ଷତି ହେଉଥିବାବେଳେ ଓଡ଼ିଶାରେ ତାହା ୩୮.୨%। ଅବଶ୍ୟ ଓଡ଼ିଶାଠାରୁ ଅଧିକ ବିଜୁଳି କ୍ଷତି ଆଉ ଦୁଇଟି ରାଜ୍ୟରେ ହେଉଛି। ଗୋଟିଏ ହିମାଚଳ ପ୍ରଦେଶ (୪୯.୪%) ଓ ଅନ୍ୟଟି ଜାମ୍ମୁକାଶ୍ମୀର (୪୭%)। ଏହି କ୍ଷତି କିପରି ଓ କାହିଁକି ହେଉଛି ତାହା ବିଜୁଳି ଯୋଗାଣକାରୀ କମ୍ପାନୀଗୁଡ଼ିକୁ ଜଣା। ଦୁର୍ବଳ ଭିତ୍ତିଭୂମି ଓ ଅନ୍ୟାନ୍ୟ କାରଣ ଯୋଗୁଁ କ୍ଷତି ରୋକିବାରେ କମ୍ପାନୀ କର୍ତ୍ତୃପକ୍ଷ ସକ୍ଷମ ହେଉ ନାହାନ୍ତି, ଏଥିପାଇଁ ବୋଝ ବୋହୁଛନ୍ତି ଖାଉଟି।

Comments are closed.