ବିପଦ ବଢ଼ାଇଛି ବିଦ୍ୟୁତ୍ ତାର, ଲୋକେ ଆତଙ୍କିତ

ଚୌଦ୍ୱାର : ଟାଟା ପାୱାରର ଅବହେଳା ଓ ମନମୁଖୀ କାର୍ଯ୍ୟପାଇଁ ଚୌଦ୍ୱାର ଅଞ୍ଚଳରେ ବିଦ୍ୟୁତ୍ ବିତରଣ କାର୍ଯ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଲାଣି । ବିଦ୍ୟୁତ୍ ତାର ଓ ଖୁଣ୍ଟ ମରାମତି ନାମରେ କମ୍ପାନୀ ତରଫରୁ ପ୍ରତି ମାସରେକ ଅନେକ ଥର ସାରାଦିନ ବିଦ୍ୟୁତ୍ କାଟ କରାଯାଉଥିବାବେଳେ ସହରାଞ୍ଚଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଓହଳି ରହି ଜନ ସାଧାରଣ ଓ ଗୋରୁ ଗାଈଙ୍କ ଜୀବନ ପ୍ରତି ବିପଦ ସୃଷ୍ଠି କରିଛି । କିଛି ସ୍ଥାନରେ ବିଦ୍ୟୁତ୍ ତାର ରାସ୍ତାକୁ ଛୁଇଥିବା ଦେଖିବାକୁ ମିଳିଛି । ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ ନୂଆସାହି ମଙ୍ଗଳା ମନ୍ଦିର ପଛପାଖ ରାସ୍ତାରେ ଖୁଣ୍ଟିରୁ ତାର ଓହଳି ମାଟିକୁ ଲାଗିବାକୁ ବସିଲାଣି । ଏହି ତାର କେଉଁ ମୁହୁର୍ତ୍ତରେ ଲୋକଙ୍କ ଘର ଉପରେ ପଡ଼ିବ ତାହା କହି ହେଉନାହିଁ । ଏସମ୍ପର୍କରେ ବିଦ୍ୟୁତ୍ ବିଭାଗ ଅଫିସରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ ତାର ସଜଡ଼ା ଯିବବୋଲି ସ୍ଥାନୀୟ ବାସିନ୍ଦା ମାନଙ୍କୁ ବିଭାଗୀୟ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇ ପର ମୁହୁର୍ତ୍ତରେ ନିଜ ଦାୟିତ୍ୱ ଭୁଲି ଯାଉଥିବା ଦେଖିବାକୁ ମିଳୁଛି । ଏଥି ସହିତ ସାମନ୍ୟ ବର୍ଷା ହେଲେ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବନ୍ଦ କରି ଦିଆ ଯାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ପଟେ ବିଦ୍ୟୁତ୍ ଦେୟ ପୈଠ କରିବାରେ ଯଦି କେହି ହେଳା କରୁଛି ତେବେ ତୁରନ୍ତ ତାର ବିଦ୍ୟୁତ୍ ସଂଯୋଗ କାଟି ଦିଆ ଯାଉଥିବା ବାସିନ୍ଦାମନେ ଅଭିଯୋଗ କରିଛନ୍ତି । ଚୌଦ୍ୱାର ରୂପଯାତ୍ରା ପାଇଁ ପ୍ରସ୍ତୁତି ନାମରେ ଟାଟା ପାୱାର ତରଫରୁ ଆଜକୁ ଏକ ମାସ ହେଲା ବାରମ୍ବାର ଦୀର୍ଘ ସମୟଧରି ଲାଇନ୍ କାଟି ଦିଆ ଯାଉଥିବାରୁ ଅଞ୍ଚଳର ବିଭିନ୍ନ ସରକାରୀଓ ବେସରକାରୀ ସଂସ୍ଥାର ଅଫିସ ଗୁଡ଼ିକରେ କାର୍ଯ୍ୟ ବ୍ୟାହତ ହେବା ସହିତ ଚୌଦ୍ୱାରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତ ପ୍ରକାର ଅବ୍ୟବସ୍ଥାକୁ ଯଦି ତୁରନ୍ତ ସଜଡ଼ା ନଯାଏ ତେବେ ଟାଟା ପାୱାର ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.