ବିଦ୍ୟୁତ ଦେୟ ପୈଠ ନେଇ ୩ ମାସର ମହଲତ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ହୋଇଥିବା ଲକ୍ଡାଉନ୍ ସମୟରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହାର ସମସ୍ତ ଉପଭୋକ୍ତାଙ୍କୁ ଅହୋରାତ୍ର ବିଜୁଳି ଯୋଗାଇଦେବା ଲାଗି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ କହିଛନ୍ତି। ସେ କହିଛନ୍ତି ଦେଶର ଶତକଡା ୭୦ଭାଗ ବିଦ୍ୟୁତ୍ ଶକ୍ତି ତାପଜ ଶ୍ରେଣୀର। ସେ ଦୃଷ୍ଟିରୁ ତାପଜଶକ୍ତି କେନ୍ଦ୍ରଗୁଡ଼ିକୁ କୋଇଲାର ନିରବଚ୍ଛିନ୍ନ ପରିବହନ ଯେପରି ଜାରି ରହେ ସେଥିଲାଗି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ରେଳ ଓ କୋଇଲା ମନ୍ତ୍ରଣାଳୟ ସହ ଯୋଗାଯୋଗ ଅବ୍ୟାହତ ରହିଛି।
ସେହିଭଳି ବିଦ୍ୟୁତ୍ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡ଼ିକ ସେମାନଙ୍କର ଦେୟ ପୈଠ ନହୋଇଥିଲେ ମଧ୍ୟ ବିଦ୍ୟୁତ୍ ଯୋଗାଣ ଅବ୍ୟାହତ ରଖିବାକୁ କେନ୍ଦ୍ର ଶକ୍ତିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ୩ମାସର ମହଲତ ଦେବାକୁ କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଅନୁରୂପ ନିର୍ଦ୍ଦେଶ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ଦେବାଳାଗି ରାଜ୍ୟ ସରକାରମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି।