ବର୍ଷା ଋତୁ ପୂର୍ବରୁ ବିଦ୍ୟୁତ୍‌ ବିଭାଗରେ କର୍ମଚାରୀ ନିଯୁକ୍ତି ନ ହେଲେ ଆସିବ ସଙ୍କଟ

କରୋନା ଯୁଦ୍ଧରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ପ୍ରଶଂସନୀୟ କାର୍ଯ୍ୟ

ଭୁବନେଶ୍ବର : ସାରା ଦେଶ ଲକ ଡାଉନ। ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ଘରେ କଟୁଛି ସମୟ। ଏଭଳି ଏକ ସମୟରେ ନିଜ ଜୀବନ ଓ ପରିବାର କଥା ଚିନ୍ତା ନକରି ଲୋକଙ୍କ ଲାଗି ଦିନରାତି ଏକ କରି ଦେଇଛନ୍ତି କରୋନା ଯୁଦ୍ଧର ପରଦା ପଛର ନାୟକ ‘ବିଦ୍ୟୁତ କର୍ମଚାରୀ’। କରୋନା ଯୁଦ୍ଧରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସିତ କରାଯାଇଛି। ତେବେ କର୍ମଚାରୀ ଅଭାବରୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ଉପଭୋକ୍ତାଙ୍କୁ ଆବଶ୍ୟକ ସେବା ଯୋଗାଇ ଦେବାରୁ ବଞ୍ଚିତ ହେଉଛନ୍ତି। ​‌େ​‌ତବେ ବର୍ଷା ଋତୁ ପୂର୍ବରୁ ବିଦ୍ୟୁତ୍‌ ବିଭାଗରେ କର୍ମଚାରୀ ନିଯୁକ୍ତି ନ ହେଲେ ରାଜ୍ୟରେ ବିଦ୍ୟୁତ୍ ସେବା ସଙ୍କଟ ଦେଖାଦେବ ଏବଂ ଉପଭୋକ୍ତା ବହୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ସଭାପତି ତଥା ରାଷ୍ଟ୍ରିୟ ମଜଦୁର କଂଗ୍ରେସର ଉପସଭାପତି ପ୍ରଶାନ୍ତ କୁମାର ମହାପାତ୍ର ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି।
କାଳବୈଶାଖୀ ହେଉ ଅଥବା ଝଡବର୍ଷା, ସବୁ କିଛିକୁ ପଛରେ ଛାଡ଼ି ଏମାନେ ସବୁବେଳେ ଲୋକଙ୍କ ପାଖରେ ଅଛନ୍ତି। ବିଦ୍ୟୁତ ବିଭ୍ରାଟ ହେବା କ୍ଷଣି ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଉଛନ୍ତି। ହେଲେ ସେମାନଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି। ନା ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ଏମାନଙ୍କ କଥା କହୁଛନ୍ତି ନା ପ୍ରଶାସନ ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ବୁଝୁଛି। ସମସ୍ତେ ସବୁ ଜାଣି ନିରବ। ସେହିପରି ବିଦ୍ୟୁତ ବିଭାଗରେ ମାତ୍ର ୩୦% କର୍ମଚାରୀ ରହିଛନ୍ତି। ୭୦% କର୍ମଚାରୀ ଅଣକୁଶଳି ପଦବି ଖାଲି। ତେଣୁ ସ୍ବଳ୍ପ କର୍ମଚାରୀରେ ଏକ କୋଟି ବିଦ୍ୟୁତ ଉପଭୋକ୍ତାଙ୍କୁ ଚାରୋଟି ବିଦ୍ୟୁତ କମ୍ପାନୀରେ ଯୋଗାଇଦେବା କଷ୍ଟ କର। ବର୍ଷା ଦିନେ ପବନହେଲେ ବିଦ୍ୟୁତ ସେବା ବିଭ୍ରାଟ ଦେଖାଦେବ। ଫନି ସମୟରେ ଠିକ୍ ଭାବରେ କାମ ମଧ୍ୟ ହୋଇନାହିଁ। ଟିକେ ପବନ ହେଲେ ବିଦ୍ୟୁତ ଖୁଣ୍ଟି ଉପୁଡ଼ିପଡିବା ସୁନିଶ୍ଚିତ। ତେଣୁ ବେଳ ଥାଉଥାଉ ପଦକ୍ଷେପ ନେବାକୁ ସଂଘ ଦାବି କରିଛି। ବର୍ତ୍ତମାନ ଫନିରେ ବିଦ୍ୟୁତ ସେବା ଯୋଗାଇବାକୁ ଯାଇ ଦୁଇଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହାତ ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି।
ସବୁଠାରୁ ବଡ଼ କଥା ହେଲା ଯେ ମାସାଧିକ ହେଲା ଏମାନେ ସେବା ଯୋଗାଇ ଚାଲିଛନ୍ତି। ଗୋଟେ ପଟେ ବିଦ୍ୟୁତ ସେକ୍ସନରେ କର୍ମଚାରୀ ସଙ୍କଟ ଲାଗିରହିଥିବା ବେଳେ ଅନ୍ୟପଟେ ବିଦ୍ୟୁତ ବିଭାଗର ଗୋଟିଏ ଗୋଟିଏ ସେକ୍ସନରେ କମ କର୍ମଚାରୀଙ୍କୁ ନେଇ କାମ ଚାଲିଛି। ତା’ ଭିତରେ ଗତ କିଛି ଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିଛି। ଯେଉଁଥିପାଇଁ ସେକ୍ସନର ଲାଇନମ୍ୟାନମାନଙ୍କୁ ନାକେଦମ ହେବାକୁ ପଡୁଛି। ବିପଦପୂର୍ଣ୍ଣ ଭାବେ ଏମାନେ କାମ କରିଚାଲିଛନ୍ତି।
ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ସଭାପତି ତଥା ରାଷ୍ଟ୍ରିୟ ମଜଦୁର କଂଗ୍ରେସର ଉପସଭାପତି ପ୍ରଶାନ୍ତ କୁମାର ମହାପାତ୍ର ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ କହିଛନ୍ତି ଯେ କରୋନା ଯୁଦ୍ଧରେ  ବିଦ୍ୟୁତ କ୍ଷେତ୍ରର କର୍ମଚାରୀ ମଧ୍ୟ ଉକ୍ତ ସମ୍ବେଦନଶୀଳ ସ୍ଥିତି ପାଇଁ କୌଣସି ପ୍ରତିବାଦ ନ କରି ରାଜ୍ୟରେ ବିଦ୍ୟୁତ ସେବା ଯୋଗାଇ ଆସୁଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି ଯେ ବିଦ୍ୟୁତ କ୍ଷେତ୍ରରେ ଯେଉଁ କର୍ମଚାରୀ ଯଥା ଲାଇନମ୍ୟାନ, ହେଲପର ବିଦ୍ୟୁତ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛନ୍ତି, ସେମାନଙ୍କ ବିଷୟରେ ଚିନ୍ତା କରିବା ପାଇଁ କୌଣସି ଜଣେ ହେଲେ ଉଚ୍ଚପ୍ରଦସ୍ତ ଅଧିକାରୀ କିମ୍ବା ସଚିବ ଯତ୍ନବାନ ନୁହନ୍ତି। ଗୋଟିଏ ସେକ୍ସନ ଅଫିସରେ ସର୍ବନିମ୍ନ କେତେଜଣ କର୍ମଚାରୀ ଗୋଟିଏ ସିଫ୍ଟରେ ରହିଲେ କାର୍ଯ୍ୟ ହୋଇପାରିବ ତାହା ନ ଜାଣି ବିଭିନ୍ନ ପ୍ରକାର ନିର୍ଦେଶ ଜାରି କରୁଛନ୍ତି। ବିଦ୍ୟୁତ ଅତି ଆବଶ୍ୟକ ସଂସ୍ଥା ହୋଇଥିଲେ ମଧ୍ୟ ଯେତେବେଳେ କୌଣସି ନିୟମ ଲାଗୁ କରାଯାଉଛି ସେତେବେଳେ ଶକ୍ତି ସଚିବଙ୍କ ସମେତ ବିଦ୍ୟୁତ ବିତରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିତାରଣକାରୀ ସଂସ୍ଥାର ମୁଖ୍ୟମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି। ସେହିପରି ଚୌଦ୍ବାରରେ ମୃତ୍ୟୁ ବରଣ କରିଥିବା କର୍ମଚାରି ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶକ୍ତି ଶଚିବ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଚପାଇ ଦେବା ପାଇଁ ଚେଷ୍ଟା ଅଭିଯୋଗ ଆସିଛି। ବିଦ୍ୟୁତ କମ୍ପାନୀରେ ଦୈନିକ ଦୁର୍ଘଟଣାରେ କର୍ମଚାରୀ ଆହତ ହୋଇଛନ୍ତି ତା’ର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ କ୍ଷତି ପୂରଣ ଦେବାକୁ ଶ୍ରୀ ମହାପାତ୍ର ଓ ତ୍ରୀପାଠି ଦାବି କରିଛନ୍ତି।

Comments are closed.