୮ ରାଜ୍ୟରେ ଖାତା ଖୋଲିପାରିଲାନି କଂଗ୍ରେସ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି। ଏହି ଜାତୀୟ ଦଳ ଦେଶର ୮ ରାଜ୍ୟରେ ଖାତା ଖୋଳିପାରିନାହିଁ। ଅର୍ଥାତ ଏହି ୮ ରାଜ୍ୟରେ କଂଗ୍ରେସର କୌଣସି ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି, ଯାହା ଦଳର ନେତୃତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏସବୁ ରାଜ୍ୟରେ ବିଜେପି କ୍ଲିନ ସୁଇପ୍‌ କରିଛି। ଏହି ରାଜ୍ୟଗୁଡ଼ିକ ହେଲା ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ହରିୟାଣ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶ।

ବିଜେପି ଦିଲ୍ଲୀର ସମସ୍ତ ୭ ଆସନରେ ବିଜୟୀ ହୋଇଛି। ସେହିପରି ରାଜସ୍ଥାନରେ ମୋଟ ୨୫ ଆସନରୁ ୨୫ଟିରେ, ଗୁଜରାଟର ସମସ୍ତ ୨୬ ଆସନ, ହରିୟାଣରେ ୧୦, ଉତ୍ତରାଖଣ୍ଡରେ ୫, ହିମାଚଳ ପ୍ରଦେଶରେ ୪, ତ୍ରିପୁରାର ୨ ଏବଂ ଅରୁଣାଚଳ ପ୍ରଦେଶର ସମସ୍ତ ୨ଟି ଯାକ ଆସନରେ ଗେରୁଆ ଦଳ ବାଜିମାତ୍‌ କରିଛି। ଏହାବ୍ୟତୀତ ବିଜେପି ମଧ୍ୟପ୍ରଦେଶରେ ୨୯ ଆସନରୁ ୨୮ ଏବଂ ଛତିଶଗଡ଼ରେ ୧୧ରୁ ୯ ଆସନରେ ଜିତିଛି। ସେହିପରି ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମେଣ୍ଟ ୪୮ ଆସନରୁ ୩୯ଟିରେ ବିଜୟଲାଭ କରିଛି।

Comments are closed.