ସମସ୍ତ ଇଆର୍‌ଓ ତଥା ଉପଜିଲାପାଳମାନଙ୍କୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର:ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଇଆର୍‌ଓ ତଥା ଉପଜିଲ୍ଲାପାଳମାନଙ୍କୁ ନେଇ ଆଜି ଭୁବନେଶ୍ୱରସ୍ଥ ମଧୁସୂଦନ ଏକାଡେମୀଠାରେ ଏକ ସମୀକ୍ଷା ବୈଠକଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲୋକପ୍ରତିନିଧି ଆଇନ-୧୯୫୦ ଏବଂ ନିର୍ବାଚନ ପଞ୍ଜୀକରଣ ଆଇନ-୧୯୬୦ରେ କେତେକ ସଂଶୋଧନ କରାଯାଇଥିବା ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ । ଏହା ଫଳରେ ଭୋଟର ତାଲିକାରେ ପଞ୍ଜୀକରଣ ନିମନ୍ତେ ଫର୍ମରେ ସଂଶୋଧନ, ଦାବି-ଆପତ୍ତି ଏବଂ ଭୋଟର ତାଲିକାରେ ପଞ୍ଜୀକରଣ ପାଇଁ ଯୋଗ୍ୟତା ସୂଚକ ତାରିଖ, ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ-୬(ଖ)ର ପ୍ରଚଳନ କ୍ଷେତ୍ରରେ ଅନେକଗୁଡ଼ିଏ ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସମୀକ୍ଷା ବୈଠକରେ ପ୍ରକାଶ କରିଥିଲେ।
ଭାରତ ନିର୍ବାଚନ ଆୟୋଗ ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଭୋଟର ଫଟୋ ପରିଚୟ ପତ୍ର ସହ ସ୍ବେଚ୍ଛାକୃତ ଭାବେ ଆଧାର ସଂଯୋଗୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ ।
ଭୋଟର ତାଲିକା ସହ ଆଧାର ସଂଯୋଗୀକରଣ ପାଇଁ ଜଣେ ଘରେ ରହି ଗୁଗୁଲୁ ପ୍ଲେ ଷ୍ଟୋରରୁ ନିଜ ମୋବାଇଲ୍‌ରେ nvsp.in କିମ୍ବା voter helpline ଡାଉନ୍‌ଲୋଡ଼୍‌ କରି ଆଧାର ସଂଯୋଗୀକରଣ କାର୍ଯ୍ୟ କରିପାରିବେ । ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଜାନୁଆରୀ ୧ ତାରିଖ ବ୍ୟତୀତ ଆଉ ତିନିଗୋଟି ଯୋଗ୍ୟତାସୂଚକ ତାରିଖ ଯଥା ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ, ଏହିପରି ଏଣିକି ଚାରିଗୋଟି ଯୋଗ୍ୟତାସୂଚକ ତାରିଖ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ବାର୍ଷିକ ଚିଠା ଭୋଟର ତାଲିକା ପ୍ରକାଶନ ତା. ୦୯/୧୧/୨୦୨୨ରିଖ ଠାରୁ ତା. ୦୮/୧୨/୨୦୨୨ରିଖ ମଧ୍ୟରେ କରାଯିବ। ଏହାପରଠାରୁ ଯେଉଁ ନାଗରିକଙ୍କର ବୟସ ୧୭ ବର୍ଷ ପୂରଣ ହୋଇଥିବ, ସେ ଭୋଟର ତାଲିକାରେ ନିଜ ନାମ ପଂଜୀକରଣ ନିମନ୍ତେ ଆଗୁଆ ଆବେଦନ କରିପାରିବେ ଏବଂ ପରବର୍ତ୍ତୀ ଯୋଗ୍ୟତାସୂଚକ ତାରିଖରେ ତାଙ୍କୁ ୧୮ ବର୍ଷ ପୂରଣ ହେଲେ, ତାଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଯିବ। ପ୍ରଦତ୍ତ ଠିକଣାରେ ଡାକଯୋଗେ ତାଙ୍କର ଭୋଟର ପରିଚୟ ପତ୍ର ପ୍ରେରଣ କରାଯିବ। ପୁନରାୟ ଆଉ ତାଙ୍କୁ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ଲୋକପ୍ରତିନିଧି ଆଇନ-୧୯୫୦ ଏବଂ ନିର୍ବାଚନ ପଂଜୀକରଣ ଆଇନ-୧୯୬୦ର ସଂଶୋଧନ ଫଳରେ ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ଥିବା ଫର୍ମରେ କେତେକ ସଂଶୋଧନ କରାଯାଇଛି। ସେଗୁଡ଼ିକ ହେଉଛି ଫର୍ମ ନଂ-୬ରେ କେବଳ ନାମ ପଂଜୀକରଣ ନିମନ୍ତେ ଆବେଦନ, ଫର୍ମ ନଂ-୬(ଖ)ରେ ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ, ଫର୍ମ-୭ରେ ଭୋଟର ତାଲିକାରୁ ତଥ୍ୟ ବାଦ୍‌ ଦେବା ଏବଂ ଫର୍ମ ନଂ-୮ରେ ବାସସ୍ଥାନ ସ୍ଥାନାନ୍ତରଣ, ପ୍ରଚଳିତ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ଫଟୋ ପରିଚୟ ପତ୍ର ବଦଳ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କୁ ଚିହ୍ନଟ କରିବା ଇତ୍ୟାଦି ସଂପର୍କରେ ବ୍ୟବହାର କରାଯିବ। ପ୍ରତ୍ୟେକ ନାଗରିକ ଯେଉଁମାନଙ୍କ ବୟସ ୨୦୨୩ ମସିହାରେ ଥିବା ଯୋଗ୍ୟତାସୂଚକ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହେବାକୁ ଥିବ, ସେମାନଙ୍କୁ ଆଗୁଆ ନାମ ପଞ୍ଜୀକରଣ ନିମନ୍ତେ ଆବେଦନ କରିବା ସକାଶେ ଉତ୍ସାହିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମହତ କାର୍ଯ୍ୟରେ ଅଂଶଗ୍ରହଣ ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କ୍ଷେତ୍ରରେ ସହଯୋଗ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଭୋଟରଙ୍କୁ ନିବେଦନ କରିଛନ୍ତି ।

Comments are closed.