ନିର୍ବାଚନ ପାଇଁ ଯାତ୍ରୀବାହୀ ବସ୍‍ ବନ୍ଦ; ଗ୍ରାମାଞ୍ଚଳର ଜନ ସାଧାରଣଙ୍କ ପାଇଁ ବିଷମ ସମସ୍ୟା

ରେଙ୍ଗାଲି: ପଞ୍ଚାୟତ ନିର୍ବାଚନ ପରିଚାଳନାରେ ବିଭିନ୍ନ ଗାଁକୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସଗୁଡିକୁ ନିୟୋଜିତ କରାଯାଇଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ବସ୍‍ ବନ୍ଦ ହୋଇଯିବା ଫଳରେ ଗ୍ରାମାଞ୍ଚଳରୁ ବିଭିନ୍ନ ଜରୁରୀ କାମ ପାଇଁ ଦୂର ଦୂରାନ୍ତକୁ ଯିବା ଆସିବା ପାଇଁ ଗରିବ ବର୍ଗର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରେଙ୍ଗାଲି ବ୍ଳକର ଲଇଡା, ଟାମ୍ପରକେଲା, ଅଁଳାମାଲ, ଖୁଣ୍ଟପାଲି, ଘିଚାମୁରା, ବେଉଁରା, ଗୌରଡିହି ଆଦି ଗ୍ରାମକୁ ସମ୍ବଲପୁରରୁ ମୁଷ୍ଟିମେୟ ଯାତ୍ରୀବାହୀ ବସ୍‍ ଯାତାୟାତ କରିଥାଏ। ସ୍କୁଲ, କଳେଜ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କ ଯାତାୟତ ପାଇଁ ଏହି ଯାତ୍ରୀବାହୀ ବସ୍‍ ହିଁ ଏକମାତ୍ର ଭରସା। କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଉପରୋକ୍ତ ଅଞ୍ଚଳକୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍‍ ସବୁ ନିର୍ବାଚନ କାମରେ ଲଗାଇ ଦେବା ଯୁକ୍ତି ସଙ୍ଗତ ନୁହେଁ। ଏଭଳି ପଦକ୍ଷେପ ଜନସ୍ୱାର୍ଥର ପରିପନ୍ଥି ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପାଉଛି। ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ବସ୍‍ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଉଛି। ଏଣୁ ଉପରୋକ୍ତ ଅଞ୍ଚଳବାସୀଙ୍କ ଗମନାଗମନ ପାଇଁ ବିକଳ୍ପ ପରିବହନ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରାଯାଉ ବୋଲି ଦାବୀ ହେଉଛି।

Comments are closed.